ନେତା ଛାଡ଼ିଲେ ମଇଦାନ : ଏବେ ଭୋଟର ଭଗବାନ

ବିଜେପୁରରେ ଆଜି ସରିବ ପ୍ରଚାର

ବିଭିନ୍ନ ଦଳର ପ୍ରଚାରକୁ ନେଇ ତର୍ଜମା
ଦଳ ଭିତର ଅଡ଼ୁଆ, ନେତାଙ୍କ ପାଇଁ କାଳ

ଦୁଇ ଦିନରେ ତିନିଟି ସାଧାରଣ ସଭା ଓ ଦୁଇଟି ରୋଡ୍‌ ସୋ କରିଛନ୍ତି ବିଜେଡି ମୁଖ୍ୟ ତଥା ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଖାପାଖି ଡଜନେ ମନ୍ତ୍ରୀ, ୫୦ରୁ ଅଧିକ ବିଧାୟକ ଓ ସାଂସଦ ଏବଂ ଶହେ ସରିକି ନେତା ଦୀର୍ଘ ଦୁଇ ସପ୍ତାହ ଧରି ଡେରା ପକାଇଛନ୍ତି। ଏକାଧିକ ଅଭିନେତା ରୋଡ୍‌ ସୋ ମଧ୍ୟ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ମିଶାଇ ୬ଜଣ କେନ୍ଦ୍ରମନ୍ତ୍ରୀ ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଥିଲେ। ଖୋଦ୍‌ ଶ୍ରୀ ପ୍ରଧାନ ବିଭିନ୍ନ ବ୍ଲକ ଓ ଏନ୍‌ଏସି ମିଶାଇ ୪୨ଟି ସଭା କରିଛନ୍ତି। ନେତା, ଅଭିନେତା ବି ପ୍ରଚାରକୁ ଓହ୍ଲାଇଥିଲେ। କଂଗ୍ରେସ ଏ କ୍ଷେତ୍ରରେ ଟିକିଏ ପଛରେ ଥିଲେ ହେଁ, ଦଳର କିଛି ଛାମୁଆ ନେତା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

ଆସନ୍ତା ୨୪ ତାରିଖରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ଏମିତି ଢଙ୍ଗରେ ପ୍ରଚାର କରିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି। ଏହାବ୍ୟତୀତ ୭ଜଣ ସ୍ୱାଧୀନ ପ୍ରାର୍ଥୀ ବି ନିଜ ଢଙ୍ଗରେ ପ୍ରଚାର କରିଥିଲେ। ଦୁଇ ସପ୍ତାହ ଧରି ନେତାମାନେ ପରସ୍ପର ବିରୋଧରେ ଗର୍ଜନ ତର୍ଜନ କରିଛନ୍ତି, ଗୋହି ଖୋଳାଖୋଳି ହୋଇଛନ୍ତି। ଚାଷୀ, ବୁଣାକାରଙ୍କ ସମସ୍ୟା ଠାରୁ ଆରମ୍ଭ କରି ବିକାଶ, ଦୁର୍ନୀତି, ଭ୍ରଷ୍ଟାଚାର, ଗୁଣ୍ଡାଗର୍ଦି ପର୍ଯ୍ୟନ୍ତ ୨୦ରୁ ଅଧିକ ପ୍ରସଙ୍ଗରେ ଥରି ଉଠିଥିଲା ଏହି ଅଞ୍ଚଳ। ଯଦିଓ ଗୁରୁବାର ଦିନ ବିଧିବଦ୍ଧ ଭାବେ ପ୍ରଚାର ସରିବ, ଆଜି ପରେ କିନ୍ତୁ ଆଉ କୌଣସି ରାଜନୈତିକ ଦଳ ବଡ଼ ସଭା ବା ରୋଡ୍‌ ସୋ ଆଦି କାର୍ଯ୍ୟକ୍ରମ ରଖିନାହାନ୍ତି।

ବରଂ ଭୋଟରଙ୍କୁ ଭୋଟ ବାକ୍ସ ପର୍ଯ୍ୟନ୍ତ ନେବା ଲାଗି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି।

ଗତ ଦୁଇ ସପ୍ତାହର ପ୍ରଚାରକୁ ନେଇ ରାଜନୈତିକ ଦଳ ଓ ପର୍ଯ୍ୟବେକ୍ଷକ ମହଲରେ ଅନେକ ପ୍ରଶ୍ନ ଉଙ୍କି ମାରିଲାଣି। ବିଜେପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ ଦଳର ନେତାମାନେ ଯେଉଁ କସରତ କଲେ, ତାହା ୨ଲକ୍ଷ ୨୧ ହଜାର ୧୪୪ ଭୋଟରଙ୍କୁ କେତେ ପରିମାଣରେ ଛୁଇଁଲା? ଶନିବାର ଦିନ ନିର୍ବାଚନମଣ୍ଡଳୀର ୨୭୦ ବୁଥରେ ଭୋଟର ମତଦାନ କରିବା ବେଳେ ଏସବୁ ପ୍ରସଙ୍ଗ, ଭାଷଣବାଜି, ବାଦାନୁବାଦ ଦ୍ୱାରା ପ୍ରଭାବିତ ହେବେ କି? ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ ଏକ ଚିନ୍ତାର କାରଣ ହେବ କି?

ଅନ୍ୟପକ୍ଷରେ କିଏ ଜିତିବ, କିଏ ଆଗରେ ରହିବ, କିଏ କାହାକୁ ମାତ୍‌ ଦେବ, ସେ ନେଇ ସାଧାରଣରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି। ସବୁ ରାଜନୈତିକ ଦଳର ନେତା ଓ ନେତୃତ୍ୱ ରାସ୍ତା ଛାଡି ଭୋଟରଙ୍କ ଦୁଆର ବୁଲିବା ଆରମ୍ଭ କରିଛନ୍ତି। ଗାଁ ଗଣ୍ଡାରେ ଅନ୍ଧାରୀ ବିଜେ ଆରମ୍ଭ ହୋଇଯାଇଛି।

ସେପଟେ ପ୍ରଚାରର ପ୍ରଥମ ଦଶ ଦିନ ଧରି ନିରବରେ ଥିବା ଭୋଟରଙ୍କ ମଧ୍ୟରୁ ଅନେକ ବିଭିନ୍ନ ରାଜନୈତିକ ଦଳ ସପକ୍ଷରେ ଖୋଲାଖୋଲି ମତ ରଖିବା ଆରମ୍ଭ କଲେଣି। କଡ଼ା ପ୍ରତିଦ୍ୱନ୍ଦ୍ୱିତା ଆଡକୁ ମୁହାଁଉଥିବା ଏହି ଉପନିର୍ବାଚନରେ ଭୋଟର ଯେ କୌଣସି ରାଜନୈତିକ ଦଳ ସପକ୍ଷରେ ଅତ୍ୟନ୍ତ ସ୍ପଷ୍ଟ ମତ ରଖିବେ, ଏଭଳି ସଙ୍କେତ ମିଳୁଛି। ତେବେ ତ୍ରିମୁଖୀ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ନେବାକୁ କେହି ବି ଆଗ୍ରହ ନାହାନ୍ତି। ଏଣୁ ନିର୍ବାଚନ ଧୀରେ ଧୀରେ ରୋଚକ ହେବାରେ ଲାଗିଛି।

ପର୍ଯ୍ୟବେକ୍ଷକଙ୍କ ମତରେ ନିଜ ଆସନ ବଜାୟ ରଖିବା ଲାଗି କଂଗ୍ରେସ ଭିତରେ ଥିବା ସଂକଳ୍ପର ଅଭାବ ଜଳ ଜଳ ପରିଲକ୍ଷିତ ହୋଇଛି। ତା ସତ୍ତ୍ୱେ କିଣାବିକା ନୁହେଁ ବରଂ ମୂଳପ୍ରାର୍ଥୀ ଓ କୁଲ୍‌ତା କାର୍ଡ ଧରି କଂଗ୍ରେସ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଉଦ୍ୟମ ଚଳାଇଛି। ବିଧାୟକ ନବ କିଶୋର ଦାସଙ୍କ ଭଳି ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ସମେତ ଅଧିକାଂଶ ବିଧାୟକ ଓ ପ୍ରଭାବଶାଳୀ ନେତା ପ୍ରଚାରରେ ସାମିଲ ହୋଇନଥିଲେ ହେଁ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, କିଶୋର ଚନ୍ଦ୍ର ପଟେଲ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା ପ୍ରମୁଖ କଂଗ୍ରେସ କର୍ମୀ ଓ ଭୋଟରଙ୍କ ମନରେ ଆସ୍ଥା ପ୍ରକଟ କରିବା ଲାଗି ପ୍ରୟାସ କରିଛନ୍ତି। ହେଲେ ଦଳର ଭୋଟ୍‌ ବ୍ୟାଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ଦୃଢ ଭାବେ ଛିଡା ହେବ ନା ପଞ୍ଚାୟତ ନିର୍ବାଚନ ଭଳି ଅନ୍ୟ ଦଳ ଆଡ଼କୁ ଢଳିଯିବ, ତାହା ଏବେ ପ୍ରାର୍ଥୀ ଓ ନେତୃତ୍ୱ ପାଇଁ ଆହ୍ଵାନ ହେଲାଣି।

ପ୍ରଚାରରେ ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି। ୧୦ମାସ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦଳ ସପକ୍ଷରେ ପାଖାପାଖି ୯୨ ହଜାର ଭୋଟ ପଡିଥିଲା। ମାତ୍ର ଦୁଇ ସପ୍ତାହ ଧରି ଦଳ ଯେଉଁ ଭଳି ସଂଘର୍ଷ ସାମ୍ନା କରିଛି, ତାହା ଭିନ୍ନ ଚିତ୍ର ବର୍ଣ୍ଣନା କରୁଛି। ବିଜେଡିକୁ ଅଟକାଇବା ଲାଗି ବିଜେପି ଯେତିକି କୌଶଳ କରୁଛି, ଦଳ ଭିତରେ ହିଁ ପ୍ରାର୍ଥୀଙ୍କୁ ନେଇ ତାଠାରୁ ଅଧିକ ତୀବ୍ର ଅନ୍ତଃସ୍ୱର ଚିନ୍ତାର କାରଣ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଦଳ ପ୍ରଥମ ଉପନିର୍ବାଚନ ବା କୌଣସି ଏକ ବିଧାନସଭା ନିର୍ବାଚନ ଲଢୁଛି। ହେଲେ ବିଜେପି କିନ୍ତୁ ବସ୍ତୁତଃ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ମୂଳ ବିଜେପି ଓ ଧର୍ମେନ୍ଦ୍ରଙ୍କ କୋଟେରି ବୋଲି କୁହାଯାଉଥିବା ବିଜୁ ବିଜେପି ଗୋଷ୍ଠୀକୁ ଏକା ସାଙ୍ଗରେ ନେଇ ଦଳ ଆସନ୍ତା ୨୪ ତାରିଖରେ ନିର୍ବାଚନକୁ ସାମ୍ନା କରିବ। ସବୁଠାରୁ ବଡ଼ କଥା ହେଉଛି, ପ୍ରଚାର ଭିତରେ ବିଜେପି ଯେଉଁ ଦୁଇଟି ବଡ଼ ଦୁର୍ଘଟଣାକୁ ସାମ୍ନା କରିଛି, ତାହା ପାର୍ଟି ପାଇଁ କେବଳ ମହଙ୍ଗା ହୋଇପାରେ ତା ନୁହେଁ, ବରଂ ଏହାର ରାଜନୈତିକ ପ୍ରଭାବ ସୁଦୂରପ୍ରସାରୀ ବୋଲି ପର୍ଯ୍ୟବେକ୍ଷକ ମହଲ ମତ ଦେଲେଣି।

ସେହିପରି ନିର୍ବାଚନ ପ୍ରଚାର ହିଁ ସୂଚାଇ ଦେଉଛି ଯେ ଉପନିର୍ବାଚନ ବିଜେଡି ପାଇଁ କର ବା ମର ଭଳି ପରିସ୍ଥିତି ସୃଷ୍ଟି କରିଛି। ଦଳର ନେତାମାନେ ନିର୍ବାଚନକୁ ନିଜ ସପକ୍ଷରେ ନେବା ଲାଗି ପ୍ରାଣାନ୍ତକ ଉଦ୍ୟମ ଚଳାଇଛନ୍ତି। ସ୍ଥାନୀୟ ବିଜେଡି ଓ ଉପକୂଳ ବିଜେଡି ମଧ୍ୟରେ ପ୍ରଚାରର ପ୍ରଥମ ସପ୍ତାହରେ ଦେଖାଦେଇଥିବା ମତାନ୍ତର ଆଗଭଳି ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ବରପାଲି, ଗାଇସିଲାଟ୍‌ ଓ ବିଜେପୁର ସଭାରେ ସେମାନେ ଏଭଳି ବାର୍ତା ଦେବାକୁ ଉଦ୍ୟମ କରିଛନ୍ତି। କାରଣ ପଶ୍ଚିମ ଓଡ଼ିଶାର ନେତାମାନଙ୍କ ଦବ୍‌ଦବା ଏଥିରେ ବେଶ୍‌ ପରିଲକ୍ଷିତ ହୋଇଥିଲା। ବିଜେପିର ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥିତ୍ୱ ହିଁ ବିଜେଡି ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିବା ଆଚାର୍ଯ୍ୟ ପରିବାର ଓ ଦଳୀୟ ନେତା ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ମଧ୍ୟରେ ଦୂରତା କମାଇଛି। ଏହା ସତ୍ତ୍ୱେ ବିଜେଡିର ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଅନ୍ତଃକନ୍ଦଳ କିଛି କମ୍‌ ନାହିଁ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭାବ ଏସବୁକୁ ଦୂରେଇ ଦେଇ କେତେ ଭୋଟରଙ୍କୁ ଶଙ୍ଖ ଚିହ୍ନ ଆଡକୁ ଟାଣିପାରୁଛି,ତାହା ଫଳାଫଳ ପରେ ହିଁ ଜଣାପଡ଼ିବ।

(ବରଗଡରୁ ଭବାନୀ ଶଙ୍କର ତ୍ରିପାଠୀ) 

ସମ୍ବନ୍ଧିତ ଖବର