କନ୍ଦାଉଛି ପିଆଜ : ଖାଉଟିଙ୍କ ପରେ ଏବେ ଚାଷୀଙ୍କ ପାଳି

ଖଣ୍ଡଗିରି : ଜାନୁଆରି ଓ ଫେବ୍ରୁଆରିରେ ପିଆଜ ଦର ଖାଉଟିଙ୍କୁ କନ୍ଦାଉଥିଲା। ଏବେ ପାଳି ପଡ଼ିଛି ଚାଷୀଙ୍କର। ଗତ ଦୁଇ ମାସ ତଳେ ଖୁଚୁରା ବଜାରରେ କିଲୋ ପିଛା ୨୫ ରୁ ୩୦ ଟଙ୍କା ଥିବା ପିଆଜ ଦର ଏବେ କମି କମି ୧୨ରୁ ୧୪ ଟଙ୍କାରେ ପହଞ୍ଚିଲାଣି। ପିଆଜ ଦରର ଏହି ହ୍ରାସ ଖାଉଟିଙ୍କ ପାଇଁ ଖୁସି ଆଣି ଦେଇଥିବାବେଳେ ଚାଷୀଙ୍କ ମୁଣ୍ଡରେ ଚଡ଼କ ସଦୃଶ ହୋଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ଚାଷୀମାନେ ଏବେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। କିଲୋ ପିଛା ୪/୫ ଟଙ୍କାରେ ବିକୁଛନ୍ତି। ଚାଷୀ ଏବେ କରଜରୁ କେମିତି ମୁକୁଳିବେ ସେଇ ଚିନ୍ତାରେ ପଡ଼ିଛନ୍ତି। ମାତ୍ର ଏଭଳି ସ୍ଥିତିରେ ରାଜ୍ୟ ସରକାର ଚାଷୀମାନଙ୍କ ପାଖରେ ଠିଆ ହେଉ ନଥିବାରୁ ସେମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନା ଅଛି ସଂରକ୍ଷଣ ବ୍ୟବସ୍ଥା ନା ଅଛି ଚାଷୀ ଅନୁକୂଳ ବିପଣନ ବ୍ୟବସ୍ଥା। ତେଣୁ କମ୍‌ ଦରରେ ପିଆଜ ବିକି ଚାଷୀ ହତାଶ ହେଉଥିବା ଅଭିଯୋଗ ହେଉଛି।

ଏବେ ପଶ୍ଚିମଓଡ଼ିଶାର କଳାହାଣ୍ଡି ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଆଦି ଅଞ୍ଚଳରେ ପିଆଜ ଅମଳ ଚାଲିଛି। ପୂର୍ବ ବର୍ଷ ଭଳି ଭଲ ଅମଳ ହୋଇଛି। କିନ୍ତୁ ପିଆଜ ଦର ହ୍ରାସ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଚାଷୀମାନେ କିଲୋ ପିଛା ମାତ୍ର ୪ ଟଙ୍କାରୁ ୬ ଟଙ୍କା ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। ପୁଣି ଦର କମିବା ସତ୍ୱେ ବେପାରୀମାନେ ଠିକ୍‌ ସମୟରେ ମାଲ୍‌ ଉଠାଉ ନଥିବା ବି ବଡ଼ ସମସ୍ୟା ହେଉଛି। ସଂରକ୍ଷଣ ବ୍ୟବସ୍ଥା ନଥିବାବେଳେ ବ୍ୟବସାୟୀମାନେ ମାଲ୍‌ କିଣୁ ନଥିବାରୁ ଚାଷୀଙ୍କ ଖଳାରେ ପିଆଜ ନଷ୍ଟ ହେଉଛି। ଚାଷୀମାନଙ୍କ ଅସୁବିଧାର ସୁଯୋଗ ନେଇ କମ୍‌ ଦାମ୍‌ରେ ପିଆଜ କିଣିବାକୁ ମସୁଧା କରି ଅସାଧୁ ବ୍ୟବସାୟୀମାନେ ଅଭାବୀ ବଜାର ପରିସ୍ଥିତି ସୃଷ୍ଟି କରୁଛନ୍ତି। ତେଣୁ ଚଳିତ ବର୍ଷ ପିଆଜ ଚାଷୀମାନେ ବହୁ ପରିମାଣରେ କ୍ଷତି ସହୁଥିବା ସ୍ପଷ୍ଟ ହୋଇଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ନିରବଦ୍ରଷ୍ଟା ଅବସ୍ଥା ଚାଷୀମାନଙ୍କୁ ଆହୁରି ବ୍ୟଥିତ କରିଛି। ରାଜ୍ୟର କୃଷିଜାତ ଦ୍ରବ୍ୟ ବିପଣନ ବୋର୍ଡ ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି। ମହାରାଷ୍ଟ୍ରରୁ ଟ୍ରକ୍‌ ଟ୍ରକ୍‌ (ଦୈନିକ ପ୍ରାୟ ୧୦ ଟ୍ରକ୍‌) ପିଆଜ ଆମଦାନୀ ହେଉଥିବାବେଳେ ଓଡ଼ିଶା ପିଆଜ ଚାଷୀଙ୍କ ପାଖରେ ସଢ଼ୁଛି ବୋଲି ଅଭିଯୋଗ ହେଉଛି।

କୁବେରପୁରୀରୁ ମିଳିଥିବା ତଥ୍ୟ ଅନୁସାରେ ଏବେ ମହାରାଷ୍ଟ୍ରର ନାସିକ୍‌ ଭଳି ପିଆଜ ଉତ୍ପାଦନ ସ୍ଥାନମାନଙ୍କରେ ପିଆଜ ଦର ହ୍ରାସ ପାଇଛି। ନାସିକ୍‌ରେ ପିଆଜ ଦର ପ୍ରାୟ ୫/୬ ଟଙ୍କା ରହିଛି। ସେଠାରୁ ଓଡ଼ିଶାରେ ପହଞ୍ଚିବା ପାଇଁ ପରିବହନ ଖର୍ଚ ସହ ୧୦ ରୁ ୧୧ ଟଙ୍କା ପଡ଼ୁଛି। ଫଳରେ ଖୁଚୁରା ବଜାର ଦର କିଲୋ ପିଛା ୧୪/୧୫ ଟଙ୍କା ରହୁଛି।

ଅପରପକ୍ଷେ କଣ୍ଟାବାଞ୍ଜି ପିଆଜ ଗୁଣାତ୍ମକ ଦୃଷ୍ଟିରୁ ନାସିକ୍‌ ପିଆଜ ତୁଳନାରେ ନିମ୍ନମାନର। ତେଣୁ ବଜାରରେ ନାସିକ୍‌ ପିଆଜ ସହ ତାଳ ଦେଇ କଣ୍ଟାବାଞ୍ଜି ପିଆଜ ବିକ୍ରି ହୋଇପାରିବ ନାହିଁ। ଏହାବାଦ୍‌ ବର୍ଷ ସାରା ନାସିକ୍‌ ବଜାର ଓଡ଼ିଶା ମାର୍କେଟ୍‌କୁ ମାଲ ଯୋଗାଇ ଆସୁଛି ଓ ଆମଦାନୀ କରୁଥିବା ବ୍ୟବସାୟୀମାନେ ମହାରାଷ୍ଟ୍ର ମଣ୍ଡି ଉପରେ ନିର୍ଭରଶୀଳ। କିନ୍ତୁ ପଶ୍ଚିମ ଓଡ଼ିଶା କେବଳ ୨/୩ ମାସ ପାଇଁ ବଜାରକୁ ମାଲ୍‌ ଯୋଗାଇ ପାରିବ। ଏଭଳି ସ୍ଥିତିରେ ଆମଦାନୀ କରୁଥିବା ବ୍ୟବସାୟୀମାନେ ନାସିକ୍‌ ମଣ୍ଡି ଓ ଚାଷୀମାନଙ୍କ ହାତ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଫଳରେ ମହାରାଷ୍ଟ୍ରରୁ ମାଲ୍‌ ବନ୍ଦ କରି କେବଳ ପଶ୍ଚିମ ଓଡ଼ିଶାରୁ ପିଆଜ ଉଠାଇବା ସମ୍ଭବ ନୁହେଁ ବୋଲି ବ୍ୟବସାୟୀମାନେ ସୂଚନା ଦେଇଛନ୍ତି। ତଥାପି ପ୍ରତିଦିନ କୁବେରପୁରୀକୁ ଅତି କମ୍‌ରେ ଗୋଟିଏ ଦୁଇଟି ଟ୍ରକ୍‌ ମାଲ୍‌ ଅଣାଯାଉଛି ବୋଲି ବ୍ୟବସାୟୀ ସଂଘର ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ର କହିଛନ୍ତି। ତେବେ ଓଡ଼ିଶା ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଦି ରାଜ୍ୟ ସରକାରଙ୍କ କୃଷିଜାତ ବିପଣନ ବୋର୍ଡ ଓ ଅନ୍ୟାନ୍ୟ ସଂସ୍ଥାମାନେ ବ୍ୟବସାୟୀମାନଙ୍କ ସହ ଆଲୋଚନା କରନ୍ତେ, ତେବେ କିଛି ସୁଫଳ ମିଳନ୍ତା ବୋଲି ସମ୍ପାଦକ ଶ୍ରୀ ମିଶ୍ର ଆଶା ପ୍ରକାଶ କରିଛନ୍ତି। ଓଡ଼ିଶା ବଜାରକୁ ସନ୍ତୁଳିତ ଭାବେ ପଶ୍ଚିମ ଓଡ଼ିଶା ପିଆଜ ପଠାଇବା ବ୍ୟବସ୍ଥା କରାଗଲେ, ଚାଷୀମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରି ମାସରେ ମହାରାଷ୍ଟ୍ର ସରକାର ପିଆଜ ରପ୍ତାନୀ ଉପରୁ କଟକଣା ହଟାଇ ଦେବାରୁ ବହୁ ପରିମାଣର ପିଆଜ ବିଦେଶକୁ ରପ୍ତାନୀ ହୋଇଥିଲା ଓ ଭାରତ ବଜାରରେ ପିଆଜ ଦର ବୃଦ୍ଧି ପାଇଥିଲା। ସେତେବେଳେ କିଲୋ ପିଛା ୩୦ ଟଙ୍କାକୁ ଛୁଇଁଥିବା ପିଆଜ ଦର ଖାଉଟିମାନଙ୍କୁ କନ୍ଦାଇଥିଲା। ଏବେ ଅମଳ ସମୟରେ ସରକାରଙ୍କ ବିପଣନ ଓ ସଂରକ୍ଷଣ ବ୍ୟବସ୍ଥାଗତ ତ୍ରୁଟି ଚାଷୀମାନଙ୍କୁ କନ୍ଦାଉଛି।

ସମ୍ବନ୍ଧିତ ଖବର