୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ମହୋତ୍ସବ : ୭ ଜଣଙ୍କୁ ‘ରାଜଧାନୀଶ୍ରୀ ସମ୍ମାନ-୨୦୧୮’

ଭୁବନେଶ୍ୱର : ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଇନ୍ଦିରା ଗାନ୍ଧୀ ପାର୍କ ପରିସର ରାଜଧାନୀ ମଣ୍ଡପଠାରେ ‘ରାଜଧାନୀ ପ୍ରତିଷ୍ଠା ଦିବସ ମହୋତ୍ସବ’ ଗତକାଲିଠାରୁ ଆରମ୍ଭ ହୋଇଛି। ଖୋର୍ଧା ଜିଲ୍ଲା ପ୍ରଶାସନ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ମିଳିତ ଆନୁକୂଲ୍ୟରେ ଏହାର ଆୟୋଜନ କରାଯାଉଛି। ଗତକାଲିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଥିଲେ ରାଜ୍ୟ ମହିଳା ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ପୁଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ ଏବଂ ଆୟକର କମିସନ ଶରତ ଦାଶ ପ୍ରମୁଖ। ରାଜଧାନୀ ଭୁବନେଶ୍ୱର ଐତିହ୍ୟ ଓ ଆଧୁନିକତାର ମିଳନସ୍ଥଳୀ ହୋଇଥିବାରୁ ଏହାର ସର୍ବାଙ୍ଗୀନ ବିକାଶ ଦିଗରେ ସରକାରୀ ଓ ବେସରକାରୀସ୍ତରରେ ମିଳିତ ଅଭିଯାନର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବରିଷ୍ଠ ପ୍ରଶାସକ ଶରତ ଦାଶ, ଆଇନଜୀବୀ ମହମ୍ମଦ ଜିଆଉଲ୍‌ହକ୍‌, ସମାଜସେବୀ ସୌରେନ୍ଦ୍ର କୁମାର ମହାପାତ୍ର, ଚିକିତ୍ସକ ଅମିତ ପାଟ୍ଟଶାଣୀ, ଅଭିନେତା ଅଶ୍ୱନୀ କୁମାର ବ୍ରହ୍ମା, ଅଭିନେତ୍ରୀ ପୁନମ୍‌ ମିଶ୍ର, ଫେମିନା ମିସ୍‌ ଇଣ୍ଡିଆ-ଓଡ଼ିଶା ଶ୍ରୁତିକ୍ଷା ନାୟକଙ୍କୁ ‘ରାଜଧାନୀଶ୍ରୀ ସମ୍ମାନ-୨୦୧୮’ରେ ସମ୍ମାନିତ କରାଯାଇଥିଲା। ସ୍ୱତନ୍ତ୍ର ସମ୍ମାନରେ ବିଶିଷ୍ଟ ସମାଜସେବୀ ସ୍ନେହପ୍ରଭା ଦାଶ, ସଂଗଠକ ବିଷ୍ଣୁଚରଣ ବିଶୋୟୀ ଓ ଗୌରଚନ୍ଦ୍ର ମହାପାତ୍ର ଏବଂ ପରେଡ୍‌ କମାଣ୍ଡର ଭାବେ ସୁଷମା ମହାନ୍ତି, ଆସିଷ୍ଟାଣ୍ଟ ପରେଡ୍‌ କମାଣ୍ଡର ଭାବେ ପ୍ରେମଲତା ନାୟକ, ହରିପ୍ରିୟା ଦାସ ଓ ପ୍ରଭାତ ସିଂହଙ୍କୁ ସମ୍ମାନିତ କରାଯାଇଥିଲା। ତା’ ସହ ସିଆରପିଏଫ ଏବଂ ଓଡ଼ିଶା ସପ୍ତମ ବାଟାଲିୟନ ବ୍ରାସବ୍ୟାଣ୍ଡ ମୁଖ୍ୟଙ୍କୁ ସମ୍ବର୍ଧିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା କଲେଜଗୁଡିକୁ ସମ୍ବର୍ଧିତ କରାଯାଇଥିଲା। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିିର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କମିଟିର ସାଧାରଣ ସଂପାଦକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ କମିଟିର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ଦ୍ୱିତୀୟ ଦିବସରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆସନ୍ତାକାଲି ମହୋତ୍ସବ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର