ଭାରତୀୟ ଡାକ୍ତରଙ୍କ ଚମତ୍କାର ! ଦୀର୍ଘ ୩୨ବର୍ଷ ହେବ ବସି ପାରୁ ନଥିବା ବିଦେଶୀ ମହିଳାଙ୍କର କଲେ ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଉଜବେକିସ୍ତାନର ଜଣେ ମହିଳା ଦୀର୍ଘ ୩୨ବର୍ଷ ହେବ ସାଧାରଣ ମଣିଷ ଭଳି ବସି ପାରୁ ନ ଥିଲେ। ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍‌ପିଟାଲ ଡାକ୍ତରମାନେ ମହିଳାଙ୍କ ସଫଳ ଅସ୍ତ୍ରୋପଚାର କରି ତାଙ୍କୁ ବସିବା ପାଇଁ ସକ୍ଷମ କରି ପାରିଛନ୍ତି। ଏହି ୩୭ବର୍ଷୀୟ ମହିଳାଙ୍କ ନାମ ଗୁଲନୋରା ରାପିଖୋଭା ବୋଲି ଜଣାପଡ଼ିଛି। ଏହି ମହିଳା ପାଞ୍ଚ ବର୍ଷ ବୟସରୁ ବସି ପାରୁ ନ ଥିଲେ। ସେ ତାଙ୍କ ଦୈନନ୍ଦିନ କାମ ଶୋଇକି ନ ହେଲେ ଛିଡା ହୋଇ କରୁଥିଲେ।

ଗୁଲନୋରା ରାପିଖୋଭା କହନ୍ତି, ସେ ଦିନେ  ତାଙ୍କ ସିରଦରିଆ ଘରେ ଏକାକୀ ଥିବା ସମୟରେ ଗ୍ୟାସ ଷ୍ଟୋଭରୁ ନିଆଁ ଲାଗି ଯାଇଥିଲା। ଏହି ନିଆଁ ହେତୁ ତାଙ୍କର ପାଦ, ଜଙ୍ଘ ଓ ପୀଠ ତଳର ଅଂଶ ଜଳି ଯାଇଥିଲା। ସେତେବେଳେ ତାଙ୍କୁ ମାତ୍ର ୫ବର୍ଷ ହୋଇଥିଲା। ସେ ଯେଉଁସ୍ଥାନରେ ରହୁଥିଲେ ସେଠାରେ ତାଙ୍କୁ ଉଚିତ ଡାକ୍ତରୀ ଚିକିତ୍ସା ମିଳି ନଥିଲା। ତାଙ୍କର ପିତା-ମାତା ଝିଅକୁ ଠିକ୍‌ କରିବା ପାଇଁ ବହୁ ଚେଷ୍ଟା କରିଛନ୍ତି। ସେ ପାଖାପାଖି ଚିକିତ୍ସା ପାଇଁ ୧୮ମାସ ହସପିଟାଲରେ ରହିଥିଲେ। କିନ୍ତୁ ତାଙ୍କ ଘାଆ ଶୁଖି ନଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ତଜାକିସ୍ତାନ ଆଣିବାକୁ ପଡ଼ିଥିଲା, କିନ୍ତୁ କୌଣସି ଲାଭ ହୋଇ ନଥିଲା। ଆଠ ବର୍ଷ ବୟସରେ ସେ ସ୍କୁଲ ଯିବାକୁ ଲାଗିଲେ। ବସି ପାରୁ ନଥିବା ହେତୁ ତାଙ୍କୁ ପାଠପଢ଼ାରେ ବହୁ ଅସୁବିଧା ହେଉଥିଲା। ଏହ ସତ୍ତ୍ୱେ ବି ସେ ପାଠପଢ଼ା ଛାଡ଼ି ନ ଥିଲେ। ଛଅମାସ ପୂର୍ବରୁ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା। ଯେତେବେଳେ ଉଜବେକିସ୍ତାନର ସିରଦରିଆରେ ଆପୋଲୋର ଡାକ୍ତରଙ୍କ ଦ୍ୱାରା ମାଗଣା ଚିକିତ୍ସା କ୍ୟାମ୍ପର ଆୟୋଜନ କରାଯାଇଥିଲା। ଗୁଲନୋରଙ୍କୁ ସ୍ଥାନୀୟ ପଲିକ୍ଲିନିକ୍‌ରୁ ଏକ କଲ୍‌ ଆସିଥିଲା ଓ କିଛି ଭାରତୀୟ ଡାକ୍ତର ଆସୁଥିବା ନେଇ କହିଥିଲେ। ଏହାପରେ ସେ ସେଠାକୁ ଯାଇଥିଲେ।

କ୍ଲିନିକ୍‌ ଗଲାପରେ ଡାକ୍ତର ସାହିନ୍‌ ନୋରେୟେଜଦାନ ତାଙ୍କୁ ବସିବାକୁ କହିଥିଲେ। ସେ ବସି ପାରନ୍ତି ନାହିଁ ବୋଲି ଡାକ୍ତରଙ୍କୁ କୁହାଯାଇଥିଲା। ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍‌ପିଟାଲ ଡାକ୍ତର ସାହିନ୍‌ ନୋରେୟେଜଦାନ ଯେତେବେଳେ ଜାଣିବାକୁ ପାଇଲେ କି ସେ ୩୨ବର୍ଷ ହେବ ବସି ପାରୁ ନାହାନ୍ତି ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ। ସେ ରାପିଖୋଭା ଜଙ୍ଘରେ ହୋଇଥିବା ଘା’କୁ ପୂର୍ବରୁ କେବେ ଦେଖି ନଥିଲେ ଓ ରାପିଖୋଭାଙ୍କୁ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ଆବଶ୍ୟକ ଅଛି ବୋଲି ଡାକ୍ତର କହିଥିଲେ। କିନ୍ତୁ ରାପିଖୋଭାଙ୍କ ପାଖରେ ଭାରତ ଆସିବାକୁ ଅର୍ଥ ନାହିଁ ବୋଲି ସେ ଡାକ୍ତରଙ୍କୁ କହିଥିଲେ। ଡାକ୍ତର ଏଥିପାଇଁ ଅର୍ଥ ଯୋଗାଡ କରିଥିଲେ,ତା’ପରେ ଯାଇ ସେ ଭାରତ ଆସିଥିଲେ ଏବଂ ତାଙ୍କର ଚିକିତ୍ସା କରାଯାଇଥିଲା ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଭାବେ ସୁସ୍ଥ ଅଛନ୍ତି।

ସମ୍ବନ୍ଧିତ ଖବର