ବିଜେଡି ଏକା ଲଢ଼ିବାକୁ ସମର୍ଥ:ଦାମ

ଅଦୃଶ୍ୟ ଚାପରେ ଆସି ମତ ବଦଳାଇଲେ ଡା.ଦାମୋଦର ରାଉତ !

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପରି ଏକ ସାମ୍ପ୍ରଦାୟିକ ଦଳକୁ ରାଜ୍ୟରେ କ୍ଷମତା ଠାରୁ ଦୂରରେ ରଖିବା ପାଇଁ ବିଜେଡି କଂଗ୍ରେସ ସହିତ ମେଣ୍ଟ କରିପାରେ ବୋଲି ଏକ ମନ୍ତବ୍ୟ ଦେଇ ବିଜେଡି ଓ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିବାର ୨୪ ଘଣ୍ଟା ନ ପୂରୁଣୁ ନିଜ ମତ ବଦଳାଇଛନ୍ତି ଦଳର ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଡା. ରାଉତଙ୍କ ଏହିମତ ପରିବର୍ତ୍ତନକୁ ନେଇ ପୁଣି ରାଜ୍ୟ ରାଜନୀତିରେ ଚର୍ଚ୍ଚା।

କେଉଁ ଅଦୃଶ୍ୟ ଶକ୍ତିର ଚାପ ଆଗରେ ହାର ମାନି ନିଜେ କହିଥିବା କଥାକୁ ପୁଣି ଫେରାଇଲେ ସେ, ତାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ପୂର୍ବରୁ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ବିଜେଡି- କଂଗ୍ରେସ ମେଣ୍ଟ କଥା ଉଠାଇଥିଲେ। ତେବେ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦାକୁ ବାହାରି, ଏ ନେଇ ଭର୍ତ୍ତୃହରିଙ୍କୁ କୈଫିୟତ ତଲବ କରିବା ସହିତ ବିଜେଡି ଉଭୟ କଂଗ୍ରେସ ଓ ଭାଜପା ସହିତ ସମଦୂରତା ରକ୍ଷା କରିବ ବୋଲି ପୁଣି ଥରେ ଦୋହରାଇଥିଲେ। ପରେ ମଧ୍ୟ ସାଂସଦ ଶ୍ରୀ ମହତାବ ନିଜ ମତକୁ ବୁଲେଇ ବାଙ୍କେଇ ପରିବର୍ତ୍ତନ କରିଥିଲେ। ଆଜି ପୁଣି ଡା. ରାଉତ ନିଜ ମନ୍ତବ୍ୟକୁ ନେଇ ୟୁ ଟର୍ଣ୍ଣ ନେଇଛନ୍ତି। କହିଛନ୍ତି ବିଜେଡିର ଏକାକୀ ଲଢ଼ିବାରେ ସାମର୍ଥ୍ୟ ରହିଛି। ବିଜେଡି ଏକାକୀ ନିର୍ବାଚନ ଲଢ଼ି ୧୨୫ ଆସନର ବିଜୟୀ ହୋଇପାରିବ। ଏଥିପାଇଁ ବିଜେଡିକୁ କାହାରି ସହଯୋଗ ଆବଶ୍ୟକ ନାହିଁ। ତେବେ ନିଜ ମୁୁହଁ ବଞ୍ଚାଇବାକୁ ଯାଇ ଡା. ରାଉତ କହିଛନ୍ତି, ସେ ଆଜି ବି କହୁଛନ୍ତି ଯେ କଂଗ୍ରେସ ଏକ ଅଛୁଆଁ ଦଳ ନୁହେଁ।

ଗୁଜରାଟରେ ବିଜେପି ବିରୋଧରେ ଭୋଟର ଧ୍ରୁବୀକରଣ ଘଟଣାରେ ପ୍ରତିକ୍ରିୟା ରଖି ଡାକ୍ତର ରାଉତ ଗତକାଲି ଗଣମାଧ୍ୟମକୁ କହିଥିଲେ ଯେ ୨୦୦୯ ମସିହାରୁ ଦୁଇ ଜାତୀୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମଦୂରତା ବଜାୟ ରଖିଆସିଛି। ହେଲେ ଭାରତର ଅଖଣ୍ଡତାକୁ ରକ୍ଷା କରିବାକୁ ହେଲେ ସାଂପ୍ରଦାୟିକତାର ବିଷମଞ୍ଜି ବୁଣୁଥିବା ବିଜେପିକୁ ଶାସନରୁ ଦୂରେଇ ରଖିବାକୁ ପଡିବ। ଏଥିଲାଗି ଅନ୍ୟ କୌଣସି ଦଳ ଯଦି ବିଜେଡିକୁ ସହଯୋଗ କରିବାକୁ ଚାହେଁ, ତାହାହେଲେ ସେମାନଙ୍କୁ ଆନନ୍ଦର ସହକାରେ ଗ୍ରହଣ କରାଯାଇପାରେ। କଂଗ୍ରେସ ସହ ମିଶି ବିଜେଡି ଲଢିବାରେ ବାଧା ନାହିଁ। ଏପରିକି କଂଗ୍ରେସ କେଉଁ ଆସନରେ ଜିତିବ ସେ ନେଇ ପ୍ରସ୍ତାବ ଦେଉ ବୋଲି ଦାମ କହିଥିଲେ। ତେବେ କଂଗ୍ରେସ ସହ ମେଣ୍ଟ ନେଇ ଶେଷ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ନେବେ ବୋଲି ଦାମ ସ୍ପଷ୍ଟ କରିଥିଲେ। ଡାକ୍ତର ରାଉତଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ରେ ହଟଚମଟ ସୃଷ୍ଟି ହୋଇଥିଲା।

ଡାକ୍ତର ରାଉତଙ୍କ ମନ୍ତବ୍ୟ ନେଇ ବିଜେଡିରେ ତୀବ୍ର ପ୍ରତିକ୍ରିୟା ପାଇବା ପରେ ଆଜି ଡା.ରାଉତ ତାଙ୍କ ମତ ବଦଳାଇଛନ୍ତି। କହିଛନ୍ତି ଗତ ନିର୍ବାଚନରେ ଆମେ ୧୧୭ଟି ବିଧାନସଭା ଆସନ ଓ ୨୦ଟି ଲୋକସଭା ଆସନରୁ ବିଜୟୀ ହୋଇଥିଲୁ। ତେଣୁ ଆମେ କାହିଁକି କଂଗ୍ରେସ ଦଳ ସହିତ ମେଣ୍ଟ କରିବୁ ବୋଲିି କହିବା ସହିତ ଗଣମାଧ୍ୟମ ଅର୍ଥକୁ ଅନର୍ଥ କରୁଛି ବୋଲି ଅଭିଯୋଗ କରିଛନ୍ତି। କଂଗ୍ରେସ ଦଳର ସ୍ଥିତି ଟଳମଳ। ତେଣୁ ଆମେ ତାଙ୍କ ସହିତ ମେଣ୍ଟ କରିବାକୁ ଚାହୁଁ ନାହୁଁ। ମାତ୍ର ଜାତୀୟ ରାଜନୈତିକ ପୃଷ୍ଠଭୂମିରେ କଂଗ୍ରେସ ଏକ ଅଛୁଆଁ ଦଳ ନୁହେଁ। ତେବେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଡା. ରାଉତ ନିଜ ମତ ବଦଳାଇବା ପଛରେ ଅଦୃଶ୍ୟ ଶକ୍ତିର ଚାପ ରହିଛି ବୋଲି ଚର୍ଚ୍ଚା ହେଉଛି। ସେହି ଚାପ ଯୋଗୁଁ ଡା. ରାଉତଙ୍କ ପରି ଜଣେ ବରିଷ୍ଠ ନେତା ଓ ମନ୍ତ୍ରୀ ନିଜ ମତ ବଦଳାଇବାକୁ ମଧ୍ୟ ହେଲେ ବୋଲି ଚର୍ଚ୍ଚା ହେଉଛି।

ଅପରପକ୍ଷେ ଗତକାଲି ଡା. ରାଉତଙ୍କ ଏହି ବୟାନ ପରେ କେନ୍ଦ୍ରାପଡ଼ା ଲୋକସଭା ଆସନର ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ ଯେ ଆମେ ଯେଉଁମାନେ ୧୯୮୦ ଓ ୯୦ ଦଶକରେ କଂଗ୍ରେସର ଦୁର୍ନୀତି ଦ୍ୱାରା ଓଡ଼ିଶାର ଯେଉଁ ପ୍ରଭୂତ କ୍ଷତି ହୋଇଥିଲା, ତାକୁ ଦୂର କରିବା ପାଇଁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇ ବିଜେଡି ଦଳ ଗଠନ କରିଥିଲୁ, ସେମାନଙ୍କ ପାଇଁ ଡା. ରାଉତଙ୍କ ପ୍ରସ୍ତାବ ଗ୍ରହଣ କରିବା କଷ୍ଟକର। ଶ୍ରୀ ପଣ୍ଡାଙ୍କ ଏହି ଟ୍ଵିଟ୍ର ପ୍ରତିକ୍ରିୟା ରଖିଛନ୍ତି ଡା. ରାଉତ। ସେ କହିଛନ୍ତି ୮୦ ମସିହାରେ ଶ୍ରୀ ପଣ୍ଡା କ’ଣ କରୁଥିଲେ ଓ ତାଙ୍କ ରାଜନୈତିକ ସ୍ଥିତି କିଭଳି ଥିଲା ମୁଁ ଜାଣି ନାହିଁ।

ସମ୍ବନ୍ଧିତ ଖବର