ଅଧ୍ୟାପିକାଙ୍କ ଘରେ ସେକ୍ସ ର‍୍ୟାକେଟ୍‌!

ବାଲିଅନ୍ତା: ଜଣେ ଓଡ଼ିଆ ଅଧ୍ୟାପିକାଙ୍କ ଘରେ ସେକ୍ସ ର‍୍ୟାକେଟ ଚାଲିଥିବା ବିଷୟ ଜଣା ପଡ଼ିବା ପରେ ଆଜି ପୂର୍ବାହ୍ନରେ ବାଲିଅନ୍ତା ଥାନା ଅନ୍ତର୍ଗତ ବ୍ରାହ୍ମଣଷଡ଼ଙ୍ଗୀରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକ ଖବର ପାଇବା ପୂର୍ବରୁ ଘଟଣାସ୍ଥଳରୁ ଦୁଇ ଜଣ ଦେହଜୀବୀ କୌଶଳକ୍ରମେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଘଟଣାରେ ସଂପୃକ୍ତ ଦଲାଲକୁ ଉତ୍ତ୍ୟକ୍ତ ଯୁବକ ନିସ୍ତୁକ ଛେଚି ପୁଲିସର ଜିମା ଦେଇଛନ୍ତି। ସ୍ଥାନୀୟ ସରପଞ୍ଚ ମୁରଲୀ ସାହୁ ମଧ୍ୟ ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏଭଳି ଘଟଣା ରାଜଧାନୀ ଉପକଣ୍ଠରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁଯାୟୀ ଗତ ଏକ ମାସ ହେଲା ଅଧ୍ୟାପିକାଙ୍କ ଘରର ତଳ ମହଲାରେ ଏପରି ଦେହ ବ୍ୟବସାୟ ଚାଲିଥିଲା। ମାତ୍ର ପ୍ରଥମେ ପ୍ରଥମେ କେହି କିଛି ସନ୍ଦେହ କରି ନଥିଲେ। ପରେ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଅଜଣା ଯୁବକ ଯୁବତୀଙ୍କର ଯିବା ଆସିବା ଲାଗି ରହିବାରୁ ଲୋକଙ୍କ ସନ୍ଦେହ ବଢ଼ିଥିଲା। ଗ୍ରାମବାସୀମାନେ ଏ ସଂପର୍କରେ ଜାଣିବା ପରେ ପୁଲିସ ଚଢ଼ଉ ଭୟରେ ପୂର୍ବାହ୍ନରେ ଘରେ ଥିବା ଦୁଇ ଯୁବତୀ ଅନ୍ୟ ଜଣେ ଯୁବକ ସହ ଖସି ପଳାଇଥିଲେ। ହେଲେ ଗ୍ରାମର ଯୁବକମାନେ ଦଲାଲକୁ କାବୁ କରିବାରୁ ରହସ୍ୟ ଜଣାପଡ଼ିଥିଲା। ଏ ସଂପର୍କରେ ଖବର ପାଇ ବାଲିଅନ୍ତା ଥାନା ପୁଲିସ ସେଠାରେ ପହଞ୍ଚି ଦଲାଲକୁ ଉଦ୍ଧାର କରିଥିଲା। ଲୋକଙ୍କ ଗୋଇଠା ଓ ମୁଥ ମାଡ଼ରେ ଆହତ ଦଲାଲକୁ ପୁଲିସ ଚିକିତ୍ସା ପାଇଁ ଡାକ୍ତରଖାନରେ ଭର୍ତି କରିଛି। ଫେରାର ମହିଳାଙ୍କ ଘର ନୂଆପଲ୍ଲୀ ଥାନା ସାଲିଆସାହିରେ ବୋଲି ଗ୍ରାମବାସୀମାନେ କହିଛନ୍ତି। ଏ ସଂପର୍କରେ ଖବର ପାଇ ସାଲିଆସାହିର ମହିଳାମଣ୍ଡଳ ବ୍ରାହ୍ମଣଷଡ଼ଙ୍ଗୀ ଗ୍ରାମରେ ପହଞ୍ଚିବା ସହ ଥାନାକୁ ଯାଇଥିଲେ। ଅନ୍ୟପକ୍ଷରେ ଥାନା ହାଜତରେ ଅଟକ ଥିବା ଯୁବକଙ୍କ ଘର ନିଆଳି ଥାନା ଅନ୍ତର୍ଗତ ଅଂଳ ଗ୍ରାମରେ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର