ସମ୍ବଲପୁର ବିଧାନସଭା ଆସନରେ ଶିକ୍ଷୟିତ୍ରୀ-ଛାତ୍ର ଲଢ଼େଇ

ଭୁବନେଶ୍ୱର (ଦେବାଶିଷ ବାରିକ): ସମଗ୍ର ରାଜ୍ୟରେ ପ୍ରଥମ ଥର ଲାଗି ଏଥର ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲାଗିଛି ଜଣେ ଶିକ୍ଷୟିତ୍ରୀ ଓ ତାଙ୍କର ଜଣେ ଛାତ୍ରଙ୍କ ମଧ୍ୟରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା।

ଛାତ୍ରଜଣକ ହେଉଛନ୍ତି ‘ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ୍‌ ରିସର୍ଚ’ (ଭିମ୍‌ସାର୍‌) ପୂର୍ବତନ ନିର୍ଦେଶକ ତଥା କଂଗ୍ରେସ ପ୍ରାର୍ଥୀ ଡାକ୍ତର ଅଶ୍ୱିନୀ ପୂଜାହାରୀ। ସେ ନିର୍ବାଚନ ଲଢୁଛନ୍ତି ବିଜେଡି ପ୍ରାର୍ଥୀନୀ ତଥା ତାଙ୍କର ଶିକ୍ଷୟିତ୍ରୀ ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିପକ୍ଷରେ। ଉଭୟ ଡାକ୍ତର ଏବଂ ରାଜନୀତିକୁ ଆସିବା ପୂର୍ବରୁ ସେମାନେ ବୃତ୍ତିଗତ ଜୀବନରେ ସୁନାମ ଅର୍ଜନ କରିଥିଲେ।

ରାଶେସ୍ୱରୀ ଏବେ ସମ୍ବଲପୁର ବିଧାନସଭା ଆସନର ବିଧାୟିକା ଅଛନ୍ତି। ଅଶ୍ୱିନୀ ପୂଜାହାରୀ ନୂଆ ହେଲେ ବି ଲୁଣ ଚିକିତ୍ସା ଯୋଗୁଁ ସେ ଚର୍ଚ୍ଚାକୁ ଆସିଥିଲେ।

ବର୍ତ୍ତମାନ ‘ଭିମ୍‌ସାର୍‌’ ହୋଇଥିବା ‘ଭି. ଏସ୍‌. ଏସ୍‌. ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍‌ପିଟାଲ୍‌’ରେ ପୂଜାହାରୀ ୧୯୭୫-୮୦ ମସିହାରେ ଏମ୍‌ବିବିଏସ୍‌ ପଢୁଥିବା ବେଳେ ପାଣିଗ୍ରାହୀ ତାଙ୍କର କନିଷ୍ଠ ଶିକ୍ଷୟିତ୍ରୀ ଥିଲେ।

ସ୍ଥାନୀୟ ବିଧାୟିକା ତାଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି ଏବଂ ଓଡ଼ିଶା ସରକାରଙ୍କ ଉଦାସୀନତାରେ ଅପମାନିତ ହୋଇ ପୂଜାହାରୀ ଗତ ଫେବ୍ରୁଆରି ମାସରେ ଚାକିରିରୁ ଇସ୍ତଫା ଦେଇଥିଲେ। ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ ହେଉଥିବା ଦୁର୍ନୀତି ହଟାଇବାକୁ ପ୍ରଶାସନିକ ଧାରା ବିରୋଧରେ ଲଢ଼େଇ କରିବାକୁ ସେ ସେବେଠାରୁ ନିଷ୍ପତ୍ତି ନେଇଥିଲେ।

Image Credit: OST

କିଛି ଦିନ ତଳେ ସେ ରାଜନେତା ପାଲଟି ମାର୍ଚ ୨୪ ତାରିଖରେ ଭୁବନେଶ୍ୱର ଠାରେ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ। ସେ ସଂକ୍ରାନ୍ତରେ ପଚରା ଯିବାରୁ ସେ କହିଲେ: ଟିକେଟ୍‌ ଦେବା ଲାଗି କଂଗ୍ରେସ ଲୋକେ ମୋ ଘରକୁ ଆସିଥିଲେ। ପରିବାର ଲୋକଙ୍କ ସହ ଆଲୋଚନା କରି ମୁଁ ଏହା ଗ୍ରହଣ କଲି।

ପ୍ରଥମେ ମୁଁ ବିଜେପିରେ ଯୋଗ ଦେବାକୁ ଆଗ୍ରହୀ ଥିଲି। କେତେକ ଲୋକ ମୋ ବିରୋଧରେ ଷଡ଼ଯନ୍ତ୍ର କରି ବିଜେପି ନେତାଙ୍କୁ କହିଲେ କି, ସେମାନେ ମତେ ତାଙ୍କ ଦଳରେ ମତେ ସାମିଲ ନ କରନ୍ତୁ।

ପାର୍ଲାମେଣ୍ଟ୍‌ ସଦସ୍ୟ ହେବାକୁ ତାଙ୍କର ଆଗ୍ରହ ମଧ୍ୟ ଥିଲା, କିନ୍ତୁ ଶେଷରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ସ୍ଥିର କଲେ। ସେ କହନ୍ତି: ପ୍ରଥମେ ମୁଁ ଚାହୁଁଥିଲି ମୋ ରାଜ୍ୟର ସମସ୍ୟା କଥା ପାର୍ଲାମେଣ୍ଟ୍‌ରେ ପକାଇବି, କିନ୍ତୁ ପରେ ଭାବିଲି ମୋ ଅଞ୍ଚଳର ସମସ୍ୟା କଥା ବିଧାନସଭାରେ ଉଠାଇବି। ଯେହେତୁ ମୁଁ ଓଡ଼ିଶାରେ ରହିବି, ବିଧାୟକ ହେଲେ ମୋ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସହ ଅଧିକ ସମୟ ବିତାଇ ପାରିବି।

ତାଙ୍କର ଶିକ୍ଷୟିତ୍ରୀଙ୍କ ସହ ଲଢୁଥିବାରୁ ସେ ଭୟ କରୁଛନ୍ତି କି, ବୋଲି ପଚାରା ଯିବାରୁ ସେ କହିଲେ: ନା, ବିଜେଡି ବିରୋଧରେ ଲଢ଼ିବାକୁ ମତେ ସମ୍ବଲପୁର ଲୋକ କହିଛନ୍ତି।

ଦଳୀୟ ଚିହ୍ନ ନିର୍ବିଶେଷରେ ଭଲ, ସାଧୁ ଓ ବିଶ୍ୱସ୍ତ ଲୋକକୁ ଲୋକେ ସମର୍ଥନ କରି ଭୋଟ୍‌ ଦେବେ। ଆଜିକାଲି ଟଙ୍କା ଭୋଟ୍‌ କିଣି ପାରିବ ନାହିଁ।
ତାଙ୍କର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ତାଙ୍କ ଶିକ୍ଷୟିତ୍ରୀ ପ୍ରତି ତାଙ୍କର ଗଭୀର ସମ୍ମାନ ରହିଛି। ଏମ୍‌ବିବିଏସ୍‌ ପଢ଼ା ସମୟର କଥା ସ୍ମରଣ କରି ସେ କହନ୍ତି, ସେ ଥିଲେ ଜଣେ ଉତ୍ତମ ଶିକ୍ଷୟିତ୍ରୀ। ତାଙ୍କର କ୍ଲିନିକାଲ୍‌ କ୍ଲାସ୍‌ ନେଉଥିଲେ।

ସେ ବାଙ୍ଗାଲୋର୍‌ରେ ଗୋଟିଏ ଘରୋଇ ଡାକ୍ତରଖାନାରେ କାମ କରୁଥିବା ବେଳେ ରାସେଶ୍ୱରୀ ହିଁ ତାଙ୍କୁ ଓଡ଼ିଶା ଫେରି ଆସି ‘ଭିମସାର୍‌’କୁ ଏକ ଉତ୍ତମ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ କରିବା ନିମନ୍ତେ କାମ କରିବାକୁ ଫୋନ୍‌ କରି ଡାକିଥିଲେ।

ରାଜନୀତିରେ ଯୋଗ ଦେବା ପରେ ସେ ରାସେଶ୍ୱରୀଙ୍କୁ ଭେଟି ନାହାନ୍ତି, କିନ୍ତୁ ନିର୍ବାଚନ ପୂର୍ବରୁ ଭେଟିବେ ବୋଲି କହିଛନ୍ତି।

ରାସେଶ୍ୱରୀ ମଧ୍ୟ ଦୁନିଆର ସବୁ ଶିକ୍ଷକଙ୍କ ଭଳି ତାଙ୍କର ଛାତ୍ରର ନୂତନ ଅଭିଯାନ ଲାଗି ଶୁଭେଚ୍ଛା ଜଣାଇଛନ୍ତି।

ପୁରୁଣା କଥା ସ୍ମରଣ କରି ସେ କହନ୍ତି: ଅଶ୍ୱିନୀ ମେଧାବୀ ଛାତ୍ର ଥିଲା ଏବଂ ଏମ୍‌ବିବିଏସ୍‌ରେ ଟପ୍ପର ହୋଇଥିଲା। ସେ ଭାରି ଆଜ୍ଞାଧୀନ।
ସେ ନିର୍ବାଚନ ଲଢୁଥିବା ପ୍ରସଙ୍ଗରେ ୭୨ ବର୍ଷୀୟା ରାସେଶ୍ୱରୀ କହନ୍ତି: ନିର୍ବାଚନ ଲଢ଼ିବାକୁ ସମସ୍ତଙ୍କର ଅଧିକାର ଅଛି। ମୁଁ ଅଶ୍ୱିନୀର ସଫଳତା କାମନା କରୁଛି।

ସମ୍ବନ୍ଧିତ ଖବର