ଗୁଜରାଟରେ ପୁଣି ବିଜେପି

କଂଗ୍ରେସ ହାତରୁ ଯିବ ହିମାଚଳ

ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ

ନୂଆଦିଲ୍ଲୀ : ଯାହା ଜଣାପଡ଼ୁଛି ମୋଦି ଯାଦୁ ଏବେ ବି କାମ କରୁଛି। ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ଯୋଗୁଁ ବିଜେପି ଯେଉଁ ସଫଳତା ହାସଲ କରିଥିଲା ତାହା ୨୦୧୭ ଶେଷ ଭାଗରେ ମଧ୍ୟ ଜାରି ରହିଛି। ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ନିର୍ବାଚନ ସର୍ଭେରୁ ଏଭଳି ସୂଚନା ମିଳିଛି। ଏହି ଦୁଇଟି ରାଜ୍ୟରେ ତାଙ୍କ ପାର୍ଟି ବିଜେପିକୁ ବିପୁଳ ସଫଳତା ମିଳିବ। ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ଏକଜିଟ ପୋଲ (ବୁ୍‌ଥ୍‌ ବାହୁଡ଼ା ମତ) ସର୍ଭେରୁ ଏଭଳି ପୂର୍ବାନୁମାନ କରାଯାଇଛି। ଗୁଜରାଟରେ ବିଜେପି କ୍ଷମତାରେ ରହିବ ଏବଂ ହିମାଚଳ ପ୍ରଦେଶରେ କଂଗ୍ରେସକୁ କ୍ଷମତାଚ୍ୟୁତ କରିବ। ଏହି ସର୍ଭେ କଂଗ୍ରେସକୁ ନିରାଶ କରିଥିବା ବେଳେ ବିଜେପି ଶିବିରରେ ଆନନ୍ଦ ଖେଳିଯାଇଛି।

ଗୁଜରାଟରେ କ୍ଷମତାସୀନ ବିଜେପି ସହିତ କଂଗ୍ରେସର ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲେ ମଧ୍ୟ ମୋଟ ୧୮୨ ଆସନରୁ ବିଜେପି ୧୧୨ ଆସନ ଦଖଲ କରିବ ବୋଲି ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ଆକଳନରୁ ଜଣାପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସକୁ ୭୦ ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ହିମାଚଳ ପ୍ରଦେଶରେ ବିଜେପି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ କ୍ଷମତାକୁ ଫେରିବ ବୋଲି ଏକଜିଟ୍‌ ପୋଲ୍‌ରେ ଅନୁମାନ କରାଯାଇଛି। ଏକ୍‌ଜିଟ ପୋଲ୍‌ଗୁଡ଼ିକର ମୂଲ୍ୟାୟନରୁ ବିଜେପି ମୋଟ ୬୮ ଆସନରୁ ୪୯ଟି ଆସନ ପାଇବ ବୋଲି ଅନୁମାନ କରାଯାଉଛି ।

ଟାଇମ୍‌ସ ନାଓ ସର୍ଭେ ଅନୁଯାୟୀ ବିଜେପି ଗୁଜରାଟରେ ୧୮୨ ଆସନ ମଧ୍ୟରୁ ୧୦୯ ଆସନ ପାଇବ ଏବଂ କଂଗ୍ରେସକୁ ୭୦ ଆସନ ମିଳିବ। ସି-ଭୋଟର-ରିପବ୍ଲିକ ଟିଭି ପୋଲ୍‌ ବିଜେପିକୁ ଗୁଜରାଟରେ ୧୦୮ ଏବଂ କଂଗ୍ରେସକୁ ୭୪ ଆସନ ମିଳିବ ବୋଲି କହିଛି। ଏବିପି ନ୍ୟୁଜ୍‌-ସିଏସ୍‌ଡିଏସ୍‌ ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ବିଜେପିକୁ ୧୧୭, କଂଗ୍ରେସକୁ ୬୪ ଓ ଅନ୍ୟଙ୍କୁ ଗୋଟିଏ ଆସନ ମିଳିବ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଏକ୍‌ଜିଟ ପୋଲ ଅନୁଯାୟୀ ଗୁଜରାଟରେ ବିଜେପିକୁ ୯୯ରୁ ୧୧୩ ଆସନ କଂଗ୍ରେସକୁ ୬୮ରୁ ୮୨ ଆସନ ଏବଂ ଅନ୍ୟମାନଙ୍କୁ ୧ରୁ ୪ ଆସନ ମିଳିବା ସମ୍ଭାବନା ରହିଛି । ଇଣ୍ଡିଆ ଟିଭି-ଭିଏମ୍‌ଆର୍‌ ଏକ୍‌ଜିଟ୍‌ ପୋଲ ମୁତାବକ ଗୁଜରାଟରେ ବିଜେପିକୁ ୧୦୪ରୁ ୧୧୪ ଆସନ ଏବଂ କଂଗ୍ରେସକୁ ୬୫ରୁ ୭୬ ଆସନ ମିଳିବ ବୋଲି କୁହାଯାଇଛି ।

ହିମାଚଳ ପ୍ରଦେଶରେ ମୋଟ ୬୮ ଆସନରୁ ନ୍ୟୁଜ୍‌ ୨୪-ଟୁଡେଜ୍‌ ଚାଣକ୍ୟ ଏକଜିଟ୍‌ ପୋଲ ମୁତାବକ ବିଜେପିକୁ ୫୫ ଏବଂ କଂଗ୍ରେସକୁ ୧୩ ଆସନ ମିଳିବା ସମ୍ଭାବନା ରହିଛି। ଇଣ୍ଡିଆ ଟୁଡେ-ଏକ୍ସିସ ଏକ୍‌ଜିଟ୍‌ ପୋଲ ମୁତାବକ ବିଜେପିକୁ ଏଠାରେ ୪୭ରୁ ୫୫ ଆସନ ଏବଂ କଂଗ୍ରେସକୁ ୧୩ରୁ ୨୦ ଆସନ ମିଳିବା ସମ୍ଭାବନା ରହିଛି। ଜି ନ୍ୟୁଜ୍‌-ଏକ୍ସିସ ଏକ୍‌ଜିଟ୍‌ ପୋଲ ମୁତାବକ ଏଠାରେ ବିଜେପିକୁ ୫୧ ଏବଂ କଂଗ୍ରେସକୁ ୧୭ ଆସନ ମିଳିବ। ଟାଇମ୍‌ସ ନାଓ-ଭିଏମ୍‌ଆର୍‌ ସର୍ଭେରୁ ହିମାଚଳରେ ବିଜେପିକୁ ୫୧ ଏବଂ କଂଗ୍ରେସକୁ ୧୬ ଆସନ ମିଳିବା ସମ୍ଭାବନା ରହିଛି ।

ଗୁଜରାଟରେ ୨୨ ବର୍ଷ ଧରି ବିଜେପି କ୍ଷମତାରେ ରହିଛି । ତେବେ ଏଥର ନିର୍ବାଚନରେ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆକ୍ରମଣାତ୍ମକ ପ୍ରଚାର ଏବଂ ବିଜେପିକୁ ଘେରିବା ପାଇଁ ରଣନୀତି ଚର୍ଚ୍ଚାରେ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର ‘ନୀଚ‘ ବୋଲି କହିବା ପରେ ବିଜେପି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲା। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ

ମୋଦି କଂଗ୍ରେସ ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ସେମାନେ ଦିଲ୍ଲୀରେ ପାକିସ୍ତାନୀ ଅଧିକାରୀଙ୍କ ସହ ରାତ୍ରିଭୋଜନରେ ମିଳିତ ହୋଇଥିଲେ ବୋଲି କହି ଝଡ଼ ସୃଷ୍ଟି କରିଥିଲେ। ଏଥିରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମ ମଧ୍ୟ ମୋଦି ନେବାକୁ ପଛାଇ ନଥିଲେ ଏବଂ ଏହାକୁ ନେଇ ବିବାଦ ଜାରି ରହିଛି। ଅନ୍ୟପକ୍ଷରେ ହିମାଚଳରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳୁଥିବା ନଜିର ରହିଛି। ୨୦୧୨ ପୂର୍ବରୁ ଏଠାରେ ବିଜେପି ସରକାର ଥିବାବେଳେ ୨୦୧୨ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିଥିଲା।

ସମ୍ବନ୍ଧିତ ଖବର