ଆଜି ବିଶ୍ୱ ହୋମିଓପାଥି ଦିବସ : ବିନା ଶିକ୍ଷାଗତ ଯୋଗ୍ୟତାରେ ଚାଲିଛି ହୋମିଓପାଥି ଚିକିତ୍ସା

ଭୁବନେଶ୍ୱର  ରାଜ୍ୟରେ ଅଛି ୬ଟି ହୋମିଓପାଥି ମେଡିକାଲ କଲେଜ। ପ୍ରତି ବର୍ଷ ଏଥିରୁ ଉତ୍ତୀର୍ଣ୍ଣ ହେଉଛନ୍ତି ୧୬୦ ଡିଗ୍ରିଧାରୀ ଡାକ୍ତର। ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇ ହୋମିଓପାଥି ଚିକିତ୍ସା କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଶିକ୍ଷାଗତ ଯୋଗ୍ୟତା ଥିବା ଏପରି ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ଏହା ସତ୍ତ୍ୱେ ବିନା ଯୋଗ୍ୟତାରେ ବି ହୋମିଓପାଥି ଚିିକିତ୍ସା ଜାରି ରହିଛି। ଏପରି ଚିକିତ୍ସା କରୁଥିବା ଅଣଡିଗ୍ରିଧାରୀ ଓ ଅଣପଞ୍ଜୀକୃତ ବ୍ୟକ୍ତିଙ୍କ ସଂଖ୍ୟା କମିବା ପରିବର୍ତେ ବଢ଼ି ଚାଲିଛି। ଏହା ବର୍ତ୍ତମାନ ହୋମିଓପାଥିକ୍‌ ଚିକିତ୍ସାର ବିଶ୍ୱସନୀୟତା ଓ ଗ୍ରହଣୀୟତା ଉପରେ ଆଶଙ୍କା ସୃଷ୍ଟି କରାଇଛି।

ଏଲୋପାଥି ଚିକିତ୍ସା ପରେ ବିଶ୍ୱରେ ଦ୍ୱିତୀୟ ଲୋକପ୍ରିୟ ଚିିକିତ୍ସା ପଦ୍ଧତିର ମାନ୍ୟତା ପାଇଛି ହୋମିଓପାଥି। ବହୁ ଜଟିଳ ଓ ପୁରାତନ ରୋଗକୁ ହୋମିଓପାଥି୍‌ ଚିିକିତ୍ସା ମାଧ୍ୟମରେ ଭଲ କରିବାର ନଜିର ରହିଛି। ପୂର୍ବରୁ ପାରମ୍ପରିକ ଢଙ୍ଗରେ ହୋମିଓପାଥି ଚିକିତ୍ସା ଚାଲିଥିଲା ବେଳେ ଏବେ ଅତ୍ୟାଧୁନିକ ପ୍ରଣାଳୀରେ ଗବେଷଣା କରାଯାଇ ଔଷଧ ପ୍ରସ୍ତୁତ କରାଯାଉଛି। ଓଡ଼ିଶାରେ ହୋମିଓପାଥିକ୍‌ ମେଡିକାଲ କଲେଜରେ ହୋମିଓପାଥି ଉପରେ ଅଧିକ ଗବେଷଣା ଜାରି ରହିଛି।

ବର୍ତ୍ତମାନ ଆଇନ ଅନୁଯାୟୀ ହୋମିଓପାଥି୍‌ ପାଠ୍ୟକ୍ରମରେ ଡିଗ୍ରି ହାସଲ କରିଥିବା ଡାକ୍ତରମାନେ ହିଁ ଚିକିତ୍ସା କରିପାରିବେ। ସେମାନେ ହିଁ ଗବେଷଣାଲବ୍ଧ ଜ୍ଞାନକୁ ଚିିକିତ୍ସାରେ ପ୍ରୟୋଗ କରୁଛନ୍ତି। କିନ୍ତୁ ବିଭିନ୍ନ ସ୍ଥାନରେ ବିନା ଡିଗ୍ରିରେ ଲୋକମାନେ ଚିକିତ୍ସା କରି ହୋମିଓପାଥି ଔଷଧ ଦେଉଛନ୍ତି। ସରକାରଙ୍କଠାରୁ ଏଥିପାଇଁ ଲାଇସେନ୍ସ ନେଇ ନାହାନ୍ତି। ସେମାନେ ଔଷଧ ଅଧିକାଂଶ ସମୟ କାମ କରୁନାହିଁ। ଫଳରେ ଲୋକଙ୍କର ହୋମିଓପାଥି ଉପରେ ବିଶ୍ୱାସ ଭାଙ୍ଗି ଯାଉଥିବାର ନଜିର ରହୁଛି। ହୋମିଓପାଥି ଓ ଆୟୁର୍ବେଦ ବ୍ୟବସ୍ଥାରେ ଶିକ୍ଷା, ଗବେଷଣା ଓ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ‘ଆୟୂଷ’ ନିର୍ଦ୍ଦେଶାଳୟ ଖୋଲା ଯାଇଛି। କିନ୍ତୁ ସରକାରଙ୍କ ଆଖିରେ ଧୂଳି ଦେଇ ଖୋଲାଖୋଲି ଭାବେ ବେଆଇନ ହୋମିଓପାଥିକ୍‌ ଚିକିତ୍ସା ଜାରି ରହିଛି। ବିଭିନ୍ନ ସଂସ୍ଥା ପକ୍ଷରୁ ଏ ନେଇ ଅଭିଯୋଗ ହେଉଥିଲେ ବି ସରକାରଙ୍କ ତରଫରୁ ଆଦୌ ଧରପଗଡ଼ କରାଯାଉନି। ଏ ଦିଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପଛଘୁଞ୍ଚା ଦେଉଛନ୍ତି। ଏଥିରେ ଫସି ଯାଉଛନ୍ତି ସାଧରଣ ଲୋକ। ସେମାନେ ଜାଣିପାରୁ ନାହାନ୍ତି, ଠିକ୍‌ ଡାକ୍ତର କିଏ, ଭୁଲ୍‌ କିଏ ? ପ୍ରତି ବର୍ଷ ଏପ୍ରିଲ୍‌ ୧୦କୁ ବିଶ୍ୱ ହୋମିଓପାଥିକ୍‌ ଦିବସ ଭାବେ ପାଳନ କରାଯାଉଛି। ହୋମିଓପାଥିକ୍‌ର ଜନକ କୁହାଯାଉଥିବା ଜର୍ମାନର ଡାକ୍ତର ଖ୍ରୀଷ୍ଟିଆନ୍‌ ଫେଡ୍ରିକ ସାମୁଏଲ ହାନେମ୍ୟାନ୍‌ଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଆସନ୍ତାକାଲି ଏହି ଦିନଟିକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯିବ। ଉତ୍ସବ ପାଳନ ସହ ହୋମିଓପାଥିକ୍‌ ଉପରେ ବିଶ୍ୱାସ ବଳବତ୍ତର ରଖିବା ପାଇଁ ଉଭୟ ସରକାରୀ ଓ ବେସରକାରୀସ୍ତରରେ ବ୍ୟାପକ ମାନସ ମନ୍ଥନ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର