ଲିଖିତ ପ୍ରଶ୍ନ ପଚାରି ଭୁଲି ଗଲେ ମମତାଙ୍କ ପୁତୁରା, ଲୋକସଭାରେ ଅପ୍ରସ୍ତୁତ ହୋଇଗଲେ,ସୃଷ୍ଟି ହେଲା ହାସ୍ୟରୋଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ମଙ୍ଗଳବାର ଲୋକସଭାରେ ହଟହଟା ହୋଇଛନ୍ତି। ସେ ନିଜେ ପଚାରିଥିବା ଲିଖିତ ପ୍ରଶ୍ନ ସଂପର୍କରେ ଅବଗତ ନ ଥିବା ଓ ବାଚସ୍ପତି ସୁମିତ୍ରା ମହାଜନ ଏ ନେଇ ତାଙ୍କୁ କହିବା ସମୟରେ ତାଙ୍କ ପାଟି ଖନି ମାରିଯିବା ଘଟଣା ଲୋକସଭାରେ ହାସ୍ୟରୋଳ ସୃଷ୍ଟି କରିଛି। ଗତକାଲି ପ୍ରଶ୍ନୋତ୍ତର କାଳରେ ବାଚସ୍ପତି ସୁମିତ୍ରା ମହାଜନ ନିଜ ପ୍ରଶ୍ନ ପଢ଼ିବା ଲାଗି ସାଂସଦ ଅଭିଷେକ ବାନାର୍ଜୀଙ୍କୁ କହିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଅଭିଷେକ କିଛି ବି କହି ପାରି ନ ଥିଲେ ବରଂ ଥତମତ ହୋଇଯାଇଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ତୃଣମୂଳ କଂଗ୍ରେସର ଦୁଇ ବରିଷ୍ଠ ସାଂସଦ ସୁଗତ ବୋଷ ଏବଂ ସୌଗତ ରାୟ ଅଭିଷେକଙ୍କୁ ଲିଖିତ ପ୍ରଶ୍ନଟି ପଚାରିବାକୁ କହିଥିଲେ। ମାତ୍ର ଏହା ସରକାରୀ ଦଳ ସଦସ୍ୟଙ୍କୁ ହସର ଖୋରାକ ଯୋଗାଇଥିଲା।

ଅନ୍ୟପକ୍ଷରେ ଅଭିଷେକ ବାନାର୍ଜୀଙ୍କ ଏପରି ଅପ୍ରସ୍ତୁତ ଅବସ୍ଥା ଦେଖି ବାଚସ୍ପତି କହିଥିଲେ କି ଆପଣ ଯଦି ପ୍ରଶ୍ନ ଭୁଲି ଯାଇଛନ୍ତି,ଛାଡି ଦିଅନ୍ତୁ। ଉଲ୍ଲେଖଯୋଗ୍ୟ କି ଟିଆରଏସ୍‌ ସାଂସଦ କେ. କବିତାଙ୍କ ସହ ମିଶି ଅଭିଷେକ ଏହି ପ୍ରଶ୍ନ ପଚାରିଥିଲେ। ମାତ୍ର କେ.କବିତା ସଂସଦରେ ଉପସ୍ଥିତ ନ ଥିବାରୁ ତୃଣମୂଳ ସାଂସଦ ଅଭିଷେକଙ୍କୁ ପ୍ରଶ୍ନ କରିବାକୁ ବାଚସ୍ପତି କହିଥିଲେ। ଏହାପରେ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ବାବୁଲ ସୁପ୍ରିୟ ତାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ।

ସମ୍ବନ୍ଧିତ ଖବର