ତିନି ରଥର ବାଡ଼ଗ୍ରାହୀ ବଖାଣନ୍ତି ଶ୍ରୀଜିଉଙ୍କୁ ନେଇ ଅଲୌକିକ ଅନୁଭୂତି; ଶୁଣିଲେ ଭାବରେ ରୋମାଞ୍ଚିତ ହୋଇଉଠିବ ଶରୀର !

0 1,304

ଶ୍ରୀମନ୍ଦିର ସ୍ୱତ୍ଵଲିପିର କ୍ରମ ୨୦ ଓ ୨୧ରେ ଦଇତା ଓ ପତିମହାପାତ୍ର ସେବାର ଉଲ୍ଲେଖ ଅଛି। ବର୍ଷର ଅନ୍ୟାନ୍ୟ ସେବା ବ୍ୟତୀତ, ପ୍ରତିବର୍ଷର ରଥଯାତ୍ରାରେ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଠାରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀର ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଏକମାସ ଏହାଙ୍କର ଗୁରୁତ୍ଵପୂର୍ଣ୍ଣ ସେବା ଥାଏ। ଏମାନେ ପ୍ରଭୁଙ୍କର ଶ୍ରୀଅଙ୍ଗ ରକ୍ଷକ। ଅଣସରର ଗୁପ୍ତନୀତି ଏହାଙ୍କର ଏକ ମୁଖ୍ୟ ସେବା। ନବକଳେବରରେ ମଧ୍ୟ ଏମାନେ ଦାରୁ ଅନେ୍ଵଷଣ, ବିଗ୍ରହ ନିର୍ମାଣ, ଘଟ ପରିବର୍ତ୍ତନ ଓ ବ୍ରହ୍ମ ସଂସ୍ଥାପନ ଆଦି ନୀତିରେ ଗୁରୁତ୍ଵପୂର୍ଣ୍ଣ ସେବା ଓ ଦାୟିତ୍ଵ ବହନ କରିଥାଆନ୍ତି। ‘ସପ୍ତରଥକାର’ଙ୍କ ପରି ଏହି ଦଇତାପତି ସେବକଙ୍କର ରଥଯାତ୍ରାରେ ଥିବା ଭୂମିକା ଓ ସେବାର ଅନୁଭୂତି ସଂପର୍କରେ…

ଭକ୍ତଙ୍କୁ ଅପେକ୍ଷା କରନ୍ତି, ବାହାନା କରି ରହିଯାନ୍ତି

ମହାପ୍ରଭୁଙ୍କ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ବାଡଗ୍ରାହୀ ଦାୟିତ୍ଵ ନିର୍ବାହ କରୁଛନ୍ତିଜଗନ୍ନାଥ ସ୍ୱାଇଁ ମହାପାତ୍ର। ଶ୍ରୀ ସ୍ୱାଇଁ ମହାପାତ୍ର ଦୀର୍ଘ ୪୫ ବର୍ଷ ହେବ ଏହି ଦାୟିତ୍ଵ ନିର୍ବାହ କରୁଛନ୍ତି। ଏହା ଭିତରେ ସେ ତିନି ନବକେଳବର ସହିତ ୪୫ଟି ରଥଯାତ୍ରା ଦାୟିତ୍ଵ ନେଇଛନ୍ତି। ଜଗନ୍ନାଥଙ୍କ ପିତା ସତ୍ୟବାଦୀ ସ୍ୱାଇଁ ମହାପାତ୍ରଙ୍କ ମୃତ୍ୟୁ ପରେ ଏକମାତ୍ର ପୁତ୍ର ଭାବେ ସେ ବାଡଗ୍ରାହୀ ଦାୟିତ୍ଵ ନେଇଥିଲେ। ବଂଶାନୁକ୍ରମିକ ପରମ୍ପରା ମୁତାବକ ତାଙ୍କ ହାତକୁ ଏ ଦାୟିତ୍ଵ ଆସିଥିଲା। ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ରକ୍ଷକ ଶ୍ରୀ ସ୍ୱାଇଁ ମହାପାତ୍ର ମହାପ୍ରଭୁଙ୍କୁ ନେଇ ରହିଥିବା ଅନୁଭୁତି ବଖାଣିଛନ୍ତି। ଜଗତର ନାଥ ମହାପ୍ରଭୁ ଅନୁଭବରେ ଥାନ୍ତି। ସେ ଭକ୍ତ ବତ୍ସଳ। ଭକ୍ତଙ୍କୁ ଭଲ ପାଆନ୍ତି। ସେବକଙ୍କ କଥା ମାନନ୍ତି। ମହାପ୍ରଭୁଙ୍କ ପହଣ୍ଡି ସମୟରେ ଭକ୍ତ ଭାବନ୍ତି ଆମେ ମହାପ୍ରଭୁଙ୍କ ଉଠାଇ ଆଣୁଛି, ହେଲେ ଶ୍ରୀଜଗନ୍ନାଥ ସ୍ୱୟ ଆସନ୍ତି। ସେମାନେ କେବଳ ଧରିଥାନ୍ତି ବୋଲି କହିଛନ୍ତି। ଅନୁଭବ ଭିତରେ ସବୁଠୁ ବଡ ଅନୁଭବର କଥା ସେ କହିଛନ୍ତି। ଥରେ ମହାପ୍ରଭୁଙ୍କ ରଥକୁ ଉଠିନଥିଲେ। ସମସ୍ତେ ଆସିଲେ, ବହୁ ଚେଷ୍ଟା କଲେ। ମାତ୍ର ମହାପ୍ରଭୁ ଜଗନ୍ନାଥ ରଥକୁ ଉଠିବାକୁ ନା ଧରିଲେନି। ଆମେ ବହୁତ ନେହୁରା ହେଲୁ, ଆମ କଥା ବି ଶୁଣିଲେନି। ବୋଧେ କୋଉଠି କେମିତି କିଛି ଭୁଲ ହୋଇଯାଇଛି, କେହି ଅହଂକାର କରିଛି କି ବୋଲି ସନ୍ଦେହ ହେଲା। ଶେଷରେ ଗଜପତି ମହାରାଜ ଆଦି ସେବକଙ୍କୁ ଡକରା ପଡିଲା। ଆଦି ସେବକ ଗଜପତି ଆସି ମହାପ୍ରଭୁଙ୍କୁ ସ୍ପର୍ଶ କଲେ। ମାତ୍ର କେଇ ମିନିଟ୍‌ ଭିତରେ ମହାପ୍ରଭୁ ରଥକୁ ଉଠିଗଲେ। ଜଗନ୍ନାଥ ମହାପ୍ରଭୁ ଭକ୍ତଙ୍କୁ ସବୁବେଳେ ଅପେକ୍ଷା କରିଥାନ୍ତି। ତାଙ୍କ ଇଛାରେ ସବୁ କିଛି ହୁଏ। ତାଙ୍କର କେହି ପରମ ଭକ୍ତ ରାସ୍ତାରେ ଥିଲେ ସେ ତାଙ୍କୁ ଅପେକ୍ଷା କରିଥିଲେ ବୋଲି ଅନେକ ସମୟରେ ଅନୁଭବ ହୋଇଛି। ନବକଳେବର ସମୟରେ ମଧ୍ୟ ମହାପ୍ରଭୁଙ୍କୁ ନେଇ ବହୁତ ଅନୁଭବ ରହିଛି। ସାଧାରଣ ଦାରୁ ଚିହ୍ନଟ ହେଲା ପରେ ସେ ଅସାଧାରଣ ହୋଇଯାନ୍ତି। ସେ ସମୟରେ ଦଇତାଙ୍କୁ ସର୍ବାଧିକ କଷ୍ଟ ହେଉଥିଲେ ସବୁ କିଛି ଲାଘବ ହୋଇଯାଏ। ଜଗତର ନାଥ ମହାପ୍ରଭୁଙ୍କ ଅଣସର ଘରେ ଚାଲିଥିବା ଗୁପ୍ତ ସେବାରେ ବହୁତ କିଛି ଅନୁଭୂତି ରହିଛି। ଏହାପରେ ତାଙ୍କ ପୁଅ ରାଜକୁମାର ସ୍ୱାଇଁମହାପାତ୍ର ବାଡଗ୍ରାହୀ ଦାୟିତ୍ଵ ନିର୍ବାହ କରିବେ।
ଜଗନ୍ନାଥ ସ୍ୱାଇଁ ମହାପାତ୍ର, ଜଗନ୍ନାଥଙ୍କ ରଥର ବାଡଗ୍ରାହୀ

ବଡଭାଇର ନାକଚଣା ଆଣି ସାନ ଭାଇକୁ ଉଠାଇଲି

ବଡଠାକୁର ରଥର ବାଡଗ୍ରାହୀ ହଳଧର ଦାସ ମହାପାତ୍ର ୧୯୬୪ରୁ ବାଡଗ୍ରାହୀ ଦାୟିତ୍ଵ ନିର୍ବାହ କରୁଛନ୍ତି। ପିତା ଗଦାଧର ଦାସମହାପାତ୍ରଙ୍କ ପରଲୋକ ପରେ ହଳଧର ଏହି ଦାୟତ୍ଵ ନେଇଥିଲେ। ଦୀର୍ଘ ୫୪ ବର୍ଷ ହେବ ସେ ବଳଭଦ୍ରଙ୍କ ରଥର ବାଡଗ୍ରାହୀ ଦାୟତ୍ଵ ତୁଲାଇ ଆସୁଛନ୍ତି। ଏହା ଭିତରେ ସେ ୪ଟି ନବକଳେବର ମଧ୍ୟ କରିଛନ୍ତି। ତେବେ ଦାସମହାପାତ୍ରଙ୍କ ମହାପ୍ରଭୁଙ୍କ ନେଇ କିଛି ରୋଚକ ଅନୁଭୂତି ବଖାଣିଛନ୍ତି। ୧୯୭୫ ମସିହାରେ ଥରେ ବାହୁଡା ଦିନ ପହଣ୍ଡି ଚାଲିଥାଏ। ବଡ ଠାକୁର କିଛି ଅଝଟ କଲେନି। ସେ ସୁରୁଖୁରରେ ବିଜେ କରିଥିଲେ। ମାତ୍ର ଜଗନ୍ନାଥ ମହାପ୍ରଭୁ କିନ୍ତୁ କଳା ହାଟ ଦ୍ଵାର ପାଖରେ ରହିଗଲେ। ୨ହାତ ଭିତରକୁ ଦ୍ଵାର କୋଣକୁ ଚାଲିଗଲେ। ଆଉ ଉଠିଲେନାହିଁ । ଦଇତାମାନେ ଶତ ଚେଷ୍ଟା କଲେ ମାତ୍ର ଜଗନ୍ନାଥ ମହାପ୍ରଭୁ ଆଉ ଘୁଞ୍ଚିଲେନି। ସେଇଠି ରହିଲେ। ପ୍ରାୟ ୩ରୁ ୪ ଘଣ୍ଟା କାଳ ରହିଗଲେ। ପ୍ରଶାସକର ଚିନ୍ତା ପଶିଲା। ସେତେବେଳେ ଦାୟିତ୍ଵରେ ଥିବା ଗୁରୁ ମହାନ୍ତିି ଯାଇ ବଳଭଦ୍ରଙ୍କ ରଥର ବାଡଗ୍ରାହୀ ହୋଇଥିବା ଦୃଷ୍ଟିରୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ତେବେ ଜଗନ୍ନାଥଙ୍କୁ କେମିତି ଉଠାଇବେ। ସବୁ ସେବକ ପାରୁନାହାନ୍ତି, ସେ କେମିତି କରିବେ ବୋଲି ଦ୍ଵନ୍ଦ୍ୱରେ ଥିଲେ। ତେବେ ହଠାତ୍‌ ତାଙ୍କର ଜଣେ ଗୁରୁଙ୍କ କଥା ମନେ ପଡିଗଲା। ସାନ ଭାଇକୁ ମନାଇବାକୁ ବଡଭାଇର ସହଯୋଗ ନେବାକୁ ହେବ। ଅର୍ଥାତ ବଡଭାଇ ହିଁ ସାନଭାଇକୁ ମନାଇ ପାରିବ। ତେବେ ଅନୁରୋଧକୁ ଗ୍ରହଣ କରି ଶ୍ରୀ ଦାସମହାପାତ୍ର ବଡଠାକୁରଙ୍କ ପ୍ରଣାମ କଲେ। ତେବେ ପ୍ରମାଣ କରିବା କ୍ଷଣି ବଡଠାକୁରଙ୍କ ନାକଚଣା ହଠାତ୍‌ ତାଙ୍କ ପିଠି ଉପରେ ଛିଡି ପଡିଥିଲା। ଏହାକୁ ବଡଠାକୁରଙ୍କ ଅନୁମତି ଭାବି ସେ ନାକଚଣାକୁ ଅଣ୍ଟାରେ ପୂରାଇ ଆସିଥିଲେ। ଚନ୍ଦ୍ରଶେଖା ଦାସମହାପାତ୍ରଙ୍କୁ ନାମକ ଜଣେ ଦଇତାଙ୍କୁ ସାଥୀରେ ଧରି ବାହାରିଲେ। ପ୍ରବଳ ଜନସମାଗମ ଥିଲେ ବି ସେ ଆସୁଥିବା ବାଟ ସତେ ଯେମିତ ପରିସ୍କାର ହୋଇଯାଉଥିଲା। କାହାକୁ କହିବାକୁ ପଡୁନଥିଲା, ସମସ୍ତେ ଆପଣାଛାଏଁ ଆଡେଇ ଯାଉଥିଲେ। ମାତ୍ର କେଇ ମିନିଟ୍‌ରେ ଆସି କଳାହାଟ ଦ୍ଵାରରେ ପହଞ୍ଚିଥିଲେ। ବଡଭାଇର ନାକଚଣାକୁ ଛୁଆଇଁ ଦେଇଥିଲେ। ଆଉ ଜଗନ୍ନାଥ ମହାପ୍ରଭୁ ବିଳମ୍ବ କରିନଥିଲେ। ବଡଭାଇର ନିର୍ଦ୍ଦେଶ ଭାବି ତୁରନ୍ତ କଳାହାଟ ଦ୍ଵାର ପାଖରୁ ଉଠିଥିଲେ। ଏ ପ୍ରକାର ଅନୁଭବକୁ ସେ କେବେ ଭୁଲିବେ ନାହିଁବୋଲି କହିଛନ୍ତି। ତାଙ୍କ ପରେ ବଡପୁଅ ଅନାଥ ଦାସମହାପାତ୍ର ବଳଭଦ୍ରଙ୍କ ବାଡଗ୍ରାହୀ ଦାୟିତ୍ଵ ନିର୍ବାହ କରିବେ।
ହଳଧର ଦାସମହାପାତ୍ର, ବଳଭଦ୍ରଙ୍କ ରଥର ବାଡଗ୍ରାହୀ

ନିଜ ରୂପ ନିଜେ ନିଅନ୍ତି ମହାପ୍ରଭୁ

ଗତ ୨୦୧୨ରୁ ଦଇତାପତି ରାମଦାସମହାପାତ୍ର ସୁଭଦ୍ରାଙ୍କ ରଥର ବାଡଗ୍ରାହୀ ଦାୟିତ୍ଵ ନେଇଛନ୍ତି। ଶ୍ରୀଦାସମହାପାତ୍ର ପିତା ନରସିଂହ ଦାସମହାପାତ୍ରଙ୍କ ମୃତ୍ୟୁ ପରେ ଏହି ଦାୟିତ୍ଵ କରୁଛନ୍ତି। ପରମ୍ପରାମ ମୁତାବକ ବଡପୁଅ ବାଡଗ୍ରାହୀ ହେବ ବୋଲି ଧାର୍ଯ୍ୟ ଥିବା ବେଳେ ଘରର ବଡଭାଇଙ୍କ ମାନସିକ ବିକୃତ ଥିବାରୁ ତାଙ୍କୁ ଏ ସୁଯୋଗ ମିଳିଥିଲା। ଶ୍ରୀ ଦାସମହାପାତ୍ର ଏବେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମଧ୍ୟ ରହିଛନ୍ତି। ମହାପ୍ରଭୁଙ୍କ ନେଇ ସେ ତାଙ୍କର ଅନୁଭୂତି ବଖାଣିଛନ୍ତି। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ରୂପ ଦେଉଥିବା ରୁପକାର, ଚିତ୍ରକର ଭିନ୍ନ ହେଲେ ବି ମହାପ୍ରଭୁଙ୍କ ବିଗ୍ରହ କେବେ ବଦଳି ନାହିଁ। ଏହା କେମିତି ସମ୍ଭବ ହୁଏ ତାହା ତାଙ୍କ ସାମର୍ଥ୍ୟ ବାହାରେ। ଏଥିରୁ ଅନୁଭବ ହୋଇଥାଏ ଶ୍ରୀବିଗ୍ରହମାନେ ନିଜ ରୁପ ନିଜେ ପ୍ରସ୍ତୁତ କରିଥାନ୍ତି। ପ୍ରତିବର୍ଷ ନବଯୌବନ ଦିନ ସେ ସମାନ ରୂପରେ ଦର୍ଶନ କରିଥାନ୍ତି। ବାଡଗ୍ରାହୀ ହେବା ପରେ ସେ ୬ଟି ରଥ ଦାୟିତ୍ଵ ତୁଲାଇଛନ୍ତି। ଏ ସେବା ତାଙ୍କୁ ଆତ୍ମତୃପ୍ତି ଦେଇଛି। ମହାପ୍ରଭୁଙ୍କ ମାନେ ଜୀବନ୍ତ ଦେବତା। ତାଙ୍କର ମାନବୀୟ ଲୀଳା ମଧ୍ୟ ବିଚିତ୍ର। ସବୁ ତାଙ୍କ ଇଚ୍ଛାରେ ହୋଇଥାଏ। ଦିଅଁ ନିଜ ଇଚ୍ଛାରେ ଆସନ୍ତି ଆଉ ଯାଇଥାନ୍ତି। ଅଣସର ପିଣ୍ଡିରେ ଥିବା ବେଳେ ତାଙ୍କର ବଡ ଅନୁଭବ ହୋଇଥାଏ। ମହାପ୍ରଭୁଙ୍କ ଜ୍ୱର କଥା କୁହାଯାଏ। ତେବେ ସେ ତାର ବାସ୍ତବତା ଅନୁଭବ କରିଛନ୍ତି। ମହାପ୍ରଭୁଙ୍କ ଦେହରେ ଉଷ୍ମତାକୁ ସେମାନେ ଅନୁଭବ କରିଛନ୍ତି। ତାଙ୍କ ପାଲଟା ବସ୍ତ୍ରରେ ହାତ ମାରିଲେ ସେଥିରେ ତାତି ଥିବା ସେ କହିଛନ୍ତି।
ରାମ ଦାସମହାପାତ୍ର, ସୁଭଦ୍ରାଙ୍କ ରଥର ବାଡଗ୍ରାହୀ

ସମ୍ବନ୍ଧିତ ଖବର

Leave A Reply

Your email address will not be published.