‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ; ଆଧ୍ୟାତ୍ମିକତା ଆମ ଭିତରେ ଅଛି: ଏ ଜେ ଥୋମାସ୍‌

ସୁମନୀ ଝୋଡ଼ିିଆଙ୍କୁ ‘କାଦମ୍ବିନୀ ସମ୍ମାନ-୨୦୧୮’

ଭୁବନେଶ୍ୱର : ଆଧ୍ୟାତ୍ମିକତା। ଏହା କ’ଣ? ଏହାକୁ ନେଇ ଅନେକ ଭ୍ରାନ୍ତ ଧାରଣା ଥିବା ବେଳେ ଇଣ୍ଡିଆନ୍‌ ଲିଟରେଚର୍‌ର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ଏ ଜେ ଥୋମାସ୍‌ ଆଧ୍ୟାତ୍ମିକତାକୁ ବିସ୍ତାର ଭାବେ ବର୍ଣ୍ଣନା କରିଥିଲେ। ଆଧ୍ୟାତ୍ମିକତା ଅନ୍ୟ କେଉଁଠି ନାହିଁ। ଏହା ଆମ ଭିତରେ ଅଛି। ନିରନ୍ତର ପ୍ରବାହ ହେଉଛି। ଆଧ୍ୟାତ୍ମିକତାର କୌଣସି ନାମ ନାହିଁ କି ପ୍ରକାର ବି ନାହିଁ। ଏହାକୁ ବର୍ଣ୍ଣନା କରିବାକୁ ଶବ୍ଦ ନାହିଁ କି ଗଢ଼ିବାକୁ ଭାଷା ନାହିଁ। ଥରେ ଏହା ଭିତରକୁ ପ୍ରବେଶ କଲେ ଫେରି ଆସି ହେବ ନାହିଁ ବୋଲି ସେ କହିଛନ୍ତି। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ମାସିକ ପତ୍ରିକା ‘କାଦମ୍ବିନୀ’ର ଅଷ୍ଟାଦଶ ଓ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ୭ମ ସ୍ୱନକ୍ଷତ୍ର ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଥୋମାସ୍‌ ଏହା କହିଛନ୍ତିି।

ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବଲିଉଡ୍‌ ଅଭିନେତ୍ରୀ ତଥା ସ୍ତମ୍ଭକାର ପୂଜା ବେଦୀ କହିଲେ, ମଣିଷ ଶରୀରରେ ୩୭.୨ ଟ୍ରିଲିୟନ୍‌ ଜୀବକୋଷ ରହିଛି। ପ୍ରତି ଜୀବକୋଷରେ ୧.୭ ଭୋଲ୍‌ଟ୍‌ ଇଲେକ୍ଟ୍ରିସିଟି ପ୍ରବାହିତ ହୁଏ। ଅର୍ଥାତ୍‌ ପ୍ରତିଟି ମଣିଷ ଶରୀରରେ ପ୍ରାୟ ୭୦ ଟ୍ରିଲିୟନ୍‌ ଭୋଲ୍‌ଟ୍‌ ପ୍ରବାହିତ ହୁଏ। ଏବେ ପ୍ରଶ୍ନ ଉଠୁଛି ଏତେ ପରିମାଣର ଶକ୍ତି ଆମେ କେମିତି ଖର୍ଚ୍ଚ କରିବା। ଜନସଂଖ୍ୟା ବଢ଼ିଛି, ଜୀବିକା ବଢ଼ୁଛି ଅଧିକ ସୁବିଧା ସୁଯୋଗ ବି ଉପଲବ୍ଧ ହେଉଛି। ତା’ ଭିତରେ ବି ପ୍ରତିଟି ମଣିଷ ଭିତରେ ଦୁଃଖ, ଚିନ୍ତା, ଅବସାଦ ଭରି ରହିଛି। ଏସବୁରୁ ଦୂରେଇ ନିଜ ଭିତରର ଆଧ୍ୟାତ୍ମିିକତାକୁ ଅନୁଭବ କରି ନିଜର ଶକ୍ତି ଗଠନମୂଳକ କାର୍ଯ୍ୟରେ ବ୍ୟୟ କରି ସର୍ବଦା ଖୁସି ରହିବାକୁ ପୂଜା ବେଦୀ ପରାମର୍ଶ ଦେଇଛନ୍ତି।

ବରିଷ୍ଠ ସାହିତ୍ୟିକ ବିଭୂତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ବିଜୟାନନ୍ଦ ସିଂହ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ‘କାଦମ୍ବିନୀ ସ୍ୱନକ୍ଷତ୍ର ସ୍ୱତନ୍ତ୍ର’ ଓ ‘କୁନିକଥା’ର ଜୁଲାଇ ସଂଖ୍ୟା ଓ କଳିଙ୍ଗ ଟିଭିର ନୂତନ ପ୍ରୟାସ ‘ଭିନ୍ନ ମଣିଷ ଭିନ୍ନ କଥା’ କାର୍ଯ୍ୟକ୍ରମ ଉନ୍ମୋଚିତ ହୋଇଥିଲା। ଏ ଅବସରରେ ବିଶିଷ୍ଟ ସମାଜସେବୀ ସୁମନୀ ଝୋଡ଼ିିଆଙ୍କୁ ‘କାଦମ୍ବିନୀ ସମ୍ମାନ-୨୦୧୮’ରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ବାବଦକୁ ତାଙ୍କୁ ନଗଦ ୫୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହା ସହ ଆଦିତେଶ୍ୱର ମିଶ୍ରଙ୍କୁ ‘କାଦମ୍ବିନୀ ଗଳ୍ପ ସମ୍ମାନ’, ରକ୍ଷକ ନାୟକଙ୍କୁ ‘କାଦମ୍ବିନୀ କବିତା ସମ୍ମାନ’, ବିନୋଦିନୀ ପାତ୍ରଙ୍କୁ ‘କାଦମ୍ବିନୀ ଅନୁବାଦ ଜ୍ୟୋତ୍ସ୍ନା ପାଲ୍‌ ସ୍ମୃତି ସମ୍ମାନ’, ଶିବାନୀ ସଙ୍ଗୀତାଙ୍କୁ ‘କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ପୁରସ୍କାର’, ଗୀତାରାଣୀ ବାରିକଙ୍କୁ ‘କାଦମ୍ବିନୀ ଆମ ରୋଷେଇ ବର୍ଣ୍ଣିକା ପଟ୍ଟନାୟକ ସ୍ମୃତି ପୁରସ୍କାର’, ପ୍ରତାପ କୁମାର ନାୟକଙ୍କୁ ‘କାଦମ୍ବିନୀ ପ୍ରିୟ ପାଠକ ସମ୍ବର୍ଦ୍ଧନା’, ରମେଶ ପତ୍ରୀଙ୍କୁ ‘କୁନିକଥା ପ୍ରିୟ ଲେଖକ ସମ୍ମାନ’, ଓଁ ଶାଙ୍କରୀ ମିଶ୍ରଙ୍କୁ ‘କୁନିକଥା କୁନିପ୍ରତିଭା ପୁରସ୍କାର’, ଶୁଭଲକ୍ଷ୍ମୀ ମହାନ୍ତିଙ୍କୁ ‘କାଦମ୍ବିନୀ ଶ୍ରେଷ୍ଠ କର୍ମଚାରୀ ପୁରସ୍କାର’, ସୌମ୍ୟା ମହାପାତ୍ର, ଶାନ୍ତନୁ କୁମାର ନାୟକ ଓ ଅପର୍ଣ୍ଣା ତ୍ରିପାଠୀଙ୍କୁ ‘କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର-୨୦୧୭’ ସମ୍ମାନ ପ୍ରଦାନ କରାଯାଇଥିଲା। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର