ଦୁଇ ବର୍ଷର ଶିଶୁ ପ୍ରତିଦିନ ଟାଣୁଛି ୪୦ଟି ସିଗାରେଟ!

ଦୁଇ ବର୍ଷର ଶିଶୁ ପ୍ରତିଦିନ ଟାଣୁଛି ୪୦ଟି ସିଗାରେଟ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏଭଳି ଜଣେ ଶିଶୁକୁ ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି। ଏହି ଦୁଇ ବର୍ଷର ଶିଶୁକୁ ପ୍ରତିଦିନ ଦରକାର ୪୦ଟି ସିଗାରେଟ୍‌। ଯଦି ସିଗାରେଟ ନ ମିଳେ ତେବେ ସେ କାନ୍ଦିଥାଏ। ଏଥିରୁ ଯଦି କେହି ତାକୁ ବାରଣ କରିଥାଏ ତେବେ ସେ ନାଲିଆଖି ଦେଖାଇବାକୁ ପଛାଇ ନଥାଏ। ଇଣ୍ଡୋନେସିଆରେ ଏବେ ଏହି ଦୁଇ ବର୍ଷର ଶିଶୁକୁ ନେଇ ଜୋର ଧରିଛି ଚର୍ଚ୍ଚା। ଏପରିକି ଶିଶୁଟିର ଅଜବ ଅଭ୍ୟାସ ଦେଖି ଲୋକମାନେ ମଧ୍ୟ ତାଜୁବ। କାରଣ ଏହି ଦୁଇ ବର୍ଷର ପିଲାଟିର ସିଗାରେଟ ନ ହେଲେ ଦିନ ବିତୁନାହିଁ। ଆଉ ଏହାରି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ୨ ବର୍ଷର ଛୁଆଟି ବାଇକ ଉପରେ ବସି ସିଗାରେଟ ଟାଣୁଥିବାର ଦେଖିବାକୁ ମିଳିଛି। ଏପରିକି ପାଖରେ ଛୁଆଟିର ମା’ ବାପା ମଧ୍ୟ ଉପସ୍ଥିତ ଅଛନ୍ତି। କିନ୍ତୁ ଶିଶୁଟିର ସେଥିପ୍ରତି ପରବାଏ ନାହିଁ।

ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିଗାରେଟ ନିଶାରେ ପଡିଥିବା ଏହି ଛୁଆଟିର ନାଁ ରାପି। ରାସ୍ତା କଡରେ ରାପିର ମା’ ଏକ ଛୋଟ ଦୋକାନ କରିଥିଲେ। ତେଣୁ ଅଧିକାଂଶ ସମୟରେ ରାପିକୁ ସେହି ଦୋକାନରେ ଦେଖିବାକୁ ମିଳୁଥିଲା। ରାସ୍ତାରେ ଯାଉଥିବା ଅଧିକାଂଶ ଲୋକ ସିଗାରେଟ ଟାଣିବା ପରେ ଫୋପାଡି ଦେଉଥିଲେ। କିଛି ଦିନ ରାପି ଏହା ଦେଖିବା ପରେ ଅଧା ଟଣା ହୋଇଥିବା ସିଗାରେଟ ରାସ୍ତାରୁ ଗୋଟାଇବା ସହ ଏହାକୁ ଟାଣିବା ଆରମ୍ଭ କରିଥିଲା। ପ୍ରଥମରୁ ରାପିର ବାପା ଓ ମା’ ଭାବୁଥିଲେ ଲିଭିଯାଇଥିବା ସିଗାରେଟ ସହ ତାଙ୍କ ପୁଅ ଖେଳୁଛି। କିନ୍ତୁ ଧୀରେ ଧୀରେ ଏହାକୁ ଅଭ୍ୟାସରେ ପରିଣତ କରିଥିଲା ରାପି। ସିଗାରେଟ ନିଶା ରାପିକୁ ଏବେ ଏଭଳି ଭାବେ ପାଗଳ କରିଛି ଯେ, ରାସ୍ତାରେ ଯାଉଥିବା ଲୋକଙ୍କୁ ମଧ୍ୟ ସିଗାରେଟ ମାଗିବାକୁ ପଛାଉନାହିଁ ରାପି। ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ରାପିର ବାପା ଓ ମା’ ଏହାକୁ ଦେଖୁଥିଲେ ମଧ୍ୟ ଏହାକୁ ରୋକୁ ନାହାନ୍ତି।

୨ ବର୍ଷର ଶିଶୁ ସିଗାରେଟ ଟାଣିବାର ଭିଡିଓ ଭାଇରାଲ ହେବା ପରେ ରାପିର ବାପା ଓ ମା’ଙ୍କୁ ନେଇ ସୋସିଆଲ ମିଡିଆରେ ଜୋର ଧରିଥିଲା ଆଲୋଚନା। ତେବେ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା ଶୁଣିବା ପରେ ରାପିର ବାପା ଓ ମା’ କହିଛନ୍ତି ଖୁବଶୀଘ୍ର ସେ ରାପିକୁ ଡାକ୍ତରଙ୍କୁ ଦେଖାଇବା ସହ ସିଗାରେଟ ଟାଣିବା ଅଭ୍ୟାସ ଛଡାଇବାକୁ ପ୍ରୟାସ କରିବେ। ରାପିର ବାପା ଓ ମା’ଙ୍କ କହିବା ଅନୁଯାୟୀ, ଯଦି ପ୍ରତିଦିନ ରାପିକୁ ସିଗାରେଟ ଟାଣିବାକୁ ମିଳେ ନାହିଁ ତେବେ ଝଟଡା କରିଥାଏ। ଏପରିକି ସିଗାରେଟ ନ ମିଳିଲେ କାନ୍ଦିଥାଏ ଯଦି କେହି ଏଥିରୁ ତାକୁ ବାରଣ କରିଥାଏ ତେବେ ନାଲିଆଖି ଦେଖାଇବାକୁ ପଛାଇ ନଥାଏ ରାପି। ତେଣୁ ବାଧ୍ୟ ହୋଇ ରାପିକୁ ସିଗାରେଟ ଦେବାକୁ ପଡିଥାଏ।

ସୂଚନା ଅନୁଯାୟୀ, ଇଣ୍ଡୋନେସିଆ ବିଶ୍ୱର ଏଭଳି ଦେଶ ମାନଙ୍କର ତାଲିକାରେ ରହିଛି ଯେଉଁଠାରେ ଲୋକମାନେ ସର୍ବାଧିକ ସିଗାରେଟ ଟାଣିଥାନ୍ତି। ଏପରିକି ଏକ ସର୍ଭେ ଅନୁଯାୟୀ, ଇଣ୍ଡୋନେସିଆର ୧୮ ବର୍ଷରୁ କମ ବୟସର ୯ ପ୍ରତିଶତ ଶିଶୁ ସିଗାରେଟ ଟାଣିବାରେ ଅଭ୍ୟସ୍ତ। ଯାହା ପୂରା ଦେଶକୁ ଚିନ୍ତାରେ ପକାଇଛି।

ସମ୍ବନ୍ଧିତ ଖବର