ରାଜଧାନୀରେ ଜଳବନ୍ଦୀ ସମସ୍ୟା ଦାୟୀ କିଏ?

ମିଳିମିଶି ବନ୍ୟା କରିଛନ୍ତି, କାହାର କେଉଁ ଦୋଷ ପାଇଁ ଜଳବନ୍ଦୀ ହେଲା

0 78

ଭୁବନେଶ୍ୱର: ଚଳିତ ମୌସୁମୀ ବର୍ଷା ରାଜଧାନୀବାସୀଙ୍କୁ ପୂରା ଡରାଇ ଦେଇଛି। ଲୋକ ଏମିତି ସ୍ଥିତିରେ ଅଛନ୍ତି ଯେ ଆକାଶରେ ବର୍ଷା ହେଲେ ଛାତିରେ ଛନକା ପଶିଯାଉଛି। କାରଣ ଅସରାଏ ବଡ଼ ବର୍ଷା ରାଜଧାନୀ ଭିତରେ କେଉଁଠି ଉଚ୍ଚା କେଉଁଠି ଖାଲ କିଛି ମାନୁନି। ସବୁଠି ଜୁଆର ଭଳି ପାଣି ମାଡ଼ୁଛି। ରାସ୍ତାଘାଟରୁ ଆରମ୍ଭ କରି ଶୋଇବା ଘର ପର୍ଯ୍ୟନ୍ତ ସବୁଠି ଅଣ୍ଟେ ଉଚ୍ଚରେ ପାଣି ଜମା ହେଉଛି। ଯିଏ ଉଚ୍ଚା ସ୍ଥାନରେ ଘର କରିଛନ୍ତି ବୋଲି ଆଗରୁ ଛାତି ଫୁଲାଇ ଚାଲୁଥିଲେ ସେମାନଙ୍କ ଘରେ ବି ଏଥର ଆଣ୍ଠୁଏ ପାଣି। ଜୁଲାଇ ମାସରେ ରାଜଧାନୀ ଯେପରି ଜଳବନ୍ଦୀ ହେଲା ସେଭଳି ସ୍ଥିତି ଆଗରୁ କେବେ ସୃଷ୍ଟି ହୋଇନଥିଲା। ଏହାପରେ କିଏ ବିଏମ୍‌ସିର ଡ୍ରେନେଜ୍‌ ବ୍ୟବସ୍ଥାକୁ ଦାୟୀ କରୁଛନ୍ତି ତ କିଏ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଫ୍ଲାଇ ଓଭର ନିର୍ମାଣ ଶୈଳୀକୁ। କିନ୍ତୁ ପ୍ରକୃତରେ ରାଜଧାନୀର ଜଳବନ୍ଦୀ ସମସ୍ୟା ପାଇଁ ଦାୟୀ କିଏ? ରାଜଧାନୀର ପୂରା ବ୍ୟବସ୍ଥାକୁ ଦେଖିଲେ ବିଏମ୍‌ସି, ବିଡିଏ, ପୂର୍ତ୍ତ ବିଭାଗ, ଓପିଟିସିଏଲ୍‌, ଜଳସମ୍ପଦ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ରାଜସ୍ୱ ବିଭାଗ ସମସ୍ତେ ହିଁ ଏହି ଜଳବନ୍ଦୀ ସମସ୍ୟା ପାଇଁ ଉଣା ଅଧିକେ ଦାୟୀ। ଏହି ସବୁ ବିଭାଗର ବେପରୁଆ ମନୋଭାବ ଏବଂ ଅଣଯୋଜନାଭିତ୍ତିକ କାର୍ଯ୍ୟଶୈଳୀ ଯୋଗୁଁ ହିଁ ରାଜଧାନୀରୁ ବର୍ଷା ଜଳ ନିଷ୍କାସନ ହୋଇପାରିଲାନି। କିନ୍ତୁ ସମସ୍ତେ ବିଏମ୍‌ସି ଉପରେ ଦୋଷ ଲଦି ଚୁପ୍‌ଚାପ୍‌ ବସି ପଡ଼ିଲେ। ରାଜଧାନୀବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବା ବିଏମ୍‌ସିର କର୍ତ୍ତବ୍ୟ ହୋଇଥିବାରୁ ବିଏମ୍‌ସି ହିଁ ଅଧିକ ପରିମାଣରେ ଦାୟୀ।

ବିଏମ୍‌ସି: ଚଳିତ ବର୍ଷାରେ ରାଜଧାନୀରେ ଯେଉଁଭଳି ଜଳବନ୍ଦୀ ସମସ୍ୟା ହେଲା ତାହାର କାରଣ ହେଲା ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ କି ରାଜଧାନୀ ଭିତରେ ଥିବା ଅନ୍ୟ ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇପାରିଲାନି। ଡ୍ରେନ୍‌ଗୁଡ଼ିକୁ ପରବର୍ତ୍ତୀ ସମୟରେ ସଫା କରିବାରୁ ଦେଖାଗଲା ଏଥିରୁ ଯେତିକି ଆବର୍ଜନା ବାହାରିଲା ସେଥିରେ ଅଧାରୁ ଅଧିକ ପ୍ଲାଷ୍ଟିକ୍‌ ଆବର୍ଜନା ଥିଲା। କୁଢ଼କୁଢ଼ ପଲିଥିନ୍‌, ପ୍ଲାଷ୍ଟିକ୍‌ ବୋତଲ ବାହାରିଲା। ଯଦି ବିଏମ୍‌ସି ପକ୍ଷରୁ ଠିକ୍‌ ଭାବେ ସଫେଇ ହୋଇଥାନ୍ତା ବା ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଲାଗିଥାନ୍ତା, ତେବେ ଏହି ସମସ୍ୟା ଉପୁଜିନଥାନ୍ତା। କେବଳ ଏତିକି ନୁହେଁ ଡ୍ରେନ୍‌ଗୁଡ଼ିକୁ ବର୍ଷା ଦିନ ପୂର୍ବରୁ ଡିସିଲଟିଂ କରାଯାଇନଥିବାରୁ ପୋତି ହୋଇ ଯାଇଥିବା ଡ୍ରେନ୍‌ରେ ପାଣି ଯେପରି ବହିବା କଥା ବହିଲାନି।

ବିଡିଏ: ରାଜଧାନୀରେ କେତେକ ଘର ବେଆଇନ ଭାବେ ନିର୍ମାଣ ହୋଇଛି। କିନ୍ତୁ ଯେତିକି ଘର ପ୍ଲାନ୍‌ରେ ନିର୍ମାଣ ହୋଇଛି, ସେଥିରୁ ୯୯% ଘରର ପ୍ଲାନ୍‌ ବିଡିଏ ଅନୁମୋଦନ କରିଛି। ପ୍ଲାନ୍‌ ଦେବା ବେଳେ କର୍ତ୍ତୃପକ୍ଷ ଦେଖିଲେନି ଘର ପାଖରେ ଡ୍ରେନ୍‌ ଯାଇଛି ନାଳ ଅଛି। ଖାଲୁଆ ଜମି କି ପୂର୍ବରୁ କେଉଁ କିସମର ଥିଲା। ଯେଉଁଠି ଘରବାଡ଼ି କିସମର ଦେଖିଲେ ସେଠାରେ ପ୍ଲାନ୍‌ ଦେଇଦେଲେ। ଏପରିକି ବିଡିଏ ଗଠନ ହେବା ପରେ ପ୍ରାୟ ତିନି ଥରରୁ ଅଧିକ ଥର ସିଡିପି ପ୍ରସ୍ତୁତ ହୋଇଥିଲେ ହେଁ କେବଳ ନକ୍ସାରେ ଓସାରିଆ ଡ୍ରେନ୍‌, ରାସ୍ତା ଚିହ୍ନ ରଖାଯାଇଛି। କିନ୍ତୁ ଏହା କିପରି ବାସ୍ତବ ରୂପ ନେବ, ସେନେଇ ପଦକ୍ଷେପ ନିଆଯାଇନି। ଏବେ ରାଜଧାନୀ ଜଳବନ୍ଦୀ ହେବା ପରେ ଗୋଟିଏ ପରେ ଗୋଟିଏ ପ୍ଲାନ୍‌ ବାତିଲ୍‌ କରାଯାଉଛି। ଏହା ଆଗରୁ କରିବାକୁ କର୍ତ୍ତୃପକ୍ଷଙ୍କ ମୁଣ୍ଡକୁ କେମିତି ବୁଦ୍ଧି ଜୁଟି ନଥିଲା ବୋଲି ପ୍ରଶ୍ନ ଉଠିଲାଣି।

ପୂର୍ତ୍ତ ବିଭାଗ: ରାଜଧାନୀର ପ୍ରମୁଖ ଅଞ୍ଚଳରେ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରିଛି। ପୂର୍ତ୍ତ ବିଭାଗର ୫୧୮.୧୮୩କିମି ରାସ୍ତା ଥିବା ବେଳେ ସବୁ ରାସ୍ତା କଡ଼ରେ ଡ୍ରେନ୍‌ ନାହିଁ। ମାତ୍ର ୨୨୮.୮୩କିମିର ଡ୍ରେନ୍‌ ଅଛି। ହେଲେ ଏହି ଡ୍ରେନ୍‌ ନିର୍ମାଣ ହେବା ଦିନରୁ କେବେ ସଫା ହୋଇନି। ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ କହୁଛନ୍ତି ଡ୍ରେନ୍‌ ନିର୍ମାଣ କରିବା ଆମ ଦାୟିତ୍ୱ। ସଫେଇ କରିବା ବିଏମ୍‌ସିର ଦାୟିତ୍ୱ। ଏଥିପାଇଁ ଆମର ବଜେଟ୍‌ ନାହିଁ। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ ପୂର୍ତ୍ତ ବିଭାଗ ଡ୍ରେନ୍‌ ସଫେଇ ପାଇଁ ଅର୍ଥ ଦେଲେ ଆମେ ନିୟମିତ ସଫେଇ କରିବାରେ କିଛି ଅସୁବିଧା ନାହିଁ। ବିଏମ୍‌ସିର ସୀମିତ ସମ୍ବଳରେ ୨୦୦କିମିରୁ ଅଧିକ ଡ୍ରେନ୍‌ ସଫା କରିବା ସମ୍ଭବ ନୁହେଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷ: ଜାତୀୟ ରାଜପଥ- ୧୬ ଉପରେ ପଳାସୁଣିରୁ ବରମୁଣ୍ଡା ପର୍ଯ୍ୟନ୍ତ ଫ୍ଲାଇ ଓଭର ନିର୍ମାଣ ହେବା ପରେ ରାଜଧାନୀରେ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି। ବ୍ରିଜ୍‌ ନିର୍ମାଣ ଶୈଳୀ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଥିଲେ ହେଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ମାନୁନାହାନ୍ତି। ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜଧାନୀରେ ଯେକୌଣସି ପ୍ରକାରର ନିର୍ମାଣ ହେବ ସେଥିପାଇଁ ବିଡିଏ କି ବିଏମ୍‌ସିର ଅନୁମତି ନେବା ଦରକାର। କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଫ୍ଲାଇ ଓଭର ନିର୍ମାଣ ପାଇଁ କୌଣସି ଅନୁମତି ନେଇନାହାନ୍ତି। ଆମ ନିକଟରେ ପ୍ଲାନ୍‌ ଦାଖଲ କରିଥିଲେ ଆମେ ବର୍ଷା ଜଳ ନିଷ୍କାସନ ନେଇ କିଛି ପ୍ରସ୍ତାବ ଦେଇପାରିଥାନ୍ତୁ।

ରାଜସ୍ୱ ବିଭାଗ: ଘର ପ୍ଲାନ୍‌ ଓ ଘର ନିର୍ମାଣରେ ସମସ୍ୟା ଯୋଗୁଁ ଜଳବନ୍ଦୀ ସମସ୍ୟା ହେଲା ବୋଲି କହୁଛନ୍ତି। କିନ୍ତୁ ଘର ନିର୍ମାଣ ପାଇଁ ଲୋକ ଜମି କିଣିବା ପୂର୍ବରୁ ହେଉ କି ପରେ ଏହାକୁ ଘରବାଡ଼ି କିସମ କରିଥିଲା ରାଜସ୍ୱ ବିଭାଗ। ଯେଉଁଠି କୃଷି ଜମି ଥିଲା, ଯେଉଁଠି ପାଣି ଜମୁଥିଲା, ସେଗୁଡ଼ିକୁ ଚାଷ ଜମି କିସମରୁ ଘରବାଡ଼ି କିସମକୁ ବଦଳାଇ ଦେଲେ। ହେଲେ ଘରବାଡ଼ି କିସମ ପରିବର୍ତ୍ତନ କରିବା ପୂର୍ବରୁ ରାଜସ୍ୱ ବିଭାଗ ଅଧିକାରୀ ଦେଖିବାର ଥିଲା ଏହା ପ୍ରାକୃତିକ ଜଳ ପ୍ରବାହକୁ ପ୍ରଭାବିତ କରୁଛି କି ନାହିଁ, ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଅଛି କି ନାହିଁ। ଯଦି ଜନସଂଖ୍ୟା ବଢ଼ୁଥିବାରୁ ଅଧିକ ଘର ଦରକାର ଥିଲା ବୋଲି ଆବଶ୍ୟକତା ମନେ କରି କିସମ ପରିବର୍ତ୍ତନ କଲେ, ତେବେ ବିଡିଏ ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇ ଉକ୍ତ ଅଞ୍ଚଳରେ ପ୍ରଶସ୍ତ ଡ୍ରେନ୍‌ ନିର୍ମାଣ କରିବାର ଥିଲା ବୋଲି କୁହାଯାଉଛି।

ଜଳସମ୍ପଦ ବିଭାଗ: ରାଜଧାନୀରେ ଜଳ ନିଷ୍କାସନ ୧୦ଟି ମୁଖ୍ୟ ଡ୍ରେନ୍‌ ଦେଇ ହେଉଥିଲେ ହେଁ ଏହା ଗଙ୍ଗୁଆ ଓ ଦୟାେଓ୍ଵଷ୍ଟ କେନାଲରେ ମିଶିଛି। ହେଲେ ଏହି ଦୁଇଟି ନାଳ ପୋତି ହୋଇଯାଇଥିବାରୁ ଏବଂ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାରୁ ଏଥିରେ ପାଣି ନିଷ୍କାସନ ହୋଇପାରୁନି। ଏହାବାଦ୍‌ ବିଏମ୍‌ସିକୁ ଡ୍ରେନେଜ୍‌ ବିଭାଗ ଆସିବା ପୂର୍ବରୁ ଜଳସମ୍ପଦ ବିଭାଗ ଅଧୀନର ରାଜଧାନୀର ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଥିଲା। କିନ୍ତୁ ଜଳସମ୍ପଦ ବିଭାଗ ଏହାର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରିନଥିବାରୁ ଏହାର ପାଚେରି ଅନେକ ସ୍ଥାନରେ ଭୁଶୁଡ଼ି ପଡ଼ିଥିବା ବେଳେ ଏହା ସଂକୁଚିତ ହୋଇଯାଇଛି। ଏପରିକି ଏଥିରେ ବହୁଥିବା ପାଣି କିପରି ଗଙ୍ଗୁଆ ଓ ଦୟାେଓ୍ଵଷ୍ଟ କେନାଲରେ ଠିକ୍‌ ଭାବେ ମିଶିବ, ତାହା ବ୍ୟବସ୍ଥା କରାଯାଇନି।

ଓପିଟିସିଏଲ୍‌: ଓପିଟିସିଏଲ୍‌ ପକ୍ଷରୁ ରାଜଧାନୀରେ ଏବେ ଭୂତଳ କେବୁଲିଂ କାର୍ଯ୍ୟ ଚାଲିଥିବାରୁ ରାଜଧାନୀର ସମସ୍ତ ପ୍ରମୁଖ ଅଞ୍ଚଳର ରାସ୍ତା ଖୋଳା ଯାଇଛି। କେତେକ ସ୍ଥାନରେ କାମ ସରିଥିଲେ ବି ରାସ୍ତା ମରାମତି କରାଯାଇନି। ଫଳରେ ରାସ୍ତା ଉପରେ ମାଟି ଗଦା ହୋଇ ରହିଛି। ଯାହା ବର୍ଷାରେ ଧୋଇ ହୋଇ ଡ୍ରେନ୍‌ରେ ପଶିବାରୁ ଡ୍ରେନ୍‌ ପୋତି ହୋଇଗଲା। ଯେତିକି ପାଣି ବହିବା କଥା ତାହା ବହିପାରିଲାନି। ହେଲେ ଓପଟିସିଏଲ୍‌ କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନିଘା ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.