ମୁମ୍ବାଇ: ସେନାରେ ରୋଷେୟା ଭାବେ କାମ କରୁଥିବା ରାମଦାଲ ଯାଦବଙ୍କ ଜୀବନ କାହାଣୀ ବି ବଡ଼ ବିଚିତ୍ର। ବୟସ ପାଖା ପାଖି ୬୮ବର୍ଷ ହେବ। ସେ ଚାକିରି ଜୀବନରୁ ଅବସର ନେଇ ସାରିଛନ୍ତି। ତାଙ୍କ ପୁଅର ମୃତ୍ୟୁ ପରେ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ତେଣୁ ନିଜକୁ ଏକ କୌଣସି କାମରେ ବ୍ୟସ୍ତ ରଖି ପୁଅ ହରାଇବାର ଦୁଃଖକୁ ଭୁଲିବା ପାଇଁ ସେ ଚାହୁଁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାମଦାଲ ଯାଦବ କହନ୍ତି, ‘ଭାରତୀୟ ସେନାରେ ୧୯୬୨ରୁ ୧୯୮୨ ପର୍ଯ୍ୟନ୍ତ ଖାଦ୍ୟ ପ୍ରସ୍ତୁତିର କାମ କରୁଥିଲି। ଭାୟାନ୍ଦରରେ ଏକ ଦୁର୍ଘଟଣାରେ ମୋର ପୁଅର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ମୁଁ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲି। ଏହି ବୁଢ଼ା ବୟସରେ ଏତେ ବଡ଼ ଦୁଃଖ ମୋ ଉପରେ ଭାଙ୍ଗି ପଡ଼ିବ ମୁଁ ସ୍ୱପ୍ନରେ ସୁଦ୍ଦା ଭାବି ନଥିଲି। ମୋ ପାଖରେ ତିନିଜଣ ଝିଅ ରହନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଝିଅ ବିଧବା। ୨୦୧୩ରେ ମୁଁ ନାଲ୍ଲା ସୋପାରାକୁ ସ୍ଥାନାନ୍ତର ହୋଇଆସିଲି। ଏହା ପୂର୍ବରୁ ମୁଁ କାନ୍ଦିବଲିରେ ରହୁଥିଲି। ସେଠାରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ଜଣେ ମାତ୍ର କନେଷ୍ଟବଳ ନିୟୋଜିତ ଥିଲା। ତେଣୁ ସେଠାରେ ଯାନବାହାନ ଯାତୟାତ ପାଇଁ ବହୁ ଅସୁବିଧା ହେଉଥିଲା। ତେଣୁ ସେଠାକାର ପୁଲିସ ଷ୍ଟେସନ୍କୁ ଯାଇ ସ୍ୱଇଚ୍ଛା ଭାବେ ରାସ୍ତାରେ ଯାନବାହାନକୁ ନିୟନ୍ତ୍ରଣ କରିବା କାମ ଆରମ୍ଭ କରିବା ପାଇଁ ଅନୁମତି ମାଗିଥିଲି। ପୁଲିସ ବି ଅନୁମତି ଦେଇ ଦେଇଥିଲେ। ପୁଣି ସୋପାରା ଆସିବା ପରେ ତୁଲିଞ୍ଜି ପୁଲିସ ଷ୍ଟେସନ୍ରୁ ମୋର ଏହି ଅଭ୍ୟାସ ଜାରି ରଖିବା ପାଇଁ ଅନୁମତି ଆଣିଥିଲି। ଏହି କାମ କରିବା ଦ୍ୱାରା ମୁଁ ଶାରୀରିକ ଓ ମାନସିକ ଉଭୟ ସ୍ତରରେ ଫିଟ ରହି ପାରୁଛି। ଟ୍ରାଫିକ୍ ନିୟମ ଯିଏ ଭଙ୍ଗ କରେ ତାଙ୍କୁ ଜରିମାନ କରିବା ମୋର ଅଧିକାର ନାହିଁ। ମୁଁ ତାଙ୍କୁ ଟ୍ରାଫିକ୍ ନିୟମ ବିଷୟରେ ବୁଝାଇବା ସହିତ ଏ ସମ୍ପର୍କରେ ଟ୍ରାଫିକ ଅଧିକାରୀଙ୍କୁ ସୂଚନା ଦେଇ ଥାଏ।’
ତୁଲିଞ୍ଜି ପୁଲିସ ଷ୍ଟେସନ୍ର କେରୁବାହୁ କୋଲହେର ବରିଷ୍ଟ ପୁଲିସ ଇନ୍ସପେକ୍ଟର କହନ୍ତି, ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାର କାମ ଖୁବ୍ କଷ୍ଟ ହୋଇଥାଏ। କିନ୍ତୁ ଯାଦବ ଏହି ବୃଦ୍ଧ ଅବସ୍ଥାରେ ବି ତାହାକୁ ଖୁବ୍ ସୁନ୍ଦର ଓ ସହଜରେ ତୁଲାଇ ପାରୁଛନ୍ତି। ଯେଉଁଥି ପାଇଁ ତାଙ୍କୁ ଅଶେଷ ଧନ୍ୟବାଦ।