ଗୁଜରାଟ ନିର୍ବାଚନ: ଆଜି ସରିବ ପ୍ରଥମ ପର୍ଯ୍ୟାୟ ପ୍ରଚାର

ଅହମଦାବାଦ: ଗୁଜରାଟ ନିର୍ବାଚନ ପ୍ରଚାର ଉଷ୍ଣତା ଏବେ ଚରମ ସୀମାରେ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଥମିବ। ମୋଟ ୧୮୨ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ଭୋଟ୍‌ ଗ୍ରହଣ ହେବ। ସମଗ୍ର ପ୍ରକ୍ରିୟା ଜାତିଗତ ସମୀକରଣରେ ସୀମିତ ରହିଯାଇଥିବାରୁ ବିଜେପି ଶିବିରରେ ଆଶଙ୍କା ଓ ଉଦ୍‌ବେଗ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦୀର୍ଘ ୨୨ ବର୍ଷ ଧରି କ୍ଷମତାରୁ ଦୂରରେ ରହିଥିବା କଂଗ୍ରେସ ଜାତିଗତ ସମୀକରଣ ଆଧାରରେ କ୍ଷମତାକୁ ଫେରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛି। ଏହି ନିର୍ବାଚନରେ ବିକାଶ ପ୍ରସଙ୍ଗ ସଂପୂର୍ଣ୍ଣ ଗୌଣ ହୋଇଯାଇଛି। କରୁନାହିଁ। ସରକାର ବିରୋଧରେ ରହିଥିବା ଜନ ଅସନ୍ତୋଷ ଏବଂ ଜାତି ଭୋଟ୍‌କୁ ଆଧାର କରି କଂଗ୍ରେସ ତା’ର ନିର୍ବାଚନ ପ୍ରଚାର ପରିଚାଳନା କରିଥିବା ବେଳେ ବିଜେପି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଏବଂ ବିକାଶ ସ୍ଲୋଗାନ ଉପରେ ନିର୍ଭର କରୁଛି। ବିଶେଷ କରି ପଟିଦାର ଏବଂ ଓବିସି ଭୋଟ୍‌ ବ୍ୟାଙ୍କ୍‌ର ସମର୍ଥନ ହାସଲ ନିମନ୍ତେ ପ୍ରବଳ ଛକାପଂଝା ଜାରି ରହିଛି। ଗୁଜରାଟରେ ୪୦ ପ୍ରତିଶତ ଓବିସି, ୧୫ ପ୍ରତିଶତ ପଟିଦାର ରହିଥିବାରୁ ସେମାନଙ୍କ ଭୋଟ୍‌ ଉପରେ ଉଭୟ ଦଳର ନଜର ରହିଛି। ପଟିଦାର ଭୋଟ୍‌ ବିଜେପି ହାତରୁ ଖସିଯିବା ଭୟ ବଳବତ୍ତର ହୋଇଥିବାରୁ ବିଜେପି ପଟିଦାର ସଂପ୍ରଦାୟକୁ ମନାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛି।

ନିର୍ବାଚନ ସହ ରାମ ମନ୍ଦିରକୁ ଯୋଡ଼ିବା ଅନୁଚିତ: ମୋଦି

ଅହମଦାବାଦ୍‌: ଗୁଜରାଟ ନିର୍ବାଚନୀ ରାଜନୀତିରେ ଏବେ ରାମ ମନ୍ଦିର ମାମଲା ଯୋଡ଼ି ହୋଇଯାଇଛି। ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦି ଆଜି ଏକ ର‍୍ୟାଲିରେ ରାମ ମନ୍ଦିର ପ୍ରସଙ୍ଗ ଉଠାଇ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ରାମ ମନ୍ଦିର ମାମଲାକୁ ଲୋକସଭା ନିର୍ବାଚନ ସହ ଯୋଡ଼ିବା ପ୍ରସଙ୍ଗରେ ମୋଦି କଂଗ୍ରେସକୁ ଦୋଷାରୋପ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ରାମ ମନ୍ଦିର ପ୍ରସଙ୍ଗକୁ ନିର୍ବାଚନ ସହ ଯୋଡ଼ୁଛି ଏବଂ ଏହା ଦେଶ ବାବଦରେ ଖୁବ୍‌ କମ୍‌ ଚିନ୍ତା କରୁଛି। ଗତକାଲି ସୁପ୍ରିମକୋର୍ଟରେ ବାବ୍ରି ମସଜିଦ୍‌-ରାମ ମନ୍ଦିର ବିବାଦ ମାମଲାର ଶୁଣାଣି ସମୟରେ ସୁନ୍ନି ଓ୍ଵାକଫ୍‌ ବୋର୍ଡର ବରିଷ୍ଠ ଓକିଲ ତଥା କଂଗ୍ରେସ ସାଂସଦ କପିଲ ସିବଲ ମାମଲାର ଚୂଡ଼ାନ୍ତ ରାୟ ଭାରତୀୟ ରାଜନୀତିକୁ ପ୍ରଭାବିତ କରିବ ବୋଲି ଆଶଙ୍କା ଥିବାରୁ ଶୁଣାଣିକୁ ଆଗାମୀ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଉ ବୋଲି ଆବେଦନ କରିଥିଲେ। ସିବଲଙ୍କ ଏହି ଆବେଦନକୁ ବିରୋଧ କରି ମୋଦି ଆଜି ପ୍ରଚାର ମଇଦାନରେ ତାଙ୍କୁ ସମାଲୋଚନା କରିଛନ୍ତି। ସିବଲ ଯେଉଁ ଦାୟିତ୍ୱରେ ଅଛନ୍ତି ସେଥିରେ ରାମ ମନ୍ଦିର ପ୍ରସଙ୍ଗକୁ ନିର୍ବାଚନ ସହ ଯୋଡ଼ିବା କ’ଣ ଠିକ୍‌ କି ବୋଲି ମୋଦି ପ୍ରଶ୍ନ କରିଛନ୍ତି।

କଂଗ୍ରେସ ଏବଂ ମୋ ବିଷୟରେ ମୋଦି ଅଧିକ କହୁଛନ୍ତି: ରାହୁଲ

ଅହମଦାବାଦ୍‌: କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ରାହୁଲ ଗାନ୍ଧୀ ନାମାଙ୍କନ ପତ୍ର ଦାଖଲ କରିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ କଂଗ୍ରେସ ଓ ରାହୁଲଙ୍କୁ ପ୍ରତିଦିନ ଟାର୍ଗେଟ୍‌ କରୁଛନ୍ତି। ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ଜବାବ ଦେଇ କହିଛନ୍ତି ଯେ ମୋଦି ଗୁଜରାଟର ବିକାଶ କଥା କହିବା ପରିବର୍ତ୍ତେ କଂଗ୍ରେସ ଏବଂ ମୋ ବିଷୟରେ ଅଧିକ କହୁଛନ୍ତି। କଚ୍ଛରେ ନିର୍ବାଚନୀ ସଭାରେ ଯୋଗ ଦେଇ ରାହୁଲ କହିଛନ୍ତି ମୋଦି ତାଙ୍କ ଭାଷଣରେ କେବଳ କଂଗ୍ରେସ ଓ ମତେ ସମାଲୋଚନା କରି ସମୟ ଅପଚୟ କରୁଛନ୍ତି। ତେବେ କଂଗ୍ରେସ କେବଳ ଗୁଜରାଟର ଭବିଷ୍ୟତ ସଂପର୍କରେ ଚିନ୍ତା କରୁଛି। ଏହି ନିର୍ବାଚନ କେବଳ ଗୋଟିଏ କାରଣ ପାଇଁ ଏବଂ ତାହା ହେଉଛି ଗୁଜରାଟର ଭବିଷ୍ୟତ ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ବାବଦରେ ଦଳର ଭବିଷ୍ୟତ ଯୋଜନା ନେଇ ମୁହଁ ଖୋଲୁନାହାନ୍ତି କାରଣ ମୋଦିଙ୍କ ଗୁଜରାଟ ମଡେଲ କେବଳ ପୁଞ୍ଜିପତିଙ୍କ ଲାଗି ଉଦ୍ଦିଷ୍ଟ ବୋଲି ରାହୁଲ କହିଛନ୍ତି

ଭୁଲ୍‌ ଟ୍ଵିଟ୍‌ ପାଇଁ କ୍ଷମା ମାଗିଲେ ରାହୁଲ

Image Courtesy of Zee News

ଅହମଦାବାଦ୍‌: ଗୁଜରାଟ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ପ୍ରଶ୍ନ କରୁଛନ୍ତି। ରାହୁଲ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପି ସରକାର କ’ଣ କେବଳ ଧନୀଙ୍କ ଲାଗି କାମ କରିବ କି ବୋଲି ପ୍ରଶ୍ନ କରିଥିଲେ। ଏନେଇ ସେ କେତେକ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନେଇ ଏକ ସାରଣୀ ପ୍ରସ୍ତୁତ କରିଥିଲେ। ତେବେ ଏଥିରେ ସେ ଯେଉଁ ଗାଣିତିକ ତ୍ରୁଟି ରଖିଥିଲେ ସେଥିନେଇ ରାହୁଲ ଆଜି କ୍ଷମା ମାଗିଛନ୍ତି। କ୍ଷମା ମାଗିବା ପ୍ରସଙ୍ଗରେ ରାହୁଲ ଯେଭଳି ନିଜକୁ ଉପସ୍ଥାପନା କରିଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇଛି ରାହୁଲ କହିଛନ୍ତି ଯେ ସେ ଜଣେ ମଣିଷ ଏବଂ ମୋଦିଙ୍କ ଭଳି ନୁହନ୍ତି। ଜଣେ ମଣିଷ ଭାବେ ଭୁଲ୍‌ ହେବା ସ୍ୱାଭାବିକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର