ପ୍ରଥମ ଲୋକସଭା ନିର୍ବାଚନ (୧୯୫୧-୫୨)

0

ପ୍ରଥମ ସାଧାରଣ ନିର୍ବାଚନ ୨୫ ଅକ୍ଟୋବର ୧୯୫୧ରୁ ଆରମ୍ଭ ହୋଇ ୨୧ ଫେବ୍ରୁଆରି ୧୯୫୨ ଯାଏ ଚାଲିଥିଲା।

ମୋଟ ୩୬ କୋଟି ଜନସଂଖ୍ୟାରୁ ମତଦାତାଙ୍କ ସଂଖ୍ୟା ଥିଲା ୧୭ କୋଟି ୩୦ ଲକ୍ଷ। ତନ୍ମଧ୍ୟରୁ ୪୫.୭ ପ୍ରତିଶତ ମତଦାତା ନିଜ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ।

ଲୋକସଭାର ମୋଟ ୪୮୯ ଗୋଟି ଆସନ ପାଇଁ ମୋଟ ୫୩ ରାଜନୈତିକ ଦଳ ଭାଗ ନେଇଥିବା ବେଳେ ମୋଟ ୧୮୭୪ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଥିଲେ।

ଜବାହରଲାଲ ନେ‌ହରୁଙ୍କ ନେତୃତ୍ବାଧୀନ ଭାରତୀୟ ଜାତୀୟ କଂଗ୍ରେସ ୪୫ ପ୍ରତିଶତ ଭୋଟ ପାଇ ୩୬୪ ଆସନ ଜିତିବାରେ ସମର୍ଥ ହୋଇଥିଲା।

କଂଗ୍ରେସ ପଛକୁ ୧୬ ଆସନ (୩.୨୯ ପ୍ରତିଶତ) ଭୋଟ ପାଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦୁଇ ନମ୍ବର ସ୍ଥାନରେ ରହିଥିଲା।

ସୋସାଲିଷ୍ଟ ପାର୍ଟି ୧୦.୫୯ ପ୍ରତିଶତ ଭୋଟ ପାଇ ୧୨ଟି ଆସନ ସହ ତୃତୀୟ ସ୍ଥାନରେ ରହିଥିଲା।

ବିଜେପିର ପୂର୍ବ ଅବତାର ଭାରତୀୟ ଜନସଂଘ ମୋଟ ୩.୦୬ ପ୍ରତିଶତ ଭୋଟ ପାଇ ୩ ଗୋଟି ଆସନ ହାତେଇଥିଲା।

ସମସ୍ତଙ୍କୁ ଚକିତ କଲାଭଳି ବିପର୍ଯ୍ୟୟ ଉତ୍ତର-କେନ୍ଦ୍ରୀୟ (ସଂରକ୍ଷିତ) ଆସନରେ ଦେଖିବାକୁ ମିଳିଲା। ଅନୁସୂଚିତ ଜାତି ମହାସଂଘ ପ୍ରାର୍ଥୀଙ୍କଠାରୁ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଉକ୍ତ ଆସନରେ ପରାଜିତ ହୋଇଥିଲେ।

୧୩ ମେ ୧୯୫୨ରେ ଆରମ୍ଭ ହୋଇଥିବା ପ୍ରଥମ ଲୋକସଭାର କାର୍ଯ୍ୟକାଳ ୪ ଏପ୍ରିଲ ୧୯୫୭ ଯାଏ ଥିଲା। ତେବେ ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନତା ପାଇବା ପରଠାରୁ ୧୯୫୨ରେ ପ୍ରଥମ ଲୋକସଭା ଗଠନ ହେବା ଯାଏ ଶାସନ ବିଧାୟକ ସଭା ବା କନ୍‌ଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲି (୨୬ ନଭେମ୍ବର ୧୯୪୯ରେ ଦେଶର ସମ୍ବିଧାନ ଗୃହୀତ ହୋଇଥିଲା) ଦେଶର ଅନ୍ତରୀଣ ସଂସଦ ଭାବେ କାର୍ଯ୍ୟ କରିଥିଲା।

୨୧ ବର୍ଷରୁ ଊର୍ଦ୍ଧ୍ବ ବୟସର ସାବାଳକମାନଙ୍କୁ ଭୋଟଦାନ ଅଧିକାର ମିଳିଥିଲା। ତେବେ ୮୫ ଭାଗ ଲୋକ ଅଶିକ୍ଷିତ କିମ୍ବା ଅର୍ଦ୍ଧଶିକ୍ଷିତ ଥିବାରୁ ଭୋଟଦାନ ପ୍ରକ୍ରିୟାକୁ ସହଜ କରିବାକୁ ପ୍ରତି ପ୍ରାର୍ଥୀଙ୍କ ପାଇଁ ପୃଥକ୍ ରଙ୍ଗର ଭୋଟ୍‌ବାକ୍ସ ବ୍ୟବସ୍ଥା କରାଗଲା।

ଆଜିଯାଏ ସବୁଠାରୁ ଲମ୍ବା ଅବଧି ପାଇଁ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟାର ୬ ମାସ ପୂର୍ବରୁ ଭୋଟର ତାଲିକା ପ୍ରସ୍ତୁତି ପାଇଁ ୧୬ ହଜାର ୫୦୦ କିରାଣୀଙ୍କୁ ନିଯୁକ୍ତି ଦିଆଯାଇଥିଲା।
ଚୂଡ଼ାନ୍ତ ମୁଦ୍ରିତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସର୍ବମୋଟ ୩,୮୦,୦୦୦ ରିମ୍‌ କାଗଜ ବ୍ୟବହୃତ ହୋଇଥିଲା।

୬୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ନିର୍ବାଚ‌ନରେ ମୋଟ ୧,୯୬,୦୮୪ ମତଦାନ କେନ୍ଦ୍ର ମଧ୍ୟରୁ ମହିଳାଙ୍କ ପାଇଁ ୨୭,୫୨୭ କେନ୍ଦ୍ର ସଂରକ୍ଷିତ ରଖାଯାଇଥିଲା।

ଫେବ୍ରୁଆରି-ମାର୍ଚ୍ଚରେ ହିମାଚଳ ପ୍ରଦେଶରେ ପ୍ରତିକୂଳ ପାଗ ଦେଖାଦେଉଥିବାରୁ ସେଠାରେ ତା’ପୂର୍ବରୁ ଭୋଟଦାନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ତେବେ ୧୯୬୭ ମସିହା ପୂର୍ବରୁ ଜମ୍ମୁ-କଶ୍ମୀରରେ ଲୋକସଭା ନିର୍ବାଚନ କରାଯାଇନଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.