କଇରଣା-ନୂରପୁର ଆସନରେ ଆମେ ବିଜେପିକୁ ତା’ର ଶୈଳୀରେ ପରାସ୍ତ କରିଛୁ: ଅଖିଳେଶ ଯାଦବ

ସମାଜବାଦୀ ପାର୍ଟି ନେତା କହିଲେ - ବିଜେପି ସରକାର ଚାଷୀଙ୍କୁ ଧୋକା ଦେଇଛି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ କଇରଣା ଲୋକସଭା ଆସନ ଓ ନୂରପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ହାରିଛି। ଗୁରୁବାର ପ୍ରକାଶ ପାଇଥିବା ଫଳଫଳ ଅନୁସାରେ ଏହି ୨ଟି ସିଟରେ ବିରୋଧୀ ଦଳର ମେଣ୍ଟ ପକ୍ଷରୁ ଛିଡ଼ା କରାଯାଇଥିବା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଫଳାଫଳ ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପି ଉପରେ ଆକ୍ରମଣାତ୍ମକ ବୟାନ ଦେଇଛନ୍ତି।

କଇରଣା ଓ ନୂରପୁର ଫଳାଫଳ ଉପରେ ଅଖିଳେଶ ଯାଦବ କହିଛନ୍ତି, ଆମେ ବିଜେପିକୁ ତା’ର ଶୈଳୀରେ ପରାସ୍ତ କରିଛୁ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଯେତେବେଳେ ବିକାଶ ସମ୍ପର୍କରେ ଆଲୋଚନା କରୁଥିଲୁ, ସେମାନେ ସାମାଜିକ ପ୍ରସଙ୍ଗ ନେଇ ଆଲୋଚନା କରୁଥିଲେ। ସମାଜବାଦୀ ଲୋକ ଏହା ସେମାନଙ୍କଠାରୁ ଶିଖି ଦଳିତ ଓ ଚାଷୀ ପ୍ରସଙ୍ଗ ଉଠାଇଛନ୍ତି। ସୂଚନାଯୋଗ୍ୟ କଇରଣା ଲୋକସଭା ଆସନରେ ରାଷ୍ଟ୍ରୀୟ ଲୋକଦଳ ପ୍ରାର୍ଥୀ ତବସୁମ ହାସନ ଓ ନୂରପୁର ବିଧାନସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନଇମ ଉଲ ହାସନ ବିଜୟୀ ହୋଇଛନ୍ତି।

କଇରଣା ଓ ନୂରପୁରର ଫଳାଫଳ ଉପରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ଭୀଷଣ ଗରମକୁ ଖାତିର ନକରି ଲୋକମାନେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ରହି ମତଦାନ କରିଛନ୍ତି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ସେ କହିଛନ୍ତି, ବିଜେପି ଉଦ୍ୟମ କରୁଥିଲା ଯେ, ପ୍ରସଙ୍ଗକୁ ବଦଳାଇ ଦିଆଯାଉ କିନ୍ତୁ ଲୋକ କହିଲେ ବିଜେପି ଲୋକଙ୍କୁ ଧୋକା ଦେଇଛି। ଏହା ଦେଶର ରାଜନୀତି ପାଇଁ ବଡ଼ ସନ୍ଦେଶ। ଅଖିଳେଶ କହିଛନ୍ତି, ସମାଜବାଦୀ ପାର୍ଟିର ଇଭିଏମ ଉପରେ ଯେଉଁ ରାୟ ଥିଲା ଆଜି ମଧ୍ୟ ରହିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଆଖୁ ଚାଷ ଉପରେ ଅଖିଳେଶ କହିଛନ୍ତି, ସରକାରୀ ବାବୁମାନେ ଚାଷୀଙ୍କୁ ଧୋକା ଦେଇଛନ୍ତି। ଆଖୁ ଚାଷ ହେଉଥିବା ଅଞ୍ଚଳରେ ଚାଷୀମାନେ ଆବଶ୍ୟକ ସୁବିଧା ପାଇ ପାରି ନାହାନ୍ତି। ସାମ୍ବାଦିକ ସମ୍ମିଳନୀ ବ୍ୟତୀତ ଅଖିଳେଶ ଟୁଇଟରରେ ମଧ୍ୟ ନିଜର ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି, କଇରଣାରେ କ୍ଷମତାରେ ଥିବା ବିଜେପି ନିଜର ବୁଦ୍ଧି ଯୋଗୁଁ ହାରିଛି। ଦେଶକୁ ବିଭାଜନ କରୁଥିବା ରାଜନୀତି ହାରିଛି ବୋଲି ଅଖିଳେଶ କହିଛନ୍ତି।

ସମ୍ବନ୍ଧିତ ଖବର