ସାମ୍ନାକୁ ଆସିଲା ରତ୍ନଭଣ୍ଡାରରେ ଥିବା ୧୧୩ ବର୍ଷ ତଳର ତଥ୍ୟ!

ଆସନ୍ତା ୪ ତାରିଖ ଦିନ ଖୋଲାହେବ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ୧୦ ଜଣିଆ ସ୍ୱତନ୍ତ୍ର ଟିମ୍‌ ଯିବେ ରତ୍ନଭଣ୍ଡାରକୁ। ଆଉ ବର୍ଷ ବର୍ଷ ଧରି ରତ୍ନ ଭଣ୍ଡାରକୁ ନେଇ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି । ଶ୍ରୀମନ୍ଦିରର ଏହି ଅଲୌକିକ ଭଣ୍ଡାର ଘରର ରହସ୍ୟ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି। ସେପଟେ ୧୧୩ ବର୍ଷ ତଳର ଭଣ୍ଡାର ଘରର ତଥ୍ୟ ସାମ୍ନାକୁ ଆସିିଛି। ମାର୍ଚ ୪ ତାରିଖ ୧୯୦୫ ମସିହାରେ ଉତ୍କଳ ଦୀପିକାରେ ଏହି ତଥ୍ୟ ପ୍ରକାଶ ପାଇଥିଲା। ଯେଉଁଥିରେ ରତ୍ନଭଣ୍ଡାରର ସିନ୍ଦୁକରେ କଣ ଅଛି ତାହା ଉଲ୍ଲେଖ ରହିଥିଲା।

ତତ୍‌କାଳନୀ ଓଡ଼ିଶାର ପ୍ରତିଷ୍ଠିତ ସମ୍ବାଦପତ୍ର ଉତ୍କଳ ଦୀପିକାର ମାର୍ଚ୍ଚ ୪, ୧୯୦୫ର ସଂସ୍କରଣରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିବା ନେଇ ବର୍ଣ୍ଣନା କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଭିତରେ ଥିବା ୫ଟି ସିନ୍ଧୁକର କଥା।

(୧) ପ୍ରଥମ ସିନ୍ଧୁକରୁ ପିତଳର କିଛି ପଦାର୍ଥ ଓ ଏକାଧିକ ମୂର୍ତି ବାହାରିଥିଲା।ଏହି ମୂର୍ତିର ମୂଲ୍ୟ ଉଲ୍ଲେଖ ନଥିଲେ ବି ଏହା ଖୁବ ମୁଲ୍ୟବାନ ହେବ।

(୨) ଦ୍ୱିତୀୟ ସିନ୍ଧୁକରୁ ଏକାଧିକ ପାଟଲୁଗା ସେବାୟତଙ୍କ ଦୃଷ୍ଟିକୁ ଆସିଥିଲା। ଏହା ଶ୍ରୀଜୀଉ ମାନେ ବିଭିନ୍ନ ସମୟରେ ବ୍ୟବହାର କରୁଥିବା ଜଣାପଡ଼ିଛି।

(୩) ତୃତୀୟ ସିନ୍ଧୁକରୁ ନଷ୍ଟ ହୋଇଯାଇଥିବା ଅନେକ ମୂଲ୍ୟବାନ ଲୁଗା ମିଳିଥିଲା। ଏହାପରେ ଲୁଗା ଗୁଡ଼ିକୁ ସିନ୍ଧୁକ ଭିତରେ ଆଉ ରଖାଯାଇନଥିଲା।

(୪) ଚତୁର୍ଥ ସିନ୍ଧୁକରୁ ବାହାରିଥିଲା ମଣିଖଚିତ କୁଣ୍ଡଳ, ଶିରପେଂଚ ତଥା ହୀରା, ମୋତି ଖଚିତ ଅଳଙ୍କାର। ଯୁଦ୍ଧ ଜିତିବା ପରେ ଗଜପତି ମହାରାଜ ଜଗନ୍ନାଥଙ୍କୁ ଏହା ଅର୍ପଣ କରିଥିବା କୁହାଯାଏ।

(୫) ପଞ୍ଚମ ସିନ୍ଧୁକରୁ ସେବାୟତଙ୍କୁ ମିଳିଥିଲା ସୁନା, ରୂପାର ଥାଳି, ମୂର୍ତି ତଥା ଅଷ୍ଟ ରତ୍ନ ଅଳଙ୍କାର। ପରିଷ୍କାର କରି ଏହାକୁ ପୁଣି ସିନ୍ଧୁକରେ ରଖାଯାଇଥିଲା ।

ବାହାର ରତ୍ନଭଣ୍ଡାର ଚାବି ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସକ ଓ ସେବାୟତଙ୍କ ପାଖରେ ରହୁଥିବା ବେଳେ ଭିତର ରତ୍ନଭଣ୍ଡାର ଚାବି ଜିଲ୍ଲାପାଳଙ୍କ ପାଖରେ ରହିଥାଏ। ଗତ ଶହେ ବର୍ଷରେ ମୋଟ୍‌ ଚାରିଥର ଅର୍ଥାତ୍‌ ୧୯୦୫, ୧୯୨୬, ୧୯୭୮ ଓ ୧୯୮୪ ଖୋଲିଛି ରତ୍ନଭଣ୍ଡାର। ୧୯୭୮ରେ ତାଲିକା ପ୍ରସ୍ତୁତ ଓ ୧୯୮୪ରେ ଚିତା ମରାମତି ପାଇଁ ଖୋଲାଯାଇଛି ରତ୍ନଭଣ୍ଡାର। ତଥ୍ୟ ଅନୁଯାୟୀ ଭିତର ରତ୍ନଭଣ୍ଡାରର ପୂର୍ବ ଓ ପଶ୍ଚିମ କାନ୍ଥରେ ଜଣେ ମଣିଷ ଯିବାଭଳି ଫାଙ୍କ ରହିଛି। ଫାଙ୍କ ଜରିଆରେ ଭିତରେ ସାପ ଚଳପ୍ରଚଳ କରିବାର ସମ୍ଭାବନା ଥିବା କୁହାଯାଏ।

ସମ୍ବନ୍ଧିତ ଖବର