ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ବଦଳିଲା ତଦନ୍ତର ଦିଗ ସାଇଣ୍ଟିଫିକ୍‌ ଟିମ୍‌ର ଛାନ୍‌ଭିନ୍‌

ଭୁବନେଶ୍ବର/ଧଉଳି,: ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ମୃତ୍ୟୁ ଘଟଣା ଆଜି ନୂଆ ମୋଡ଼ ନେଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ମଧ୍ୟ ହତ୍ୟାକାଣ୍ଡ ଭଳି ତଦନ୍ତ ଆରମ୍ଭ କରିଛି। ଆସନ୍ତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ। ଏହା ପୂର୍ବରୁ ଆଜି ଧଉଳି ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଦୀପାଳିଙ୍କ ଘରେ ଛାନଭିନ୍‌ ଆରମ୍ଭ କରିଛି। ଘର ଭିତରେ ଥିବା କେତେକ ସାମଗ୍ରୀକୁ ମଧ୍ୟ ପୁଲିସ ଜବତ କରିଛି। ଅନ୍ୟପକ୍ଷରେ ବିକ୍ରମକୁ ଗିରଫ କରିବାକୁ ପୁଲିସ ୩ଟି ଟିମ୍‌ ଗଠନ କରିଛି। ଏହି ୩ଟି ଟିମ୍ ମଧ୍ୟରୁ ଗୋଟିଏ ଟିମ୍‌ ରାଜ୍ୟ ବାହାରକୁ ଯାଇଥିବା ବେଳେ ଆଉ ଦୁଇଟି ଟିମ୍‌ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଆଜି ମଧ୍ୟ ପୁଲିସ ଦୀପାଳିଙ୍କ ପରିବାର ଲୋକ, ସାଙ୍ଗସାଥୀଙ୍କୁ ପଚରାଉଚରା କରିଛି। କିନ୍ତୁ ପୁରୁଷ ବନ୍ଧୁ ବିକ୍ରମଙ୍କର କୌଣସି ପତ୍ତା ମିଳିନାହିଁ। ଯାହା କି ଏବେ କମିସନରେଟ ପୁଲିସ ପାଇଁ ଚିନ୍ତାର କାରଣ ହୋଇଗଲାଣି। ଘଟଣାକୁ ୪ ଦିନ ବିତି ଗଲାଣି। ପୁଲିସର ଏଭଳି ଢ଼ିଲାପଣ ଦେଖି ଆଇନଜୀବୀମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କଲେଣି। ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରି ନ ପାରିବା ଏବେ କମିସନେରଟ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଲାଣି।

ଦୀପାଳି ମୃତ୍ୟୁ ଘଟଣାରେ ପ୍ରାଥମିକ ଭାବେ ଧଉଳି ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ଆଜି ହଠାତ ପୁଲିସ ତଦନ୍ତର ଦିଗ ବଦଳିଛି। ଦୀପାଳିଙ୍କ ମୃତ୍ୟୁ ଘଟଣା ଆତ୍ମହତ୍ୟା ନା ହତ୍ୟା ଜନିତ, ତାହା ପୁଲିସର ତଦନ୍ତରୁ ସ୍ପଷ୍ଟ ହୋଇ ପାରୁନାହିଁ। ତେଣୁ ଧଉଳି ଥାନା ପୁଲିସ ଆଜି ସାଇଣ୍ଟିଫିକ ଟିମର ସହାୟତା ନେଇଥିଲା। ଆଜି ସାଇଣ୍ଟିଫିକ ଟିମ ଦୀପାଳିଙ୍କ ପରିବାର ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ସିଲ୍‌ ଥିବା ଦୀପାଳିଙ୍କ ଘରକୁ ଫିଟାଇଥିଲା। ପରେ ସାଇଣ୍ଟଫିକ ଟିମ୍‌ ମୃତଦେହ ଉଦ୍ଧାର ହୋଇଥିବା ସିଲିଂ ଫ୍ୟାନ, ଘରର କାନ୍ଥ, କବାଟ, ଖଟ, ଦୀପାଳିଙ୍କ ବେକରେ ଲାଗିଥିବା ଓଢ଼ଣୀ, ଅନ୍ତବସ୍ତ୍ର ସମେତ ବିଭିନ୍ନ ଜିନିଷପତ୍ରରୁ ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରିଥିଲା। ତଦନ୍ତ ସମୟରେ ରୁମରୁ କିଛି ଆପିତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସାଇଣ୍ଟିଫିକ ଟିମ୍‌ ରିପୋର୍ଟରୁ ଦୀପାଳିଙ୍କ ମୃତ୍ୟୁ ରହସ୍ୟ ସଂପର୍କରେ ଅଧିକ ତଥ୍ୟ ପ୍ରମାଣ ମିଳିପାରିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସେହିପରି ପୁଲିସ ଭିସେରା ରିପୋ‌ର୍ଟ ସଂଗ୍ରହ ପାଇଁ ଉଦ୍ୟମ ଆରମ୍ଭ କରିଛି।ପୁଲିସ ଗଠନ କରିଥିବା ୩ଟି ମଧ୍ୟରୁ ଗୋଟିଏ ଟିମ କୋଲକାତା ଯାଇଥିବାବେଳେ ଅନ୍ୟ ଦୁଇଟି ଟିମ ବିକ୍ରମର ନିଜ ଘର ବାଲେଶ୍ବର ଓ ମାମୁଁ ଘର ଭଦ୍ରକକୁ ଯାଇଥିଲା। କିନ୍ତୁ କୌଣସି ସ୍ଥାନରେ ବି ବିକ୍ରମର ପତ୍ତା ମିଳିନାହିଁ। ପୁଲିସ ଶେଷରେ ଖାଲି ହାତରେ ଭୁବନେଶ୍ବର ଫେରି ଆସୁଛି। ପୁଲିସ ଜାଣିବାକୁ ପାଇଛି କି ବିକ୍ରମ ଭୁବନେଶ୍ବରରେ ହିଁ ଆତ୍ମଗୋପନ କରିଛି। ଏଥିପାଇଁ ପୁଲିସ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ଯଦି ଦିପାଳୀ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଆତ୍ମହତ୍ୟାର କାରଣ କଣ? ଏଥିପାଇଁ ଦାୟୀ କିଏ? ଆଉ କାହା ଚାପରେ ଆତ୍ମହତ୍ୟା କରିବା ପାଇଁ ସେ ମାନସିକ ଭାରସାମ୍ୟ ହରାଇ ଫ୍ୟାନରେ ଝୁଲିପଡ଼ିଲେ? ତାଙ୍କ ସହିତ ଥିବା ପୁରୁଷ ବନ୍ଧୁ ଏନେଇ ତାଙ୍କୁ ପ୍ରବର୍ତ୍ତାଇନଥିଲେ ତ? ଘଟଣାର ତଦନ୍ତ‌ବେଳେ ଏହିଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ। ରିପୋର୍ଟ ଆସିବା ପରେ ଦିପାଳୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହେବ।

ପୁଲିସ ଆଉ ଏକ ଦିଗରେ ତଦନ୍ତ କରି ଜାଣିବାକୁ ପାଇଛି, ବିକ୍ରମ ଜଣେ ବ୍ୟବସାୟୀ। ବିକ୍ରମଙ୍କ ଗ୍ରାମରେ ଦୀପାଳିଙ୍କ ମାମୁଘର। ମାମୁଘରକୁ ଯିବା ଆସିବା କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଭିନ୍ନ ଭିନ୍ନ ଜାତିରେ ହୋଇଥିବାରୁ ପରିବାର ଲୋକ ଏହାକୁ ବିରୋଧ କରିଥିଲେ। ସାମାଜିକ ସ୍ବୀକୃତି ମିଳି ନ ଥିଲେ ହେଁ ଏକାଠି ରହୁଥିଲେ। ବିବାହ କରି ଘରକୁ ନେବା ପାଇଁ ଦିପାଳୀ ଜିଦ ଧରିଥିବା କାରଣକୁ ନେଇ କରି ଦୀପାଳି ଆତ୍ମହତ୍ୟା କରିଥାଇ ପାରନ୍ତି କିମ୍ବା ବିକ୍ରମ ତାଙ୍କୁ ସବୁ ଦିନ ପାଇଁ ହଟେଇ ଦେବାକୁ ଯାଇ ହତ୍ୟା କରିଥାଇ ପାରନ୍ତି। ତେଣୁ ପୁଲିସ ଏହାକୁ ଏକ ହତ୍ୟା ବୋଲି ବିବେଚନା କରି ସେ ଦିଗରେ ଦତନ୍ତ ଆରମ୍ଭ କରିଛି। ଏଭଳି ଘଟଣାରେ ସନ୍ଦିଗ୍ଧ ବିକ୍ରମ ଠାରୁ ହିଁ ‌ଦୀପାଳି ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କମିସନରେଟ ପୁଲିସ ବିକ୍ରମକୁ ଆଜି ସଂଧ୍ୟାରେ କାବୁ କରି ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା ଚଳାଇଛି। କିନ୍ତୁ ଧଉଳି ଥାନା ପୁଲିସ ଏହାକୁ ଅସ୍ବୀକାର କରୁଛି।

ସମ୍ବନ୍ଧିତ ଖବର