ଭୁବନେଶ୍ୱର: ଅଗ୍ନିବର୍ଷୀ କବିତାର ପ୍ରତିଟି ପଙ୍କ୍ତିରେ ବିପ୍ଳବର ବହ୍ନି ଜାଳୁଥିବା ଓଡ଼ିଆ କାବ୍ୟ ଜଗତର ବରେଣ୍ୟ ସାରସ୍ୱତ ସ୍ରଷ୍ଟା ରବି ସିଂ ପାଇଛନ୍ତି ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ଆଜି ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ତାଙ୍କୁ ଓଡ଼ିଆ ସାହିତ୍ୟ ଜଗତର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଦେଇ ସମ୍ବର୍ଧିତ କରାଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରବି ସିଂଙ୍କୁ ସମ୍ବର୍ଧିତ କରିବା ସହ ଅନ୍ୟ ୧୫ ଜଣ ସାରସ୍ୱତ ସ୍ରଷ୍ଟାଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୭ର ସମ୍ବର୍ଧିତ ସାରସ୍ୱତ ପ୍ରତିଭାମାନେ ହେଲେ, ସନାତନ ମହାନ୍ତି, ରଜତ କୁମାର କର, ଭୂପେନ ମହାପାତ୍ର, ନବକିଶୋର ପୃଷ୍ଟି, ରାମଚନ୍ଦ୍ର ମହାନ୍ତ, ସୁରେନ୍ଦ୍ର କୁମାର ମହାରଣା, ତ୍ରିନାଥ ସାହୁ, ଲକ୍ଷ୍ମୀଧର ଜେନା, ବଂଶୀଧର ରାଉତ, ପଞ୍ଚାନନ ମିଶ୍ର, ଅଞ୍ଜଳି ପଣ୍ଡା, ନକୁଳ ଚନ୍ଦ୍ର ସାହୁ, ଅନିଲ ଚନ୍ଦ୍ର ଦାଶ, କୁମୁଦ ଚନ୍ଦ୍ର ଦାଶ ଏବଂ ଗୋବର୍ଧନ ନାୟକ। ମନ୍ତ୍ରୀ ଶ୍ରୀ ପଣ୍ଡା ସମ୍ବର୍ଧିତ କରି କହିଲେ, ସଂସ୍କୃତି ବିଭାଗ ପର୍ଯ୍ୟଟନ ବିଭାଗଠାରୁ ପୃଥକ ହେବା ପରେ ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ’ ନାମରେ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଭାଷା କମିସନ୍ ଗଠନ ହେବାକୁ ଯାଉଥିବା ବେଳେ ଐତିହ୍ୟ କ୍ୟାବିନେଟ୍ ସୃଷ୍ଟି ହେବା ନେଇ ସେ ସୂଚନା ଦେଇଛନ୍ତି। ପୁଣି ଆସନ୍ତାକାଲି ପୁରୀରେ ସଂସ୍କୃତି ଭବନର ଉଦ୍ଘାଟନ କରାଯିବା ନେଇ ଘୋଷଣା କରିଛନ୍ତିି ମନ୍ତ୍ରୀ ଶ୍ରୀ ପଣ୍ଡା। ସମ୍ମାନିତ ଅତିଥି ତଥା ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ କହିଲେ, ସାହିତ୍ୟ ଏକାଡେମି ନିଜର ଲକ୍ଷ୍ୟ ସାଧନ ପଥରେ ଅଗ୍ରସର ହୋଇ ସମସ୍ତ ପୁରସ୍କାର ଚଳିତ ବର୍ଷ ଶେଷ କରିପାରିଛି। ତେଣୁ ବାକିଆ ପୁରସ୍କାର ପ୍ରଦାନ ସରିଥିବାରୁ ଏକାଡେମି ନୂଆ କାର୍ଯ୍ୟପନ୍ଥା ନେଇ ଆଗେଇବ ବୋଲି ସେ କହିଥିଲେ। ଏକାଡେମିର ସଭାପତି ହରିହର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ରବି ସିଂ ବିପ୍ଳବୀ କବିତାର ପଙ୍କ୍ତିରେ ବିଭୋର କରିଥିଲେ। ପ୍ରାରମ୍ଭରେ ଏକାଡେମିର ସଚିବ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଗାୟତ୍ରୀ ସରାଫ୍ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ.ମୃତ୍ୟୁଞ୍ଜୟ ରଥ।