ପଳାସୁଣିରୁ ରସୁଲଗଡ଼ ମରଣଯନ୍ତା ରାସ୍ତାରେ ଫୁଟିକିଆ ଖାଲ

ଭୁବନେଶ୍ୱର: ଗତ କିଛି ମାସ ମଧ୍ୟରେ ରାଜ୍ୟ ସରକାର ୫ରୁ ଅଧିକ ରାସ୍ତା ଏବଂ ବ୍ରିଜ୍‌ର ଶିଳାନ୍ୟାସ କରିସାରିଲେଣି। କେନ୍ଦ୍ର ସରକାର ବି ପଛରେ ପଡ଼ିନାହାନ୍ତି। ରାଜ୍ୟ ଭିତରେ ଶହ ଶହ କିଲୋମିଟରର ଜାତୀୟ ରାଜପଥ ନିର୍ମାଣ କରିବାକୁ ଲମ୍ବା ଚଉଡ଼ା ଯୋଜନା କରିଛନ୍ତି। ଏପରିକି ପ୍ରାୟ ୫ଟି ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ ବି ହୋଇଛି। କିନ୍ତୁ ପଳାସୁଣିରୁ ରସୁଲଗଡ଼ ପଡ଼ିଥିବା ସର୍ଭିସ ରୋଡ୍‌ର ସ୍ଥିତି ସୁଧାରିବାକୁ କାହାର ଚିନ୍ତା ନାହିଁ। ଯେଉଁ କାମରେ ସାବାସି ନେଇ ହେବ ତାହା ପଛରେ ସମସ୍ତେ ମାତିଛନ୍ତି। କିନ୍ତୁ ମରଣଯନ୍ତା ପାଲଟିଥିବା ପଳାସୁଣି-ରସୁଲଗଡ଼ ସର୍ଭିସ୍‌ ରୋଡ୍‌କୁ ସଜାଡ଼ିବାକୁ କର୍ତୃପକ୍ଷଙ୍କ ଯୋଜନା ଅଛି ବୋଲି ରାସ୍ତାକୁ ଦେଖିଲେ ମନେ ହେଉନି। ପଳାସୁଣିରୁ ରସୁଲଗଡ଼ ପ୍ରାୟ ୧କିମିର ରାସ୍ତା। ରାସ୍ତା ସାରା ଫୁଟିକିଆ ଖାଲ। ଖାଲ ନୁହେଁ ତ ମୃତ୍ୟୁକୁ ଆଲିଙ୍ଗନ କରିବାର ବାଟ। ଏତିକି ଦୂରତ୍ୱ ଅତିକ୍ରମ କରିବା ପାଇଁ ଯଦି ଫ୍ଲାଇଓଭର ବ୍ରିଜ୍‌ ଉପରେ କେହି ଆସିବେ ତେବେ ଦୁଇ ମିନିଟ୍‌ ଲାଗିବ। କିନ୍ତୁ ଯଦି ସର୍ଭିସ୍‌ ରୋଡ୍‌ରେ ରସୁଲଗଡ଼କୁ ଆସିବାକୁ ହେବ ତେବେ ୨୦ମିନିଟ୍‌ରୁ କମ୍‌ ସମୟ ଲାଗିବନି। ତାହା ପୁଣି ଯଦି କାର୍‌ରେ ଆସୁଥିବେ ରସୁଲଗୁଡ଼ରେ ପହଞ୍ଚିବାବେଳକୁ କାର୍‌ର ଆଗ ବମ୍ଫର୍‌ ଏବଂ ଅନ୍ୟ କିଛି ସରଞ୍ଜାମ ଭାଙ୍ଗି ଯାଇଥିବ। ଯଦି ବାଇକ୍‌ରେ ଆସୁଥିବେ ଟିକେ ଅସାବଧାନତା ଆପଣଙ୍କୁ ଗୁରୁତର କରିଦେବ ନଚେତ୍‌ ମୃତ୍ୟୁ ଭେଟିଦେବ। ଆଉ ଯଦି ଚାଲିକି ଆସୁଥିବେ, ଆପଣ ଯେତେ ସାବଧାନ ହୋଇ ଆସିଲେ ବି ଆପଣଙ୍କ ଉପରେ କେତେବେଳେ କେଉଁ ଗାଡ଼ି ଚଢ଼ିଯିବ ତାହା ଜାଣି ପାରିବେନି।

ଏହିଭଳି ଏକ ରାସ୍ତା ରାଜଧାନୀରେ ଅଛି ବୋଲି କହିବାକୁ ଯେତିକି ଲଜ୍ଜା ଲାଗୁଛି ତାହାଠାରୁ ଅଧିକ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପାରଙ୍ଗମତା ବିଷୟରେ ଭାବିଲା ବେଳକୁ ଦୁଃଖ ଲାଗୁଛି। ଦୁଇ ବର୍ଷରୁ ଅଧିକ ସମୟ ଧରି ଏହି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ ହେଁ କର୍ତୃପକ୍ଷଙ୍କର ଏଥିପ୍ରତି ନିଘା ନାହିଁ। ଦୈନିକ ହଜାର ହଜାର ଲୋକ ଏହି ରାସ୍ତାରେ ନିଜ ଜୀବନକୁ ପାଣି ଛଡ଼ାଇ ଯାତାୟାତ କରୁଛନ୍ତି। କିନ୍ତୁ ରାସ୍ତା ମରାମତି କରିବାକୁ କର୍ତୃପକ୍ଷ ହୃଦବୋଧ କରୁନାହାନ୍ତି।

ପ୍ରତିଦିନ ଦୁର୍ଘଟଣା ସତ୍ତ୍ୱେ କର୍ତୃପକ୍ଷ ଚେତୁ ନାହାନ୍ତି
ଅଢ଼େଇ ବର୍ଷ ହେଲା ଏହି ରାସ୍ତା ଏମିତି ହୋଇ ପଡ଼ିଛି। ପ୍ରତିଦିନ ଦୁର୍ଘଟଣା ଘଟୁଛି। ଲୋକ ତ ଏହି ରାସ୍ତାରେ ଯିବାକୁ ଡରୁଛନ୍ତି। ଯିଏ ସାହସ କରି ଏହି ରାସ୍ତାରେ ଯାଉଛି ସେ ରସୁଲଗଡ଼ରେ ପହଞ୍ଚିବ ବୋଲି ନିଶ୍ଚିତ ନୁହେଁ। କାରଣ ଟିକେ ଅସାବଧାନତା ହେଲେ ଖାଲରେ ଗଳି ପଡ଼ିବ, ଆଉ ପଛରୁ ଆସୁଥିବା ଗାଡ଼ି ଉପରେ ଚଢ଼ିଯିବ। ମାସେ ତଳେ ଏହି ରାସ୍ତାରେ ଏକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିଲେ। ଏହାପରେ ବି ଜାତୀୟ ରାଜପଥ କର୍ତୃପକ୍ଷ ଏହି ରାସ୍ତା ମରାମତି କରୁନାହାନ୍ତି।
ଭାସ୍କର ସାହୁ , ସ୍ଥାନୀୟ ବାସିନ୍ଦା

ପଳାସୁଣିରୁ ରସୁଲଗଡ଼ ଅଟୋ ଭଡ଼ା ୪୦ଟଙ୍କା
ରାସ୍ତାରେ ବଡ଼ ବଡ଼ ଖାଲ ଥିବାରୁ ଏଠାରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି। ବର୍ଷା ଦିନେ ଏହି ବାଟରେ ଲୋକ ଚାଲିକି ବି ଯାଇପାରୁନାହାନ୍ତି। କେବଳ ଲୋକ ନୁହେଁ କଟକ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ବସ୍‌ ବି ଏହି ରାସ୍ତାରେ ଆସୁନାହାନ୍ତି। ଓଭରବ୍ରିଜ୍‌ ଆରମ୍ଭରୁ ଓହ୍ଲାଇ ଦେଉଛନ୍ତି। ଯିଏ କଳ୍ପନା ଦିଗରେ ଯାଉଛନ୍ତି ସେମାନେ ଅଟୋ ଭଡ଼ା କରି ଯାଉଛନ୍ତି। ଏପରିକି ପଳାସୁଣିରୁ ରସୁଲଗଡ଼କୁ ଅଟୋ ଭଡ଼ା ୪୦ଟଙ୍କା ଦେବାକୁ ପଡ଼ୁଛି।
ମଳୟ ପ୍ରଧାନ,ସ୍ଥାନୀୟ ବାସିନ୍ଦା

ସ୍ମାର୍ଟ ସିଟିର ବାସିନ୍ଦା କହିବାକୁ ଲାଜ ମାଡ଼ୁଛି
ରାଜଧାନୀର ପ୍ରବେଶ ପଥ ଏହି ରାସ୍ତା ହୋଇଥିବାବେଳେ ଏହାର ସ୍ଥିତି ପୂରା ସହର ଉପରେ ପ୍ରଭାବ ପକାଉଛି। ଯିଏ ବି ଏହି ରାସ୍ତାରେ ଯାତାୟାତ କରୁଛନ୍ତି ତିକ୍ତ ଅନୁଭୂତି ନେଇ ଯାଉଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ମାନ୍ୟତା ପାଇଛି। କିନ୍ତୁ ଆମ ଘର ସମ୍ମୁଖରେ ଏହିଭଳି ରାସ୍ତା ଥିବାରୁ ଆମକୁ ସ୍ମାର୍ଟ ସିଟିର ବାସିନ୍ଦା କହିବାକୁ ଖରାପ ଲାଗୁଛି। ଭିଭିଆଇପି ମାନେ ଫ୍ଲାଇଓଭର ଉପରେ ଯାତାୟାତ କରୁଥିବାରୁ ଏହି ରାସ୍ତାର ସମସ୍ୟା ଦୂର କରିବାକୁ ପଦକ୍ଷେପ ନେଉନାହାନ୍ତି।
ପ୍ରଦୀପ କୁମାର ବାରିକ, ସ୍ଥାନୀୟ ବାସିନ୍ଦା

ଖୁବ୍‌ ଶୀଘ୍ର ମରାମତି ହେବ
ରସୁଲଗଡ଼ରୁ ପଳାସୁଣି ସର୍ଭିସ୍‌ ରୋଡ୍‌ର ଦୁରାବସ୍ଥା ନେଇ ଏନଏଚ୍‌ଏଆଇର ଆଞ୍ଚଳିକ ମୁଖ୍ୟଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏହି ସମସ୍ୟା ନେଇ ଆମେ ଅବଗତ ଅଛୁ। ଫ୍ଲାଇଓଭରର ଉଭୟ ପାର୍ଶ୍ୱରେ ଥିବା ସର୍ଭିସ୍‌ ରୋଡ୍‌ ମରାମତି ପାଇଁ ଆମେ ପଦକ୍ଷେପ ନେଉଛୁ। ରାସ୍ତା ମରାମତି ହେଲେ ଗାଡ଼ି ଚଳାଚଳ ବନ୍ଦ ହେବ। ଏଥିପାଇଁ କମିସନରେଟ୍‌ ପୁଲିସର ଅନୁମତି ମାଗିଛୁ। ଅନୁମତି ମିଳିଲେ ରାସ୍ତା ମରାମତି କାମ ଆରମ୍ଭ ହେବ।
ଡି.ଷଡ଼ଙ୍ଗୀ, ଏନ୍‌ଏଚ୍‌ଏଆଇ ଓଡ଼ିଶା ମୁଖ୍ୟ

ସମ୍ବନ୍ଧିତ ଖବର