ନୀଳମାଧବ ନଗର ପାଇଁ ଜନଶୁଣାଣି : ବସ୍ତି ଛାଡ଼ିବାକୁ ସର୍ତ ରଖିଲେ

ଚନ୍ଦ୍ରଶେଖରପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ସମସ୍ତଙ୍କ ପାଇଁ ଘର ଯୋଜନାରେ ନୀଳମାଧବ ବସ୍ତିକୁ ନୀଳମାଧବ ନଗର କରିବା ନେଇ ଆଜି ଏକ ଜନଶୁଣାଣି ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି। ସହରାଞ୍ଚଳରେ ଆର୍ଥିକ ଅନଗ୍ରସର ପରିବାରକୁ ନିଜସ୍ୱ ବାସଗୃହ ଯୋଗାଇଦେବା ଲକ୍ଷ୍ୟରେ ଓ୍ଵାର୍ଡ ନଂ-୧୩ରେ ଅନୁଷ୍ଠିତ ଏହି ଜନଶୁଣାଣିରେ ନୀଳମାଧବ ବସ୍ତିର ଲୋକମାନେ ବସ୍ତି ଛାଡ଼ିବାକୁ ରାଜି ହୋଇଥିଲେ। ମାତ୍ର ତାଙ୍କୁ ସ୍ଥାନାନ୍ତର କରାଯିବାକୁ ଥିବା କନ୍ୟାଶ୍ରମ ଟ୍ରାନ୍‌ଜିଟ୍‌ କଲୋନିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜଧାନୀରେ ହେବାକୁ ଥିବା ଏହି ପ୍ରଥମ ପିପିପି ପ୍ରକଳ୍ପରେ ବସ୍ତିବାସିନ୍ଦାଙ୍କ ପାଇଁ ୧୨୦୦ ଘର ନିର୍ମାଣ କରାଯିବ। ରାଜ୍ୟ ସରକାର ଚନ୍ଦ୍ରଶେଖର ମୌଜାରେ ଥିବା ଏହି ୮.୧୮ ଏକର ସରକାରୀ ଜାଗାକୁ ଏହି ଯୋଜନା ପାଇଁ ବିଡିଏକୁ ହସ୍ତାନ୍ତର କରିଛନ୍ତି। ଏହା ମଧ୍ୟରୁ ବସ୍ତି ପୁନଃଥଇଥାନ ପାଇଁ ୫.୩୧୭ ଏକର ଜାଗା ବ୍ୟବହୃତ ହେବାକୁ ଥିବା ବେଳେ ଘରୋଇ ପ୍ରକଳ୍ପ ପାଇଁ ୨.୮୬୩ ଏକର ଜାଗା ବ୍ୟବହୃତ ହେବ।

ତିନି ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମାପ୍ତ ହେବ। ପ୍ରଥମେ ବସ୍ତିବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ୧୨୦୦ ଘର ଦାୟିତ୍ୱ ନେଇଥିବା ସଂସ୍ଥା ସଂପୂର୍ଣ୍ଣ କରିବ। ପରେ ଅବଶିଷ୍ଟ ଜାଗାରେ ଏହି ସଂସ୍ଥା ନିଜସ୍ୱ ଘରୋଇ ପ୍ରକଳ୍ପ କରିପାରିବ। ଏନେଇ ବସ୍ତିବାସିନ୍ଦାଙ୍କୁ ନୀଳାଦି୍ରିବିହାର ଅଞ୍ଚଳରେ ଥିବା କନ୍ୟାଶ୍ରମ ଟ୍ରାନ୍‌ଜିଟ୍‌ କଲୋନିକୁ ସ୍ଥାନାନ୍ତର ହେବାକୁ ପଡ଼ିବ। ନୀଳମାଧବ ଓ ନୀଳମାଧବ ଫେଜ୍‌-୧ ବସ୍ତିର ମୋଟ ୬୩୯ ପରିବାର ଏହି ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ପୂର୍ବରୁ କେୟାର୍‌ ହସ୍ପିଟାଲ୍‌ ରାସ୍ତା ନିର୍ମାଣ ବେଳେ ୮୩ ପରିବାର ସ୍ଥାନାନ୍ତର ହୋଇସାରିଛନ୍ତି। ଅବଶିଷ୍ଟ ୫୫୬ ପରିବାର କନ୍ୟାଶ୍ରମକୁ ଯିବା ପରେ ଏହି ଜାଗାରେ ନିର୍ମାଣ କାର୍ଯ୍ୟ ଶେଷ ହେବ। ୨୦୧୩ ଜୁଲାଇ ପହିଲା ସୁଦ୍ଧା ଯେଉଁମାନଙ୍କ ନିକଟରେ ପରିଚୟପତ୍ର ଥିବା ସେମାନଙ୍କୁ ଏହି ସୁବିଧା ଉପଲବ୍‌ଧ କରାଯାଇଛି। ଯେଉଁମାନେ କନ୍ୟାଶ୍ରମକୁ ଯିବାକୁ ଅନିଚ୍ଛା ପ୍ରକାଶ କରିବେ ଓ ଭଡ଼ା ଘରେ ରହିବାକୁ ଚାହିଁବେ, ସେମାନଙ୍କୁ ୨୦୦୦ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଯୋଗାଇଦିଆଯିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ୩୦-୩୫ ଲକ୍ଷ ଟଙ୍କା ଖର୍ଚ ହେଉଥିବା ଏହି ଘର ପାଇଁ ବସ୍ତିବାସିନ୍ଦାଙ୍କୁ ଲକ୍ଷେ କୋଡ଼ିଏ ହଜାର ଟଙ୍କା ଦେବାକୁ ପଡ଼ିବ। ଆରମ୍ଭରୁ କୋଡ଼ଏ ହଜାର ଟଙ୍କା ହାତରୁ ଦେବାକୁ ହେବ। ଅବଶିଷ୍ଟ ଲକ୍ଷେ ଟଙ୍କାକୁ ବ୍ୟାଙ୍କରୁ ଋଣ ଆଣିବା ନିମନ୍ତେ ପ୍ରଶାସନ ବ୍ୟବସ୍ଥା କରିବ। ଦଶ ବର୍ଷ ମଧ୍ୟରେ ଏହି ଟଙ୍କାକୁ ହିତାଧିକାରୀ ଶୁଝିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପ କିନ୍ତୁ ଦୁଇ ବର୍ଷ ଭିତରେ ଶେଷ ହେବା ନେଇ ବିଏମ୍‌ସି ଓ ବିଡିଏ ଆଶା ବାନ୍ଧିଛନ୍ତି। ନୀଳମାଧବ ବସ୍ତିରେ ଏହି ପ୍ରକଳ୍ପ ହେଉଥିବାରୁ ସେମାନଙ୍କ ଥଇଥାନକୁ ପ୍ରାଥମିକତା ଦିଆଯିବ ବୋଲି ଜନଶୁଣାଣିରେ ମେୟର ପ୍ରତିଶ୍ରୁତି ଦେଇଥିଲେ। ଏହାସହିତ ପାନୀୟ ଜଳ, ଚବିଶ ଘଣ୍ଟା ବିଜୁଳି, ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟସେବାର ସୁବନ୍ଦୋବସ୍ତ, ପାର୍କ ଭଳି ସମସ୍ତ ମୌଳିକ ସୁବିଧା ଯୋଗାଇଦିଆଯିବା ନେଇ କୁହାଯାଇଛି।

କନ୍ୟାଶ୍ରମକୁ ନେଇ ଅସନ୍ତୋଷ

ନୀଳମାଧବ ଆବାସ ଯୋଜନାରେ ଏହି ବସ୍ତିର ଲୋକେ ଘର ଛାଡ଼ିବାକୁ ରାଜି ହୋଇଥିଲେ ମଧ୍ୟ କନ୍ୟାଶ୍ରମ ବସ୍ତିକୁ ନେଇ ଆପତ୍ତି ଜଣାଇଛନ୍ତି। ସେଠାରେ ବିଜୁଳି, ପାଣି, ଶୌଚାଳୟ ଆଦିର ସୁବନ୍ଦୋବସ୍ତ ସହିତ ପ୍ରତି ପରିବାରକୁ ସେଠାରେ ଦୁଇଟି ଲେଖାଏଁ ଘର ଦେବାକୁ ବସ୍ତି ନେତା ସୁଦର୍ଶନ ଭଟ୍ଟ ଦାବି କରିଥିଲେ। ଏସବୁ ବ୍ୟବସ୍ଥା ନକଲା ପର୍ଯ୍ୟନ୍ତ ବସ୍ତି ଛାଡ଼ିବେ ନାହିଁ ବୋଲି ସେ କହିଛନ୍ତି। ସମସ୍ତ ସମସ୍ୟାର ସମାଧାନ ହେବା ନେଇ ଉପସ୍ଥିତ ଜନପ୍ରତିନିଧିଙ୍କ ସମେତ ବିଏମ୍‌ସି, ବିଡିଏର ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ମୋଟାମୋଟି କହିବାକୁ ଗଲେ ଆଜିର ଏହି ଜନଶୁଣାଣି ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଥିଲେ ମଧ୍ୟ ଥଇଥାନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତନାରାୟଣ ଜେନା, ବିଏମ୍‌ସି ଅତିରିକ୍ତ କମିସନର, ଏନ୍‌ଫୋର୍ସମେଣ୍ଟ ଭବାନୀ ପ୍ରସାଦ ଚଇନି, ବିଡିଏ ସଚିବ ସୀତାଂଶୁ ରାଉତ, ବିଏମ୍‌ସି ଡେପୁଟି କମିସନର ଲଲାଟେନ୍ଦୁ ସାହୁ, ବିଏମ୍‌ସି ଉତ୍ତର ଜୋନ୍‌ ଡେପୁଟି କମିସନର ଶୁଭ୍ରାଂଶୁ ମିଶ୍ର, ସ୍ଥାନୀୟ କର୍ପୋରେଟର୍‌ ସୌଭାଗ୍ୟ ବାରିକ, ବସ୍ତିନେତା ସୁଦର୍ଶନ ଭଟ୍ଟ, କୁମାରେନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ବସ୍ତିବାସିନ୍ଦା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର