ସୂର୍ଯ୍ୟଙ୍କୁ କାହିଁକି ଉପାସନା କରାଯାଏ?

ସୂର୍ଯ୍ୟଙ୍କୁ ଉପାସନାର ଅନ୍ୟ ଏକ ଉପାୟ ହେଲା ବିରଞ୍ଚି ନାରାୟଣ ବ୍ରତ। ଏହି ବ୍ରତ ପଛରେ ଏକ ପୌରାଣିକ କାରଣ ରହିଛି।ତ୍ରୈତୟା ଯୁଗରେ ସୁବ୍ରତ ନାମକ ଜଣେ ବ୍ରାହ୍ମଣ ସବୁ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି,କିନ୍ତୁ ସୂର୍ଯ୍ୟ ଉପାସନା କରନ୍ତି ନାହିଁ।ଥରେ ସୂର୍ଯ୍ୟଙ୍କର କୋପଦୃୃଷ୍ଟି ତାଙ୍କ ଉପରେ ପଡ଼ିଲା।ସୁବ୍ରତ ହଠାତ୍‌ ଦରିଦ୍ର ହୋଇଗଲେ ତାଙ୍କର ଅପୁତ୍ରିକ ଅବସ୍ଥା ସୃଷ୍ଟି ହେଲା। ସେ ଯେତେ ଯାହା ଉପାୟ କରିଲେ ମଧ୍ୟ ତାଙ୍କର ଆର୍ଥିକ ସ୍ଥିତିରେ କିଛି ବି ଉନ୍ନତି ଘଟିଲା ନାହିଁ।ଏପରିକି ତାଙ୍କ ପତ୍ନୀ ସୁତପୀ ମଧ୍ୟ ଦୁଇଟି କନ୍ୟା ସନ୍ତାନର ଜନନୀ ହେଲେ। ସେମାନେ ଖୁବ୍‌ କଷ୍ଟ ଭୋଗ କଲେ।

ଅବସ୍ଥା ଏପରି ହେଲା ଯେ,ଖାଇବାକୁ ନ ପାଇ ସୁବ୍ରତଙ୍କର ଦୁଇ ଝିଅ ଘର ଛାଡ଼ି ବଣକୁ ଚାଲିଗଲେ। ସେ ଦିନ ଥିଲା ରବିବାର ଶୁକ୍ଳ ପକ୍ଷ ଏକାଦଶୀ।ସେ ଦୁହେଁ ଦେଖିଲେ ସ୍ୱର୍ଗର ନର ନାରୀମାନେ ତୋରଣ କରି ଚାନ୍ଦୁଆ ଟାଣି କଦଳୀ ଗଛ ପୋତି ଦୋଳିରେ ଭଗବାନ ବିରଞ୍ଚି ନାରାୟଣଙ୍କୁ ପୂଜାର୍ଚ୍ଚନା କରୁଥା’ନ୍ତି। ପୂଜାର୍ଚ୍ଚନା ରତ ନର ନାରୀ ଏ ଦୁଇ ଭଉଣୀଙ୍କ କାନ୍ଦଣା ଶୁଣିବାକୁ ପାଇଲେ। ସେମାନେ ସେହି ଦୁଇ ଭଉଣୀଙ୍କୁ ପୂଜାସ୍ଥାନରେ ଆଣି ସବୁ କଥା ଶୁଣିଲେ। ନରନାରୀଗଣ ସେ ଦୁହିଁଙ୍କ ଘରର ଦୁଃଖ କଥା ଶୁଣି ଭଗବାନ ସୂର୍ଯ୍ୟ ଦେବଙ୍କୁ ଆକୁଳ ବିନତି ପୂର୍ବକ ପ୍ରାର୍ଥନା କରିଲେ।ସେମାନଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଭଗବାନ ସୂର୍ଯ୍ୟ ନାରାୟଣ ସେଠାରେ ଆବିର୍ଭାବ ହେଲେ,କିନ୍ତୁ ସେହି କନ୍ୟା ଦୁହିଁଙ୍କର ସହାୟତା କରିବାକୁ ମନା କରି ଦେଲେ।
ଏହାପରେ ସେମାନେ ପୁଣି ସୂର୍ଯ୍ୟଙ୍କୁ ସ୍ମୃତି କରିବାରେ ଲାଗି ପଡ଼ିଲେ।ଏଥର ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ସେଠାରେ ପୁଣି ଉଭା ହେଲେ। ସୂର୍ଯ୍ୟ ଦେବ ସେମାନଙ୍କ ମଧ୍ୟରୁ ଜଣେ ରାଜପୁତ୍ର ଓ ଆଉ ଜଣେ ମନ୍ତ୍ରୀ ପୁତ୍ରଙ୍କୁ ବିବାହ କରିବାର ବର ପ୍ରଦାନ କରି ଚାଲିଗଲେ।

photo-haribhoomi.com

ଏହାପରେ ଦୁଇ ଭଉଣୀ ସୂର୍ଯ୍ୟଙ୍କ ଉପାସିକା ହୋଇଗଲେ। ସେ ଦୁହେଁ ନିତ୍ୟ ନିୟମିତଭାବେ ସୂର୍ଯ୍ୟ ଉପାସନାରେ ଧ୍ୟାନ ଦେଲେ। ସେମାନଙ୍କ ପୂଜା ଆରଧନାରେ ସନ୍ତୁଷ୍ଟ ହୋଇ ପୁଣି ସୂର୍ଯ୍ୟ ଦେବତା ଆବିର୍ଭାବ ହେଲେ। ଏଥର ସେ ଦୁହେଁ ସେମାନଙ୍କ ପିତା-ମାତାଙ୍କ କଷ୍ଟ ନିବାରଣ ଲାଗି ପ୍ରାର୍ଥନା କରିଲେ।
ଭଗବାନ ସୂର୍ଯ୍ୟଦେବ କହିଲେ ‘ବ୍ରାହ୍ମଣ ସୁବ୍ରତ ଓ ସୁତପୀ ଦୁହେଁ କଦାଚିତ ସୂର୍ଯ୍ୟ ପୂଜା କରନ୍ତି ନାହିଁ। ଏଣୁ ସେମାନଙ୍କୁ ମୁଁ ଅଭିଶାପ ଦେଇଛି। ଯଦି ତୁମମାନଙ୍କ ମାତା ବିରଞ୍ଚି ନାରାୟଣ ବ୍ରତ କରନ୍ତି ଓ ନିୟମିତ ଭାବେ ସୂର୍ଯ୍ୟ ପୂଜା କରନ୍ତି ,ତେବେ ତୁମ ବାପା ମାଆଙ୍କ କଷ୍ଟ ଦୂରୀଭୂତ ହେବ।’
ଏହାପରେ ଦୁଇ ଭଉଣୀ ଅରଣ୍ୟ ଛାଡ଼ି ଘରକୁ ପ୍ରତ୍ୟାବର୍ତ୍ତନ କରିଲେ। ସେ ଦୁହେଁ ବାପାମାଆଙ୍କୁ ସମସ୍ତ ବୃତ୍ତାନ୍ତ ଶୁଣାଇଲେ।ଏହାପରେ ମାଆ ବିରଞ୍ଚି ନାରାୟଣ ବ୍ରତ କରିଲେ। ତାଙ୍କର ଉପାସନାରେ ସୂର୍ଯ୍ୟ ଦେବ ସନ୍ତୁଷ୍ଟ ହୋଇ ତାଙ୍କୁ ପୁତ୍ରବତୀ ଓ ଧନବତୀ ହେବାର ବର ଦେଲେ,ଏହାପରେ ସେ ପୁତ୍ରଲାଭ କରିଲେ।
ତା’ପରେ ଜଣେ ରାଜପୁତ୍ର ଓ ମନ୍ତ୍ରୀପୁତ୍ରଙ୍କ ସହିତ ଦୁଇ କନ୍ୟାଙ୍କର ସାକ୍ଷାତ ହେଲା।ସେ ଦୁହେଁ ବିବାହ ଲାଗି ଇଛା ପ୍ରକାଶ କରିଲେ। ପିତାମାତାଙ୍କ ଅନୁମତି ବିନା ଦୁଇ ଭଉଣୀ ବିବାହ କରିପାରିବେନି ବୋଲି କହିଲେ।ତା’ପରେ ରାଜା ଓ ମନ୍ତ୍ରୀ ଯାଇ ସେମାନଙ୍କ ପୁତ୍ର ଲାଗି କନ୍ୟା ଦୁହିଁଙ୍କର ହାତ ମାଗିଲେ।ସୂର୍ଯ୍ୟଙ୍କ ବର ଫଳିଲା।ସୁବ୍ରତ ଓ ସୁତପୀଙ୍କ ଦୁଇ କନ୍ୟା ରାଜପୁତ୍ର ଓ ମନ୍ତ୍ରୀପୁତ୍ରଙ୍କୁ ବିବାହ କରି ସୁଖରେ କାଳାତିପାତ କରିଲେ। ତେଣେ ପୁତ୍ର ସହିତ ସୁବ୍ରତ ଓ ସୁପତୀ ମଧ୍ୟ ନିୟମିତ ଭାବେ ସୂର୍ଯ୍ୟଙ୍କ ଉପାସନା କରି ସୁଖରେ ଜୀବନ ଅତିବାହିତ କରିଲେ।

ସମ୍ବନ୍ଧିତ ଖବର