ନନ୍ଦନକାନନରେ ବାଘୁଣୀ ‘ବିଜୟା’ ଜନ୍ମଦେଲା ୨ଟି ସନ୍ତାନ, ବାଘ ସଂଖ୍ୟା ପହଞ୍ଚିଲା ୨୬

ଭୁବନେଶ୍ୱର: ରାଜଧାନୀର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପାଇଁ ବାଘୁଣୀ ‘ବିଜୟା’ ଖୁସି ଖବର ଆଣିଛି। ବିଜୟା ଶନିବାର ୨ଟି ଶାବକ ଜନ୍ମ ଦେଇଛି। ଏହା ପରେ ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬ରେ ପହଞ୍ଚିଛି। ବିଜୟା ଆଜି ସକାଳ ୭ଟା ୫ରେ ପ୍ରଥମ ସନ୍ତାନ ଜନ୍ମ ଦେଇଥିବା ବେଳେ ୫୫ ମିନିଟ ପରେ ଅର୍ଥା ୮ଟାରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛି। ନନ୍ଦନକାନନକୁ ଆସିଥିବା ୨ ଅତିଥିମାନଙ୍କ ମଧ୍ୟରୁ ଗୋଟିଏ ଧଳାବାଘ ହୋଇଥିବା ବେଳେ ଅନ୍ୟଟି ସାଧାରଣ ବାଘ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି, ଉଭୟ ବାଘ ଶାବକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି।

ସୂଚନାଯୋଗ୍ୟ ଗତ ଜୁନରେ ବାଘ ରୋଶନ ଓ ବିଜୟାର ମିଳନ ହୋଇଥିଲା। ସେମାନଙ୍କର ମିଳନରୁ ଏହି ୨ଟି ଛୁଆ ଜନ୍ମ ନେଇଛନ୍ତି। ବର୍ତ୍ତମାନ ନନ୍ଦନକାନନରେ ୮ଟି ଧଳାବାଘ, ୨ଟି କଳାବାଘ ଓ ୧୪ଟି ସାଧାରଣ ମହାବଳ ବାଘ ମଧ୍ୟ ଅଛନ୍ତି। ଆଜି ଜନ୍ମ ନେଇଥିବା ୨ଟି ବାଘ ଛୁଆକୁ ପର୍ଯ୍ୟଟକମାନେ କିଛି ଦିନ ପର୍ଯ୍ୟନ୍ତ ଦେଖି ପାରିବେ ନାହିଁ। କିଛି ସପ୍ତାହ ପର୍ଯ୍ୟନ୍ତ ବିଜୟ ଓ ତା’ର ସନ୍ତାନ ଦ୍ୱୟଙ୍କୁ ସ୍ୱତନ୍ତ୍ର ଭାବରେ ରଖାଯାଇଛି।

ସମ୍ବନ୍ଧିତ ଖବର