ପୁଣି ଦାମ ବାଣ : ବିଦ୍ୱେଷ ଓ ଅସହିଷ୍ଣୁତା ମୋଦି ସରକାରଙ୍କ ଭୂଷଣ

ଭୁବନେଶ୍ୱର : କେନ୍ଦ୍ରର ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍‌ କରିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ। ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଚରଣ ଓ ଉଚ୍ଚାରଣ ନେଇ ପ୍ରଶ୍ନ ଉଠାଇବା ସହ ବିଦ୍ୱେଷ ଓ ଅସହିଷ୍ଣୁତା ମୋଦି ସରକାରଙ୍କ ଭୂଷଣ ପାଲଟିଛି ବୋଲି ଶ୍ରୀ ରାଉତ ଆରୋପ ଲଗାଇଛନ୍ତି।

ଶ୍ରୀ ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି, ବିଜେପି ଶାସିତ ଉତ୍ତରପ୍ରଦେଶ ରାଜ୍ୟର ଜଣେ ବିଧାୟକ ସଙ୍ଗୀତ ସିଂହ ସୋମ୍‌ ସପ୍ତମ ଆଶ୍ଚର୍ଯ୍ୟ ତାଜମହଲ ଭାରତୀୟ ସଂସ୍କୃତିର ଅତ୍ୟାଚାରର ପ୍ରତୀକ ବୋଲି କହୁଛନ୍ତି। ଆଉ ଜଣେ ସାଂସଦ ଅସାଦୁଦ୍ଦିନ୍‌ ଅେଓ୍ଵସି ଲାଲକିଲ୍ଲା ଉପରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବା କାର୍ଯ୍ୟରୁ ବିରତ ରହିବାକୁ କହୁଛନ୍ତି। ଉତ୍ତରପ୍ରଦେଶରେ ଆଦିତ୍ୟ ଯୋଗୀ ମୁଖ୍ୟମନ୍ତ୍ରୀ ହେଲା ପରଦିନ ସ୍ୱୀକୃତିପ୍ରାପ୍ତ ସ୍ଲଟର୍‌ ହାଉସ୍‌ରୁ ଜଣେ ମୁସଲ୍‌ମାନ ମାଂସ ନେଲା ବେଳେ ତାକୁ ପିଟି ହତ୍ୟା କରାଗଲା। ବିଜେପି ଶାସିତ ରାଜ୍ୟରେ କେହି ଦଳିତ ନିଶ ରଖିଲେ ତା’ ଉପରେ ଅତ୍ୟାଚାର କରାଯାଉଛି। ବିଭିନ୍ନତା ମଧ୍ୟରେ ଏକତାର ଆଦର୍ଶ ପାଇଁ ଆମ ଦେଶ ସମଗ୍ର ବିଶ୍ୱରେ ପରିଚିତ। ଏହି ଆଦର୍ଶକୁ ନେଇ ବ୍ରିଟିସ୍‌ ଶାସନରୁ ଏ ଦେଶ ମୁକ୍ତିଲାଭ କରିଥିଲା। କିନ୍ତୁ ସ୍ୱାଧୀନତାର ୭୦ ବର୍ଷ ପରେ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଯେପରି ଦୁଃଖଦ ଘଟଣା ଘଟୁଛି, ଏଥିରେ ଦେଶର ଅଖଣ୍ଡତା କିପରି ରହିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଶ୍ରୀ ରାଉତ ଆହୁରି କହିଛନ୍ତି, ଗୁଜୁରାଟ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର କହିଛନ୍ତି ଯେ ନେହେରୁ-ଗାନ୍ଧୀ ପରିବାର ଗୁଜୁରାଟୀଙ୍କୁ ଘୃଣା କରନ୍ତି। ସେ ବୋଧହୁଏ ଭୁଲିଯାଉଛନ୍ତି ଗୁଜୁରାଟରେ ଜନ୍ମ ହୋଇଥିବା ମହାତ୍ମା ଗାନ୍ଧୀଙ୍କର ପଟ୍ଟଶିଷ୍ୟ ଥିଲେ ସ୍ୱର୍ଗତ ନେହେରୁ। ଗାନ୍ଧିଜୀଙ୍କ ଆଦର୍ଶ ହିଁ କଂଗ୍ରେସର ଆଦର୍ଶ ବୋଲି ରହିଆସିଛି। ସେଥିପାଇଁ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅମଳରୁ ଗୁଜୁରାଟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଛି। ଅବଶ୍ୟ ଏବେ ଗୁଜୁରାଟରେ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ନ ଥିଲେ ମଧ୍ୟ ପ୍ରତି ବର୍ଷ ଶହେ ଦୁଇ ଶହ ଲୋକ ବିଷାକ୍ତ ମଦ୍ୟପାନ କରି ମରୁଛନ୍ତି। ଶ୍ରୀ ରାଉତ ପ୍ରଶ୍ନ କରିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିଭଙ୍ଗୀ କ’ଣ ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ? ତାଙ୍କ ଦଳର ନେତାମାନଙ୍କର ସାମ୍ପ୍ରଦାୟିକତାର ସ୍ୱର ଭାରତବର୍ଷର ଭବିଷ୍ୟତ ପାଇଁ ଶୁଭଙ୍କର ହେବ ତ?

ସମ୍ବନ୍ଧିତ ଖବର