ବିଜେପୁର ନିର୍ବାଚନୀ ମାମଲା : ୧୬ରେ ସ୍ପଷ୍ଟ ହେବ ଉପନିର୍ବାଚନ ସ୍ଥିତି

କଟକ : ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ନିର୍ବାଚନ ଅନିୟମିତତା ମାମଲାର ଅନ୍ତ ଘଟିବ ନା ଶୁଣାଣି ଚାଲୁ ରହିବ ସେ ପ୍ରସଂଗରେ ଆସନ୍ତା ୧୬ ତାରିଖରେ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବ। ଗତ ୧୩ ତାରିଖରେ ଏ ପ୍ରସଂଗକୁ ନେଇ ଶୁଣାଣି ହୋଇଥିଲା। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ପ୍ରତିପକ୍ଷ ତଥା ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଚାରାଧୀନ ନିର୍ବାଚନୀ ମାମଲା ଚାଲିବ ନା ନାହିଁ ଓ ଉପନିର୍ବାଚନ ତାରିଖ ଘୋଷଣା ପାଇଁ ବର୍ତ୍ତମାନ କିଛି ପ୍ରତିବନ୍ଧକ ଅଛି କି ନାହିଁ ଭଳି ଦେଖା ଦେଇଥିବା ଦ୍ୱନ୍ଦ୍ୱ ଏହି ରାୟ ପ୍ରକାଶ ପରେ ଦୂର ହେବ ବୋଲି କୁହାଯାଉଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ଜିତିବା ପରେ ପରାଜିତ ପ୍ରାର୍ଥୀ ତଥା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଥିଲେ। ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ସେ ନିବେଦନ କରି ମାମଲା ରୁଜୁ କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ବିଧାୟକଙ୍କ ମୃତ୍ୟୁ ହୋଇଛି। ଏହାପରେ ଗୋଟିଏ ପଟେ ଉପନିର୍ବାଚନ ପାଇଁ ତାରିଖ ଘୋଷଣାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ଅନ୍ୟପଟେ ହାଇକୋର୍ଟରେ ଏ ସଂପର୍କିତ ବିଚାରାଧୀନ ନିର୍ବାଚନୀ ମାମଲାର ଫଳାଫଳ ଉପରେ ଉପନିର୍ବାଚନ ତାରିଖ ନିର୍ଭର କରିବ ବୋଲି କୁହାଯାଇଥିଲା। ଗତ ୯ ତାରିଖ ଦିନ ପ୍ରତିପକ୍ଷ ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ହାଇକୋର୍ଟରେ ଦାଖଲ ହୋଇଥିଲା। ତେବେ ମାମଲା ବନ୍ଦ ନ କରି ଶୁଣାଣି ଚାଲୁ ରହିବା ସପକ୍ଷରେ ଶ୍ରୀ ଆଚାର୍ଯ୍ୟଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ବିଜୟୀ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନୀ ମୋକଦ୍ଦମା ଆପେ ଆପେ ବନ୍ଦ ହୋଇ ଯାଏ ନାହିଁ। ପ୍ରତିପକ୍ଷଙ୍କ ପରଲୋକ ପରେ ଜନ ପ୍ରତିନିଧି ଆଇନ, ୧୯୫୧ର ଧାରା ୧୧୬ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇ ନିର୍ବାଚନୀ ମୋକଦ୍ଦମାର ଶୁଣାଣି ହୋଇ ପାରିବ।

ଧାରା ୧୧୬ ଅନୁସାରେ ପ୍ରତିପକ୍ଷଙ୍କ ମୃତ୍ୟୁ ପରେ ଏ ସଂପର୍କରେ ଗେଜେଟ ନୋଟିଫିକେସନ୍‌ ପ୍ରକାଶ ପାଇବ। ନୋଟିଫିକେସନ୍‌ ପ୍ରକାଶର ୧୪ ଦନ ଭିତରେ ମୃତ ପ୍ରତିପକ୍ଷଙ୍କ ବଦଳରେ ମାମଲାରେ ପକ୍ଷଭୁକ୍ତ ହୋଇ ନିର୍ବାଚନୀ ମୋକଦ୍ଦମାକୁ ବିରୋଧ କରିବା ପାଇଁ ଜଣେ ବ୍ୟକ୍ତି ଆବେଦନ କରି ପାରିବେ। ତେଣୁ ନିର୍ବାଚନୀ ମୋକଦ୍ଦମା ଆପେ ଆପେ ବନ୍ଦ ହୋଇ ପାରିବ ନାହିଁ ଓ ଏପରି ଯୁକ୍ତି ସପକ୍ଷରେ ୧୯୬୯ ଓ ୧୯୭୫ ମସିହାରେ ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ରାୟ ରହିଥିବା ଶ୍ରୀ ଆଚାର୍ଯ୍ୟଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ପ୍ରତିପକ୍ଷଙ୍କ ତରଫରୁ ମୋକଦ୍ଦମା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଦର୍ଶାଇଥିଲେ ଯେ ଏହି ନିର୍ବାଚନୀ ମୋକଦ୍ଦମାରେ କେବଳ ବିଧାୟକ ସୁବଳ ସାହୁ ପ୍ରତିପକ୍ଷ ରହିଥିଲେ। ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିବା ଅନ୍ୟ ପ୍ରାର୍ଥୀଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇ ନଥିଲା। ଏକମାତ୍ର ପ୍ରତିପକ୍ଷଙ୍କ ମୃତ୍ୟୁ ପରେ ନିର୍ବାଚନୀ ମୋକଦ୍ଦମା ଚାଲିବାର କୌଣସି ପ୍ରାସଂଗିକତା ନାହିଁ। ଜନ ପ୍ରତିନିଧି ଆଇନର ଧାରା ୧୫୦ରେ ବିଧାନସଭା ଆସନରେ କାଜୁଆଲ ଭାକାନ୍ସି ପ୍ରସଂଗରେ ଉଲ୍ଲେଖ ହୋଇଛି। ସେହିଭଳି ଭାବେ ଧାରା ୧୫୧-କରେ ୬ ମାସ ଭିତରେ କାଜୁଆଲ ଭାକାନ୍ସି ପୂରଣ ପାଇଁ ଉପନିର୍ବାଚନ କରାଯିବା କଥା। ବିଧାୟକଙ୍କ ମୃତ୍ୟୁ ପରେ ବିଜେପୁରରେ କାଜୁଆଲ ଭାକାନ୍ସି ସୃଷ୍ଟି ହୋଇଛି ଓ ୬ ମାସ ଭିତରେ ଉପନିର୍ବାଚନ କରାଯିବାରେ ବାଧା ନାହିଁ ବୋଲି ଶ୍ରୀ ମିଶ୍ର ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର