ଇଂରାଜି ଭାଷାରେ ଦକ୍ଷତା ବଢ଼ାଇବା ଏବଂ ଇଂରାଜିରେ ବାକ୍ପଟୁତା ପାଇଁ କୋଣସି ଭଲ ଶିକ୍ଷାନୁଷ୍ଠାନରେ ବା କୋଚିଂ ସେଣ୍ଟର୍ରେ ଆଡ୍ମିସନ୍ ନେବାକୁ ପଡ଼ିଥାଏ। ଏହାର ଆହୁରି ଅନେକ ଉପାୟ ମଧ୍ୟ ରହିଛି। ତେବେ ଏସବୁ ନ କରି କୌଣସି ଦେବୀଙ୍କୁ ପୂଜା କରି କ’ଣ ଇଂରାଜି ଭାଷାରେ ଦକ୍ଷତା ହାସଲ କରିବା ସମ୍ଭବ? ଏହା ସମ୍ଭବ ହେଉ ବା ନ ହେଉ ଏପରି ଏକ ବିଶ୍ୱାସକୁ ନେଇ ନିର୍ମିତ ହୋଇଛି ଏକ ମନ୍ଦିର। ଏହି ମନ୍ଦିରଟି ଇଂଲିସ୍ ଦେବୀ ମନ୍ଦିର ଭାବେ ପରଚିିତ। ଏହା ଭିତରେ ପୂଜା ପାଉଛନ୍ତି ଇଂଲିସ୍ ଦେବୀ। ତେବେ ଏହି ଦେବୀ ଦେଖିବାକୁ ଭାରତୀୟ ଦେବୀଙ୍କ ପରି ନୁହଁନ୍ତି, ସଂପୂର୍ଣ୍ଣ ବିଦେଶିନୀ ମନେ ହୁଅନ୍ତି। ଏହି ଦେବୀ ପ୍ରସନ୍ନ ହେଲେ ଭକ୍ତ ଇଂରାଜି କହିବାରେ ବିଦେଶୀଙ୍କଠୁ ବି ବଳି ଯିବେ ବୋଲି ବିଶ୍ୱାସ କରାଯାଏ। ଏକଥା ଶୁଣି ଆପଣଙ୍କୁ ହସ ଲାଗିପାରେ ମାତ୍ର ଏଭଳି ଦେବୀଟିଏ ଆପଣ ଦେଖିବାକୁ ପାଇବେ ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲ୍ଲାର ବନକା ଗ୍ରାମରେ। ଏହି ଗ୍ରାମର ଦଳିତ ସଂପ୍ରଦାୟ ଦ୍ୱାରା ଇଂରାଜି ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ଏହି ଇଂଲିସ୍ ଦେବୀ ମନ୍ଦିର ୨୦୧୦ରେ ସ୍ଥାପିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଇଂଲିସ୍ ଦେବୀ ଦେଖିବାକୁ ଭାରତୀୟ ଦେବୀଙ୍କ ପରି ନୁହେଁ, ବରଂ ଜଣେ ବିଦେଶିନୀ ପରି ମନେ ହୁଅନ୍ତି। ଦେବୀଙ୍କଠାରେ ମାଡାମ୍ଙ୍କ ଠାଣୀ। ତାଙ୍କର ଗୋଟିଏ ହାତରେ ଏକ ବଡ଼ କଲମ ଏବଂ ଅନ୍ୟ ହାତରେ ପୁସ୍ତକ ଶୋଭା ପାଉଛି। ମୁଣ୍ଡରେ ଏପରି ଟୋପିଟିଏ ପିନ୍ଧିଛନ୍ତି ଲାଗୁଛନ୍ତି ଏବେକାର ମେମ୍ ସାହେବା। ଏହି ମୂର୍ତ୍ତିଟିରେ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ର ପ୍ରଭାବ ରହିଥିବା ଦେଖାଯାଏ। ଆହୁରିମଧ୍ୟ ଏହି ମୂର୍ତ୍ତିରେ ଥିବା ଧର୍ମଚକ୍ର ବୌଦ୍ଧ ଧର୍ମର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଇଂଲିସ୍ ଦେବୀଙ୍କର ଏହି ମୂର୍ତ୍ତିକୁ ସ୍ଥାନୀୟ ଏକ ଦଳିତ ନେତା ଏକ ସ୍କୁଲ୍ ମଧ୍ୟରେ ସ୍ଥାପିତ କରିଥିଲେ। ସ୍ଥାନୀୟ ଲୋକଙ୍କର ବିଶ୍ୱାସ ଯେ ଗ୍ରାମାଞ୍ଚଳ ହେଉ ଅବା ଛୋଟ ଛୋଟ ସହର ପୁରୁଷମାନଙ୍କର ପଢ଼ିବା ପାଇଁ ଅନେକ ସୁଯୋଗ ରହିଛି, ମାତ୍ର ମହିଳାମାନେ ଅନେକ ସ୍ଥାନରେ ଶିକ୍ଷା ପାଇବାରୁ ବଞ୍ଚିତ। ଏହି ଦେବୀଙ୍କୁ ସ୍ଥାପନା କରିବାର ଅନ୍ୟତମ ଉଦ୍ଦେଶ୍ୟ ମହିଳାମାନେ ମଧ୍ୟ ଦେବୀଙ୍କୁ ଦେଖି ଆଧୁନିକା ହୁଅନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ଆଗକୁ ଆଗକୁ ଯାଆନ୍ତୁ।
ଏକ ବିଦ୍ୟାଳୟ ପରିସରରେ ସ୍ଥାପିତ ଏହି ମୂର୍ତ୍ତିଟିର ଓଜନ କୋଡ଼ିଏ କିଲୋଗ୍ରାମ୍। ଏହା ପିତଳରେ ନିର୍ମିିତ। ପ୍ରକୃତରେ ଏଭଳି ଦେବୀ ମନ୍ଦିର ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟଟି ହେଲା ଦଳିତମାନଙ୍କୁ ଏକ ବାର୍ତ୍ତା ପ୍ରଦାନ-ଇଂରାଜି ଭାଷାଜ୍ଞାନ ବୃଦ୍ଧି କରିବା ଦ୍ୱାରା ସେମାନଙ୍କ ବିକାଶ ସମ୍ଭବ ହୋଇ ପାରିବ। ସ୍ଥାନୀୟ ଦଳିତମାନଙ୍କ କହିବା କଥା ହେଲା ବାବା ସାହେବ ଭୀମରାଓ ଆମ୍ବେଦକର ସର୍ବଦା ଇଂରାଜି ଶିକ୍ଷା ଏବଂ ତା’ର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଉଥିଲେ ଏବଂ କହୁଥିଲେ ଯଦି ଦଳିତଙ୍କର ଉନ୍ନତି କରିବାର ଅଛି ଏବଂ ଆଗକୁ ଯିବାର ଅଛି ତେବେ ଇଂରାଜି ଶିଖିବାକୁ ହିଁ ପଡ଼ିବ। ସ୍ଥାନୀୟ ବାସିନ୍ଦା ଆହୁରି ମଧ୍ୟ କହନ୍ତି ଯେ, ଶିକ୍ଷା ଦୃଷ୍ଟିରୁ ଆଜି ଦଳିତ ପୁରୁଷଙ୍କ ପାଖରେ ରୋଜଗାରର ଅନେକ ବିକଳ୍ପ ରହିଛି, ମାତ୍ର ମହିଳାଙ୍କ ନିକଟରେ ସେପରି ସୁବିଧା ନାହିଁ ଏବଂ ସେମାନେ ଶିକ୍ଷା କ୍ଷେତ୍ରରେ ପଛରେ ପଡ଼ିଯାଇଛନ୍ତି। ତେଣୁ ଏହି ଅଞ୍ଚଳରେ ଏପରି ମନ୍ଦିରଟିଏ କରି ମହିଳାମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଛି। ଏହି ଦେବୀଙ୍କୁ ଦେଖିବା ଦ୍ୱାରା ସେମାନଙ୍କ ଭିତରେ ଶିକ୍ଷା ପାଇଁ ବିଶେଷକରି ଇଂଲିସ୍ ଶିକ୍ଷା ପାଇଁ ଆଗ୍ରହ ଜନ୍ମ ନେବ। ଏବେ କିନ୍ତୁ ଏହି ଭାବନା ଭିତରେ ଏହା ଆଉ ସୀମିତ ନୁହେଁ। ଏବେ ଏଠାକୁ ପଛୁଆବର୍ଗର ଲୋକମାନେ କିଛି କିଛି ମାନସିକ ନେଇ ଆସୁଛନ୍ତି। ଯେମିତିକି, ପିଲା କିପରି ଭଲ ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ଆଡ୍ମିସନ୍ କରିପାରିବ, ଇଂରାଜି ଭାଷାରେ ବାକ୍ପଟୁତା ହାସଲ କରିପାରିବ।