ଖୋଲୁଛି ପ୍ରାଚୀ ସଭ୍ୟତାର ରହସ୍ୟ

ମହେଞ୍ଜୋଦାରୋ ଓ ସିନ୍ଧୁ ସଭ୍ୟତାର ସମସାମୟିକ ଥିଲା, ଲୋକେ ଗୋପାଳନ ଓ ମାଛଧରା ଜାଣିଥିଲେ

0 253

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ପରମ୍ପରାର ଦିନେ ମୁକସାକ୍ଷୀ ଥିଲା ପ୍ରାଚୀ ନଦୀ। ନଦୀ ପଠାରେ ଗଢ଼ି ଉଠିଥିବା କୀର୍ତିରାଜି, ମଠ, ମନ୍ଦିର ଉତ୍କଳୀୟ ପରମ୍ପରାର ଥିଲା ଆଲୋକବର୍ତିକା। ଅଥଚ ଦିନେ ଯେଉଁ ନଦୀରେ ଜାହାଜ ଚାଲୁଥିଲା ତାହା ଆଜି ଗାଡ଼ିଆର ରୂପ ନେଇଛି। ଛନ୍ଦି ହୋଇ ଯାଇଥିବା ରାସ୍ତା, ଜାତୀୟ ରାଜପଥ, ଗଢ଼ି ଉଠିଥିବା ଉଚ୍ଚ ଅଟ୍ଟାଳିକା ପ୍ରାଚୀ ସଭ୍ୟତାକୁ ଦିନେ ନିଶ୍ଚିହ୍ନ କରି ଦେଇଥିବା ବେଳେ ଏହି ସମୃଦ୍ଧ ସଭ୍ୟତାର ମାହାତ୍ମ୍ୟକୁ ଉନ୍ମୋଚନ କରିବାରେ ଲାଗିଛି ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)। ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଟ୍ରଷ୍ଟ୍‍ ଫର୍‌ ଆର୍ଟ୍‌ ଆଣ୍ଡ୍‌ କଲ୍‌ଚରାଲ୍‌ ହେରିଟେଜ୍‌ (ଇନ୍‌ଟାକ୍‌) ପକ୍ଷରୁ ପ୍ରାଚୀ ସଭ୍ୟତାର ଐତିହ୍ୟକୁ ଚିହ୍ନଟ କରାଯିବା ପରେ ଏଏସ୍‌ଆଇର ଉତ୍‌ଖନନ ପ୍ରାଚୀ ମହାତ୍ମ୍ୟକୁ ଧୀରେଧୀରେ ଉନ୍ମୋଚନ କରୁଛି।ଉତ୍‌ଖନନରୁ ମିଳିଥିବା ଅସ୍ଥି ନିର୍ମିତ ତେଣ୍ଟା, କଣ୍ଟା, ପ୍ରସ୍ତର ନିର୍ମିତ କୁରାଢ଼ି, ସାର୍କ ଓ ମଇଁଷିର ଅବଶେଷ ଓ ଖପରାରୁ ପ୍ରମାଣିତ ହୋଇଛି ଯେ, ପ୍ରାଚୀ ସଭ୍ୟତା ମହେଞ୍ଜୋଦାରୋ ଓ ସିନ୍ଧୁ ସଭ୍ୟତାର ସମସାମୟିକ। ଏହା ବି ସ୍ପଷ୍ଟ ଯେ, ତତ୍କାଳୀନ ସମୟରୁ କୃଷି ସହ ଓଡ଼ିଶାବାସୀଙ୍କର ସମ୍ପର୍କ ରହିଛି। ଗୋପାଳନ ଓ ମାଛଧରାରେ ବି ସେମାନେ ସମ୍ପୃକ୍ତ ଥିଲେ। ଇନ୍‌ଟାକ୍‌ର ରାଜ୍ୟ ଆବାହକ ଏ ବି ତ୍ରିପାଠୀ କହିଛନ୍ତି ଯେ, ପ୍ରାଚୀ ନଦୀର ଆଖପାଖ ସର୍ବେକ୍ଷଣ କରାଯାଇଥିବା ବେଳେ କୀର୍ତିରାଜି, ଅବଶେଷ, ସୌଧ ଓ ଐତିହ୍ୟକୁ ଡକୁମେଣ୍ଟ୍‌ କରାଯାଇଛି। ପ୍ରାଚୀ ସଭ୍ୟତା ମହେଞ୍ଜୋଦାରୋ ସଭ୍ୟତାର ସମସାମୟିକ ହୋଇଥିବା ବେଳେ ଇତିହାସରେ ପ୍ରାଚୀ ମାହାତ୍ମ୍ୟକୁ ନ୍ୟାୟ ଦେବା ପାଇଁ ଇତିହାସର ପୁନର୍ଲିଖନ ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରକଳ୍ପ ମୁଖ୍ୟ ଅନିଲ୍‌ ଧୀର୍‌ କହିଛନ୍ତି ଯେ, ଏଇ ଦୁଇ ମାସ ହେବ ଉତ୍‌ଖନନରୁ ବହୁ ନୂଆ ଜିନିଷ ଆବିଷ୍କୃତ ହୋଇଛି। ସେହିଭଳି ଏମିତି କିଛି ସ୍ଥାନ ଚିହ୍ନଟ ହୋଇଛି, ଯାହାର ପ୍ରତ୍ନତାତ୍ତ୍ୱିକ ପୃଷ୍ଠଭୂମି ରହିଛି। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ଏଏସ୍‌ଆଇକୁ ଅବଗତ କରାଯିବା ସହ ପ୍ରାଚୀ ମାହାତ୍ମ୍ୟର ନୂତନ ଦିଗ ଉନ୍ମୋଚନ କରାଯିବ ବୋଲି ସେ କହିଛନ୍ତି। ଡ.ବିଶ୍ୱଜିତ ମହାନ୍ତିଙ୍କ ମତରେ ୧୯୪୦ ମସିହା ପର୍ଯ୍ୟନ୍ତ ପ୍ରାଚୀ ନଦୀରେ ଜାହାଜ ଚାଲୁଥିବା ବେଳେ ଏବେ କେବଳ ମୌସୁମୀ ଆସିଲେ ହିଁ ପ୍ରାଚୀର ଶୋଭା ଫେରୁଛି। ଏହାକୁ ସଜାଡ଼ି ପାରିଲେ ପ୍ରାଚୀ ତା’ର ପୂର୍ବ ସ୍ଥିତି ଫେରି ପାଇପାରିବ। ଖାଲି ସେତିକି ନୁହେଁ, ଏଠାରେ ଥିବା ପୁରାତନ କୀର୍ତିରାଜି, ମଠ ଓ ଘାଟ ପର୍ଯ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନର ଅନୁଭବ ଦେଇପାରିବ ବୋଲି ସେ କହିଛନ୍ତି। ପୂର୍ବତନ ପ୍ରଶାସକ ସଂଜୀବ ହୋତା କହିଛନ୍ତି ଯେ, ମାର୍କଣ୍ଡେୟ ପୁରାଣ, କପିଳ ସଂହିତା, ପ୍ରାଚୀ ମହାତ୍ମ୍ୟ ଓ ଓଡ଼ିଆ ମହାଭାରତରେ ଏହି ପବିତ୍ର ନଦୀର ମହାତ୍ମ୍ୟ ଲିପିବଦ୍ଧ ଅଛି। ଏହା ଏମିତି ଏକ ସ୍ଥାନ ଯେଉଁଠି ଜୈନ, ବୌଦ୍ଧ, ତନ୍ତ୍ର, ଶୈବ, ବୈଷ୍ଣବ ଭଳି ସମସ୍ତ ଧର୍ମୀୟ ସଂସ୍କୃତି ଗୋଟିଏ ପରେ ଗୋଟିଏ ଗଢ଼ି ଉଠିଥିବାର ପୌରାଣିକ ପ୍ରମାଣ ରହିଛି। ତେଣୁ ଅନେକ ଦୃଷ୍ଟିରୁ ପ୍ରାଚୀ ନଦୀର ସ୍ଥାନ ସ୍ୱତନ୍ତ୍ର। ଇନ୍‌ଟାକ୍‌ ଓ ଏଏସ୍‌୍‌ଆଇର ଏହି ଉଦ୍ୟମ ପାଇଁ ଏହାର ଦର୍ଶନୀୟ ମୂଲ୍ୟବୋଧ ବୃଦ୍ଧି ପାଇବ ବୋଲି ବଟକୃଷ୍ଣ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.