‘ରମ୍ବଲ ଆଣ୍ଡ୍‌ ରିଦିମ୍‌’ ନୃତ୍ୟ ବଖାଣିଲା ଉତ୍କଳ ଗାଥା

ଭୁବନେଶ୍ବର: ଉତ୍କଳ ପ୍ରଦେଶର କଳା, ସଂସ୍କୃତି ଓ ଗୌରବର ଗାଥାକୁ ଓଡ଼ିଶୀ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ ଶିଳ୍ପୀବୃନ୍ଦ। ଦଳଗତ ନୃତ୍ୟରେ ‘ଉତ୍କଳଗାଥା’କୁ ପରସି ଦେଇ ଲିଙ୍ଗରାଜଙ୍କଠାରୁ ଆରମ୍ଭ କରି ଶ୍ରୀଜଗନ୍ନାଥ, କୋଣାର୍କ ସୂର୍ଯ୍ୟମନ୍ଦିର, ପିପିଲି ଚାନ୍ଦୁଆ, ଖୋର୍ଧା ପାଇକ ନୃତ୍ୟ, ଚିଲିକାର କାଳିଜାଈ ଏବଂ କଳାହାଣ୍ଡିର ଘୁମର ନୃତ୍ୟ, ମୟୂରଭଞ୍ଜର ଛଉନୃତ୍ୟ ଓ ଧଉଳିରେ ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ ହେବାର କଥାବସ୍ତୁକୁ ନୃତ୍ୟରେ ନିଖୁଣ ଭାବେ ପରସି ଦେଇଥିଲେ ନୃତ୍ୟଶିଳ୍ପୀବୃନ୍ଦ। ଅବସର ଥିଲା ‘ଡିଭାଇନ୍‌ ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ୍‌ ଏକାଡେମି’ର ୧୯ତମ ବାର୍ଷିକୋତ୍ସବ ଅବସରରେ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ‘ରମ୍ବଲ ଆଣ୍ଡ ରିଦିମ୍‌’ କାର୍ଯ୍ୟକ୍ରମ। ପରେ ବିଭିନ୍ନ ଶାସ୍ତ୍ରୀୟ, ଲୋକନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା। ୧୨୦ ଜଣ କଳାକାର ଯୋଗ ଦେଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଲକିଂ ଆଣ୍ଡ୍‌ ପପିଂ ଡ୍ୟାନ୍ସିଂ ଷ୍ଟାର୍‌ ହରିହର ଦାଶଙ୍କ ନୃତ୍ୟ। ଏକାଡେମିର ମୁଖ୍ୟ ପରିଚାଳିକା ଚନ୍ଦ୍ରିକା ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଣ୍ଡସ୍‌ଟେକ୍‌ ଟେକ୍ନୋଲୋଜିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଆର୍‌. କେ. ଦେ, ଓଡ଼ିଶୀ ନୃତ୍ୟ ଗୁରୁ ପୁଷ୍ପିତା ମିଶ୍ର ଓ ଆସାନି ଆବାକସ୍‌ର ପରିଚାଳନା ନିର୍ଦ୍ଦେଶକ ଆ‌ର୍‌.କେ. ଗୌଡ଼ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏକାଡେମି ଦ୍ବାରା ପୂର୍ବରୁ ଆୟୋଜିତ ‘ଡିଭାଇନ୍‌ ଟ୍ୟାଲେଣ୍ଟ ହଣ୍ଟ୍‌-୨୦୧୯’ର କୃତୀ ପ୍ରତି‌ଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଭାଇନ୍‌ ଟ୍ରଷ୍ଟ୍‌ ଫର୍‌ ଭିଜନ୍‌ ଆଣ୍ଡ୍‌ ଭାଲ୍ୟୁଜ୍‌ର ମ୍ୟାନେଜିଂ ଟ୍ରଷ୍ଟି ବିଜୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଲିପ୍‌ସା ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର