ମାଇକ୍ରୋସଫ୍‌ଟର ବିଲ୍‌ ଗେଟ୍‌ସ, ଫେସ୍‌ବୁକର ଜୁକର୍‌ବର୍ଗ, ଇ-ମେଲ୍‌ର ଜନ୍ମଦାତା ସାମୁଏଲ୍‌; ଏମାନଙ୍କ ପୂର୍ବରୁ ରହିଥିବା ‘ଇଣ୍ଟର୍‌ନେଟ୍‌ର’ କିଏ ଜାଣନ୍ତି କି?

ନୂଅାଦିଲ୍ଲୀ: ମାଇକ୍ରୋସଫ୍‌ଟର ନିର୍ମାତା ଭାବେ ବିଲ୍‌ ଗେଟ୍‌ସ, ଫେସ୍‌ବୁକର ସୃଷ୍ଟିକର୍ତ୍ତା ଭାବେ ମାର୍କ ଜୁକର୍‌ବର୍ଗ, ଇ-ମେଲ୍‌ର ନିର୍ମାତା ଭାବେ ରେମଣ୍ଡ୍‌ ସାମୁଏଲ୍‌ ଟୋମଲିନ୍‌ସନ ପରିଚିତ। ତେବେ ଏସବୁ ଯାହା ଦ୍ୱାରା ସମ୍ଭବ ତାହା ହେଉଛି ଇଣ୍ଟର୍‌ନେଟ୍‌। ବିନା ଇଣ୍ଟରନେଟ୍‌ରେ ଏ ସବୁ ହିଁ ମୂଲ୍ୟହୀନ। ତେବେ, ଆପଣ ଜାଣିବାକୁ ନିଶ୍ଚୟ ଚାହିଁବେ ଯେ ଏ ଇଣ୍ଟର୍‌ନେଟ୍‌ର ସୃଷ୍ଟି କିପରି, ଏହାର ସୃଷ୍ଟିକର୍ତ୍ତା କିଏ?

ସେପରି ଭାବେ ଦେଖିବାକୁ ଗଲେ ଇଣ୍ଟର୍‌ନେଟ୍‌ ପାଇଁ କେହି ଜଣେ ବ୍ୟକ୍ତିର ଅବଦାନ ନାହିଁ। ଏହା ପଛରେ ଅନେକ ଲୋକଙ୍କ ହାତ। ଇଣ୍ଟର୍‌ନେଟ୍‌ର ଅନେକ ପିତା ମଧ୍ୟରୁ ଭିଣ୍ଟ୍‌ ସେର୍ଫ ଅନ୍ୟତମ। ଭିଣ୍ଟ୍‌ ୧୯୪୩ ମସିହା ଜୁନ୍‌ ୨୩ ତାରିଖରେ ଆମେରିକାରେ ଜନ୍ମଗ୍ରହଣ କରିଥିଲେ। ସେ ଟିସିପି/ଆଇପି ଇଣ୍ଟ୍‌ରନେଟ୍‌ ସୋସାଇଟି ଜରିଆରେ ଲୋକଙ୍କ ଆଗରେ ବେଶ୍‌ ଚିହ୍ନା। ତାଙ୍କର ପୂରା ନାଁ ହେଉଛି ଭିଣ୍ଟନ୍‌ ଗ୍ରେ ସେର୍ଫ।

ଇଣ୍ଟ୍‌ନେଟ୍‌ର ଉଦ୍ୟୋକ୍ତା, ଟିସିପି/ଆଇପିର ଡିଜାଇନର୍‌ ଭାବେ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୧୯୯୭ ମସିହାରେ ଆମେରିକାର ପ୍ରେସିଡେଣ୍ଟ୍‌ ବିଲ୍‌ କ୍ଲିଣ୍ଟନ୍‌ ତାଙ୍କୁ ‘ୟୁ.ଏସ୍‌ ନେସ୍‌ନାଲ୍‌ ମେଡେଲ୍‌ ଅଫ୍‌ ଟେକ୍‌ନୋଲୋଜି’ ସମ୍ମାନରେ ସମ୍ମାନିତ କରିଥିଲେ। ୨୦୦୪ ମସିହାରେ ତାଙ୍କୁ କମ୍ପ୍ୟୁଟର୍‌ ସାଇନ୍ସର ନୋବେଲ୍‌ ପ୍ରାଇଜ୍‌ କୁହାଯାଉଥିବା ‘ଏସିଏମ୍‌ ଅଲନ୍‌ ଏମ୍‌. ଟୁରିଙ୍ଗ୍‌’ ସମ୍ମାନ ମିଳିଥିଲା। ସେହିପରି ୨୦୦୫ ମସିହାରେ ସେର୍ଫଙ୍କୁ ପ୍ରେସିଡେଣ୍ଟ୍‌ ଜର୍ଜ ବୁସ୍‌ଙ୍କ ପକ୍ଷରୁ ‘ପ୍ରେସିଡେଣ୍ଟାଲ୍‌ ମେଡାଲ୍‌ ଅଫ୍‌ ଫ୍ରିଡମ୍‌’ ସମ୍ମାନ ଦିଆଯାଇଛି।

ଇଣ୍ଟର୍‌ନେଟ୍‌ ପାଇଁ ଦୀର୍ଘ ବର୍ଷ ସମୟ ଲାଗି ଯାଇଥିଲା। ୧୯୭୦ ମସିହାରେ ଏହାକୁ କରିବାର ପରିକଳ୍ପନା ଚିନ୍ତା କରାଯାଇଥିଲେ ମଧ୍ୟ ୧୯୮୫ ମସିହାରେ ଇଣ୍ଟର୍‌ନେଟ୍‌ ନିର୍ମାଣ ପଛରେ ଲାଗିଥିବା ଗବେଷକ ଦଳଙ୍କୁ ସଫଳତା ମିଳିଥିଲା। ସେ ସମୟରେ ସେକେଣ୍ଡ୍‌କୁ ୫୬ କିଲୋବାଇଟ୍‌ ହିସାବରେ ଇଣ୍ଟ୍‌ରନେଟ୍‌ ଚାଲୁଥିଲା, ଯାହାକି ଏବେକାର ଏକ ମୋଡେମ୍‌ଠାରୁ ବି ଆହୁରି ଧୀର । ଧୀରେ ଧୀରେ ଏହା କେବଲ୍‌ ସେବା ସହ ଯୋଡ଼ି ହେବା ପରେ ସେବେ ସମୟଠାରୁ ୩୦ ଗୁଣା ଅଧିକ ସ୍ପିଡ୍‌ ଇଣ୍ଟରନେଟ୍‌ ହୋଇପାରିଛି। ପ୍ରଥମ ଥର ପାଇଁ ୧୯୯୧ ମସିହାରେ ବାଣିଜ୍ୟ ଉଦେଶ୍ୟରେ ଇଣ୍ଟ୍‌ନେଟ୍‌ର ଉପଯୋଗ କରାଗଲା।

ସମ୍ବନ୍ଧିତ ଖବର