ଆଜି ହିମାଚଳ-ଗୁଜରାଟ ନିର୍ବାଚନ ଫଳ : ନଜର ଗୁଜରାଟ ଉପରେ

ନୂଆଦିଲ୍ଲୀ: ଆଜି ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ସାମନାକୁ ଆସିବ। ଯଦିଓ ବିଭିନ୍ନ ବୁଥ୍‌ବାହୁଡ଼ା ସର୍ବେକ୍ଷଣରୁ ଉଭୟ ରାଜ୍ୟର ଶାସନ ବିଜେପି ହାତକୁ ଯିବ ବୋଲି ଭବିଷ୍ୟବାଣୀ କରାଯାଇଛି, ତେବେ ବାସ୍ତବତା ପଦାକୁ ନଆସିବା ଯାଏ ନା ବିଜେପି ନା କଂଗ୍ରେସ କେହି ବି ଏ ପ୍ରକାର ଆକଳନକୁ ଆନ୍ତରିକତାର ସହ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ହିମାଚଳବାସୀ ଦୀର୍ଘ ମାସକ ତଳୁ ମତଦାନ କରି ସାରି ଉତ୍କଣ୍ଠାର ସହ ଭୋଟଗଣତିକୁ ଅପେକ୍ଷା କରି ରହିଛନ୍ତି। ରାଜ୍ୟର ମୋଟ ୬୮ଟି ବିଧାନସଭା ଆସନ ପାଇଁ ଗତ ମାସ ୯ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହିଁ ମତଦାନ ହୋଇଥିଲା। ମୋଟ ୫୦୦ଟି ମତଦାନ କେନ୍ଦ୍ରରେ ବନ୍ଦ ହୋଇ ରହିଥିବା ୩୩୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରିତ ହେବ। ଏଥିପାଇଁ ୪୮ଟି ମତଗଣନା କେନ୍ଦ୍ର ପ୍ରସ୍ତୁତ ହୋଇଥିବା ଜଣାଯାଇଛି। ସେଠାରେ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତକା ବୀରଭଦ୍ର ସିଂହ ଶାସନକୁ ବଜାୟ ରଖୁଛନ୍ତି ନା ବିଜେପିର ପ୍ରେମକୁମାର ଧୁମାଲ୍‌ ଛଡ଼ାଇ ନେଉଛନ୍ତି ତାହା ଜଣାପଡ଼ିବ।

ଅପରପକ୍ଷେ, ସାରା ଦେଶବାସୀଙ୍କ ନଜର ଗୁଜରାଟ ଉପରେ ରହିଛି। ଗତ ୯ ଏବଂ ୧୪ ତାରିଖ ଦୁଇଟି ପର୍ଯ୍ୟାୟରେ ମୋଟ ୧୮୨ଟି ଅସନ ପାଇଁ ୫୦,୧୨୮ଟି ମତଦାନ କେନ୍ଦ୍ରରେ ଭୋଟରମାନେ ୧,୮୨୮ଜଣ ଆଶାୟୀଙ୍କୁ ସେମାନଙ୍କ ମତ ସାବ୍ୟସ୍ତ କରି ସାରିଛନ୍ତି। ଇଭିଏମ୍‌ ମେସିନରେ ସିଲ ହୋଇ ରହିଥିବା ପ୍ରାର୍ଥୀଙ୍କ ଭାଗ୍ୟ ୩୭ଟି ଭୋଟଗଣନା କେନ୍ଦ୍ରରେ ନିର୍ଦ୍ଧାରିତ ହେବ। ଲଗାତର ଷଷ୍ଠ ଥର ପାଇଁ ବିଜେପି ସେଠାରେ ଶାସନ କଳ ସମ୍ଭାଳିବ ବୋଲି ଦୃଢ଼ ନିଶ୍ଚିତ ହୋଇଥିବା ବେଳେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଦଳ ଏଥର ଶାସନକୁ ଫେରିବ ବୋଲି ଆଶା ବାନ୍ଧି ବସିଛି।

ତେବେ ରାଜନୀତି ବିଶାରଦମାନେ ଗୁଜରାଟ ଲଢ଼େଇକୁ ବିଜେପି କି କଂଗ୍ରେସ ମଧ୍ୟରେ ହେଉଥିବା ବିବେଚନା ନକରି ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି ରଙ୍ଗ ଦେଇ ଚାଲିଛନ୍ତି। ଉଭୟ ହିଁ ନିଜ ନିଜ ଦଳର ନିର୍ବାଚନ ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ସେହିପରି ‘ଗୁଜରାଟ ବିକାଶ’ ମଡେଲ ଆଧାରରେ ୨୦୧୪ ସାଧାରଣ ନିର୍ବାଚନ ଜିତିଥିବା ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିଜ ରାଜ୍ୟରେ ହିଁ ଶାସନ କ୍ଷମତା ବଜାୟ ରଖିବେ ବୋଲି ସମସ୍ତେ ଆଶା କରିବା ସ୍ୱାଭାବିକ। ଅପରପକ୍ଷେ, ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ପୂର୍ବକ ଗୁଜରାଟକୁ ହାତେଇବା ଉଦ୍ଦେଶ୍ୟରେ ରାହୁଲ୍‌ ଏହି ନିର୍ବାଚନରେ ଅକ୍ଳାନ୍ତ ପରିଶ୍ରମ କରିବା ସହ ଯାବତୀୟ କୌଶଳ ଆପଣେଇଛନ୍ତି।

ପ୍ରଚାର ବେଳେ ଉଭୟ ଦଳ ପରସ୍ପରକୁ ଆକ୍ଷେପ କରି ଆରୋପ ପ୍ରତ୍ୟାରୋପରେ ପୋତି ପକାଇଥିଲେ। ପ୍ରଚାର ସର୍ବସ୍ୱ ବିଜେପି ଭୋଟରଙ୍କ ପାଖରେ ଗୁଜରାଟର ଭବିଷ୍ୟତ ବିକାଶ ସମ୍ପର୍କରେ ନିରବ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଚାଲିଥିବା ବେଳେ କଂଗ୍ରେସ ଏତିକି ବେଳେ ରାମମନ୍ଦିର ପ୍ରସଙ୍ଗ କାହିଁକି ଉଠାଉଛି ବୋଲି ବିଜେପି ପ୍ରଶ୍ନ କରିବା ସହ ପାକିସ୍ତାନୀଙ୍କ ସାମିଲ ହେବାକୁ ମଧ୍ୟ ସମାଲୋଚନା କରିଥିଲା। ନିର୍ବାଚନ ଦିନ ପାଖେଇ ଆସିଲା ବେଳକୁ ଉଭୟ ଦଳ ଗୁଜରାଟର ବିକାଶ ପ୍ରସଙ୍ଗ ଭୁଲି ଜାତିବାଦ ଏବଂ ଧର୍ମକୁ ଅସ୍ତ୍ର କରିବାକୁ ଲାଗିଲେ। ତେବେ ରାଜ୍ୟ ଭୋଟଭାଗର ୧୨ ପ୍ରତିଶତ ଥିବା ପଟିଦାର ସମ୍ପ୍ରଦାୟଙ୍କ ଭୂମିକା ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। ସେମାନଙ୍କ ପାଇଁ ସଂରକ୍ଷଣ ଲୋଭ ଦେଖାଇ କଂଗ୍ରେସ ପ୍ରମୁଖ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସମେତ ଓବିସି ନେତା ଅଳ୍ପେଶ ଠାକୁର ଏବଂ ଦଳିତ ନେତା ଜିଗ୍ନେସ ମେଓ୍ଵାନିଙ୍କୁ ନିଜ ଆଡ଼କୁ ଟାଣିବାରେ ସକ୍ଷମ ହୋଇଥିଲା। ସେମାନଙ୍କ ସହଯୋଗରେ ଦଳ ନିର୍ବାଚନ ବୈତରଣୀ ସଫଳତାର ସହ ପାରିହେବ ବୋଲି ଆଶା ରଖିଛି। ତେବେ ଶେଷ ଆଡ଼କୁ କିଛି ପଟିଦାର ଏବଂ ଅନ୍ୟ ନେତା ମଧ୍ୟ ବିଦ୍ରୋହ କରି କଂଗ୍ରେସକୁ ସମର୍ଥନ ନକରିବାକୁ କରିଥିିବା ଘୋଷଣା ବିଜେପିକୁ ଆଶ୍ୱସ୍ତ କରିଥିଲା। ତେବେ ଗୁଜରାଟର ସାଧାରଣ ଜନତା ଏଭଳି ରାଜନୀତି ହସ୍ତୀମାନଙ୍କ କଥାରେ ପ୍ରଭାବିତ ନହୋଇ ନିଜର ହୃଦୟର ମତକୁ ସାବ୍ୟସ୍ତ କରିଥିବେ ବୋଲି ସମୀକ୍ଷକମାନଙ୍କ ମତ। ସୁତରାଂ, ବୁଥ୍‌ ବାହୁଡ଼ା ସର୍ବେକ୍ଷଣ କି ରାଜନୀତି ସମୀକ୍ଷକ କି ପୁରୁଖା ନେତାଙ୍କ ଆକଳନ ସତ ହେଉଛି ତାହା ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ।

୬ଟି କେନ୍ଦ୍ରରେ ସାନି ମତଦାନ ହେଲା

ଅହମଦାବାଦ୍‌: ନିର୍ବାଚନ ଫଳ ବାହାରିବାର ଦିନକ ପୂର୍ବରୁ ରବିବାର ଗୁଜରାଟର ୬ଟି ମତଦାନ କେନ୍ଦ୍ରରେ ସାନି ଭୋଟ୍‌ଗ୍ରହଣ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ବେଳେ ବଡ଼ଗାମ୍‌, ସାଭଲି, ଦାସକ୍ରୋଇ ଏବଂ ଭିରମଗାମ୍‌ ନିର୍ବାଚନମଣ୍ଡଳୀର ଏହି ୬ଟି ମତଦାନ କେନ୍ଦ୍ରରେ ବୈଷୟିକ ତ୍ରୁଟି ଥିବା ଜଣାପଡ଼ିବା ପରେ ନିର୍ବାଚନ ଆୟୋଗଙ୍କ ତତ୍କାଳ ନିର୍ଦ୍ଦେଶ କ୍ରମେ ସେଠାରେ ଆଜି ପୁଣି ଥରେ ଭୋଟ୍‌ ଗ୍ରହଣ ହୋଇଛି। ସେହିପରି ୭ଟି ନିର୍ବାଚନମଣ୍ଡଳୀର ୧୦ଟି ମତଦାନ କେନ୍ଦ୍ରରେ ତ୍ରୁଟି ପରିଲକ୍ଷିତ ଥିବା ଭିଭିପିଏଟି (ଭୋଟର ଭେରିଫାଏଡ ପେପର ଟ୍ରେଲ୍‌)ର ତଥ୍ୟ ଆଧାରରେ ଭୋଟ୍‌ ଗଣନା ପାଇଁ ମଧ୍ୟ ଇସି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି ଏହି ୧୦ଟି କେନ୍ଦ୍ରରେ ମତଦାନ ପୂର୍ବରୁ ହୋଇଥିବା ପରୀକ୍ଷାମୂଳକ ଭୋଟଗ୍ରହଣର ତଥ୍ୟକୁ ସଂପୃକ୍ତ ନିର୍ବାଚନ ଅଧିକାରୀମାନେ ଭୁଲବଶତଃ ଭିଭିପିଏଟିରୁ ହଟାଇପାରିନଥିଲେ। ଫଳରେ ମତଦାତାଙ୍କ ସଂଖ୍ୟାରେ ତାରତମ୍ୟ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର