୮ ଶିଳ୍ପୀ ପାଇବେ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର

ଭୁବନେଶ୍ୱର : ଚିତ୍ର ଓ ଭାସ୍କର୍ଯ୍ୟରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ୮ ଶିଳ୍ପୀ ପାଇବେ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର। ୨୦୧୬ ନିମନ୍ତେ ଦିଲ୍ଲୀପ ମାଝି, ଗଗନ ବିହାରୀ ମଣ୍ଡଳ, ଜିତେନ୍ଦ୍ର କୁମାର ପରିଡ଼ା, କଳ୍ପତରୁ ମହାରଣା, ନୃସିଂହ ଚରଣ ଓଝା, ଏନ୍‌ ଉମାଶଙ୍କର ଆଚାର୍ଯ୍ୟ, ପି ମଲ୍ଲିକ ଏବଂ ସୁଜିତ କୁମାର ସେଠ୍‌ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ୨୮ ତାରିଖରେ ବୁଦ୍ଧ ଆର୍ଟ ଗ୍ୟାଲେରି ପରିସରରେ ୩୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରାଯିବ। ରାଜ୍ୟ ଅଭିଲେଖାଗାରରେ ଏକାଡେମି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରାଯାଇଛି।

ଏକାଡେମି ପକ୍ଷରୁ ଏହି ପୁରସ୍କାର ପାଇଁ ପ୍ରଥମେ ନିଜ କଳାକୃତିର ଫଟୋ ଆହ୍ଵାନ କରାଯାଇଥିବା ବେଳେ ୩୧୯ ଶିଳ୍ପୀଙ୍କଠାରୁ ୫୧୮ଟି ଫଟୋ ଗ୍ରହଣ କରାଯାଇଥିଲା। ସେଥିରୁ ୧୫୦ ଜଣ ଶିଳ୍ପୀଙ୍କ ମୂଳ କଳାକୃତି ଚୟନ କରାଯାଇଥିଲା। ପରେ ୧୩୮ ଜଣଙ୍କ କଳାକୃତି ମଧ୍ୟରୁ ୮ଟି ଚୟନ କରାଯାଇଥିଲା। ପ୍ରଫେସର ଦୀପ୍ତି ପ୍ରକାଶ ମହାନ୍ତି, ରବୀନ୍ଦ୍ର ଭରଦ୍ୱାଜ, ଡ. ମହେଶ ପ୍ରଜାପତି, ପ୍ରଫେସର ଭିଡି ସାବେଲ୍‌ ଏବଂ ଦିନବନ୍ଧୁ ମହାପାତ୍ର ବିଚାରକ ଭାବେ ଚିତ୍ରଗୁଡ଼ିକୁ ଚୟନ କରିଥିଲେ। ପୁରସ୍କାର ପ୍ରଦାନ ଅବସରରେ ସମସ୍ତ ଚିତ୍ର ଓ କଳାକୃତି ଗ୍ୟାଲେରି ପରିସରରେ ମେ ମାସ ୪ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍‌ଣ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ। କଳାକୃତିଗୁଡ଼ିକୁ ଏକାଠି କରି ଏକ ରଙ୍ଗିନ ଚିତ୍ର ପୁସ୍ତିକା କରାଯାଇଥିବା ବେଳେ ତାହା ମଧ୍ୟ ଉନ୍ମୋଚନ କରାଯିବ। ଏଥିସହ ୮ମରୁ ୧୦ମ ଶ୍ରେଣୀରେ ଅଧ୍ୟୟନରତ ଚିତ୍ରପ୍ରେମୀ ଛାତ୍ରଛାତ୍ରୀମାନେ ୨୮ ତାରିଖ ଦିନ ସାଢ଼େ ୪ଟାରୁ ସାଢ଼େ ୫ଟା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ସ୍ପଟ୍‌ ପେଣ୍ଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର କୃତିତ୍ୱ ପ୍ରଦର୍ଶନ କରିପାରିବେ। ପ୍ରଥମରୁ ତୃତୀୟ ହୋଇଥିବା ଶିଶୁ ଶିଳ୍ପୀଙ୍କୁ ୫ ହଜାର, ୩ ହଜାର ଏବଂ ୨ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ପୁରସ୍କୃତ କରାଯିବ। ୭ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ।

ଆଜି ଅଭିଲେଖାଗାର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଲଳିତ କଳା ଏକାଡେମିର ସଚିବ ମାନସ ରଂଜନ ଜେନା, କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ କୁମାର ସ୍ୱାଇଁ ଏବଂ ପ୍ରସନ୍ନ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର