୧୦ଲକ୍ଷ ଟଙ୍କା ଥିବା ବ୍ୟାଗ୍ ରାସ୍ତାରୁ ପାଇ ମାଲିକକୁ ଫେରାଇଲେ ଯୁବକ, ମିଲିଲା ଏଭଳି ଉପହାର
ସୁରଟ୍ : ଲୋକେ କହନ୍ତି, ଦେଶରେ ଏବେ ବି ମାନବିକତା ଏବଂ ସଚ୍ଚୋଟପଣିଆ ବଞ୍ଚି ରହିଛି । ଯାହା ପାଇଁ ଏ ଜୀବଜଗତ ଚାଲିଛି । ତେବେ ଲୋକମାନଙ୍କର ଏହି କଥାକୁ ପ୍ରମାଣ କରିଛି ଗୁଜୁରାଟର ସୁରଟ୍ରେ ଘଟିଥିବା ଏକ ଘଟଣା । ପେସାରେ ଜଣେ ସେଲ୍ସମ୍ୟାନ୍ ଭାବେ କାମ କରୁଥିବା ଦିଲ୍ଲୀପ୍ ପୋଡରଙ୍କୁ ତାଙ୍କ ସଚ୍ଚୋଟ ପଣିଆ ପାଇଁ ୨ଲକ୍ଷ ଟଙ୍କାର ପୁରସ୍କାର ଦିଆ ଯାଇଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗତ ଶୁକ୍ରବାର ପୋଡର ନିଜର ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ବେଳେ ରାସ୍ତାରେ ଏକ ବ୍ୟାଗ୍ ପଡ଼ିଥିବାର ଦେଖିଥିଲେ । ବ୍ୟାଗ୍ ଖୋଲିବା ପରେ ଭିତରେ ୨ହଜାର ଟଙ୍କିଆ ନୋଟ୍ ଦେଖି ସେ ନିଜର ଆଖିକୁ ବିଶ୍ୱାସ କରି ପାରି ନ ଥିଲେ । ପରେ ବ୍ୟାଗ୍ ଭିତରେ ସର୍ବମୋଟ୍ ୧୦ଲକ୍ଷ ଟଙ୍କା ଥିବା ଜାଣି ଟଙ୍କାକୁ ଲୁଚାଇ ଘରକୁ ନେବା ପରିବର୍ତ୍ତେ ପୋଡର ନିଜ ସୋ’ରୁମ୍ ମ୍ୟାନେଜରଙ୍କୁ ପୂରା ଘଟଣା ଜଣାଇଥିଲେ । ଯାହା ପରେ ବ୍ୟାଗ୍ର ମାଲିକ ନ ମିଳିବା ପର୍ଯ୍ୟନ୍ତ ଏହାକୁ ନିଜ ପାଖରେ ସାଇତି ରଖ ବୋଲି କହିଥିଲେ ସୋ’ରୁମ୍ ମ୍ୟାନେଜର । ପୁଲିସକୁ ଏ ନେଇ ସୂଚନା ଦିଆଯିବା ପରେ ସିସିଟିଭି ଚେକ୍ କରି ପୁଲିସ ବ୍ୟାଗ୍ର ମାଲିକକୁ ଖୋଜି ପାଇଥିଲା ।
ଏହା ପରେ ସୋମବାର ପୋଡର ବ୍ୟାଗ୍ର ମାଲିକକୁ ୧୦ଲକ୍ଷ ଟଙ୍କା ଥିବା ବ୍ୟାଗ୍କୁ ହସ୍ତାନ୍ତର କରିଥିଲେ । ପୋଡ଼ରଙ୍କ ସଚ୍ଚୋଟପଣିଆ ଦେଖି ବ୍ୟାଗ୍ର ମାଲିକ ତାଙ୍କୁ ଖୁସି ହୋଇ ୨ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ । ଘଟଣା ବିଷୟରେ ଚାରିଆଡ଼େ ପ୍ରଚାର ହେବା ପରେ ପୋଡରଙ୍କ ସଚ୍ଚୋଟପଣିଆକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି ।