ଅଜବ ଘଟଣା : ବିବାହ ପାଇଁ ପରୀକ୍ଷା ଦେଲେ ୨୫୦ ଜଣ ଯୁବକ!

ସାଧାରଣତଃ ଚାକିରି କରିବା ପାଇଁ ଯୁବକମାନେ ଦେଇଥାନ୍ତି ପରୀକ୍ଷା । କିନ୍ତୁ ବିବାହ ପାଇଁ ପରୀକ୍ଷା ଦେବା କଥା କେବେ ଶୁଣିନଥିବେ। ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌରେ। ଏଠାରେ କୌଣସି ଚାକିରି ପାଇଁ ନୁହେଁ ବରଂ ବିବାହ କରିବା ପାଇଁ ୨୫୦ଜଣ ଯୁବକ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ୨୧୯ଜଣ ବିଫଳ ହୋଇ ଘରକୁ ଫେରିଥିବା ବେଳେ ୩୧ ଜଣଙ୍କୁ ବିବାହ ଯୋଗ୍ୟ ବୋଲି ଚୟନ କରାଯାଇଛି।

ଲକ୍ଷ୍ନୌରେ ଥିବା ଓଭରସିଜ୍‌ ସୁପରଭିଜନ ଅର୍ଗାନାଇଜେସନରେ ବସବାସ କରୁଥିବା ମହିଳାମାନଙ୍କୁ ବିବାହ କରିବା ପାଇଁ ଏହି ପରୀକ୍ଷା ରଖା ଯାଇଥିଲା। ଆବେଦନକାରୀଙ୍କ ପରୀକ୍ଷା ନେଇଥିଲେ ଜିଲ୍ଲା ପ୍ରଶାସନ। ପରୀକ୍ଷା ଏବଂ ଇଣ୍ଟରଭିୟୁ ସମୟରେ ହିଁ ୨୧୯ଜଣ ବିଫଳ ହେବା ପରେ ୩୧ଜଣ ଆଗକୁ ବଢ଼ିଥିଲେ। ବଛା ଯାଇଥିବା ୩୧ଜଣ ଯୁବକଙ୍କ ବିବାହ ଓଭରସିଜ୍‌ ସୁପରଭିଜନ ଅର୍ଗାନାଇଜେସନ୍‌ ପରିସରରେ ନବରାତ୍ରୀ ସମୟରେ ଆୟୋଜିତ କରାଯିବ। ଅକ୍ଟୋବର ୧୫ରେ ବଛା ଯାଇଥିବା ୩୧ଜଣ ଯୁବକଙ୍କୁ ୩୧ଜଣ ଯୁବତୀ ବିବାହ କରିବେ। ବିବାହଟି ମହାନଗର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ସମାଜ କଲ୍ୟାଣ ଅଧିକାରୀ କେଏସ୍‌ ମିଶ୍ରଙ୍କ କହିବା ଅନୁଯାୟୀ, ସାମୂହିକ ବିବାହ ପାଇଁ ଅନୁଦାନର ବ୍ୟବସ୍ଥା କରାଯାଉଛି । ବିବାହ କରିବାକୁ ଯାଉଥିବା ସମସ୍ତ ଯୁବତୀଙ୍କ ବ୍ୟାଙ୍କ ଖାତାରେ ୨୦ହଜାର ଟଙ୍କା ଜମା କରାଯିବା ସହ ଘରୋଇ ଜିନିଷ କିଣିବା ପାଇଁ ୧୦ହଜାର ଟଙ୍କା ଦିଆଯିବ। ଏହା ସହ ୫ହଜାର ଟଙ୍କା ବିବାହ ସମାରୋହରେ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ପ୍ରଶାସନର ସହାୟତାରେ ଏହି ବିବାହ ଅନୁଷ୍ଠିତ ହେବ। ଲକ୍ଷ୍ନୌରେ ଥିବା ଓଭରସିଜ୍‌ ସୁପରଭିଜନ ଅର୍ଗାନାଇଜେସନରେ ସବୁ ଅନାଥ ଯୁବତୀମାନଙ୍କୁ ରଖା ଯାଇଥାଏ। ଯାହା ପରେ ଉଚିତ ବରପାତ୍ର ଦେଖି ସେମାନଙ୍କ ବିବାହ କରାଯାଇଥାଏ।

ସମ୍ବନ୍ଧିତ ଖବର