ଏଣିକି ମହିଳାମାନେ ପିନ୍ଧିପାରିବେନି ଜିନ୍ସ ଆଉ ଧରି ପାରିବେନି ମୋବାଇଲ୍। ଏହାକୁ ଉଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଚେତାବନୀ ମଧ୍ୟ ଦିଆଯାଇଛି। ଏଭଳି ଏକ ଅଜବ ନିୟମ ଲାଗୁ ହୋଇଛି ହରିୟାଣାରେ।
Sambad is now on WhatsApp
Join and get latest news updates delivered to you via WhatsApp
ହରିୟାଣାର ଇର୍ଶାପୁର ଖେଡି ନାମକ ଗାଁର ପଞ୍ଚାୟତ ମହିଳାଙ୍କ ପାଇଁ ଏଭଳି ଏକ ଅଜବ ନିୟମ ଲାଗୁକରିଛି। ଗାଁର ସରପଞ୍ଚ ପୂରା ଗାଁରେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ନିୟମାନୁସାରେ, ମହିଳାମାନେ କୌଣସି ଆଧୂନିକ ପୋଷାକ ପିନ୍ଧି ପାରିବେ ନାହିଁ କି ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ। ବଡ କଥା ହେଲା, ଏହି ନିୟମକୁ ଗାଁର ପିଲାରୁ ବୃଦ୍ଧା ଯାଏଁ ମାନିବାକୁ ବାଧ୍ୟ ଅଟନ୍ତି। ଯଦି କେହି ଏହାକୁ ଉଲଘଂନ କରେ ତେବେ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗାଁର ମୁଖିଆ ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି।
ସରପଞ୍ଚଙ୍କ କହିବାନୁସାରେ, ଗାଁରେ ଏଭଳି ଘଟଣା ଦୁଇଥର ଘଟିସାରିଛି କି, ଯୁବତୀମାନେ କୌଣସି ପୂଅ ସହ ଫେରାର ହୋଇଯାଇଛନ୍ତି। ଯାହାଦ୍ୱାରା ପୂରା ଗାଁର ବଦନାମ ହେଉଛି। ହେଲେ ଏଭଳି କାଣ୍ଡ ପାଇଁ ପଞ୍ଚାୟତ ମହିଳାମାନେ ବ୍ୟବହାର କରୁଥିବା ମୋବାଇଲ ଫୋନ ଏବଂ ପୋଷାକପତ୍ରକୁ ଦାୟୀ କରିଛି । ପଞ୍ଚାୟତର କଟକଣା ଅନୁସାରେ, ଏଣିକି ଗାଁରେ କୌଣସି ବି ଝିଅ ନିକଟରେ ମୋବାଇଲ ଫୋନ ରହିବ ନାହିଁ କି ସେମାନେ କୌଣସି ଆଧୂନିକ ପୋଷାକ ପରିଧାନ କରିପାରିବେ ନାହିଁ। ବଡ କଥା ହେଲା କି ପଞ୍ଚାୟତର ଏଭଳି ନିଷ୍ପତିରେ ଗାଁ ଲୋକଙ୍କର ସମର୍ଥନ ବି ମିଳିଛି ଏବଂ ଗାଁର ଅଧିକାଂଶ ଲୋକେ ଏଭଳି ନିଷ୍ପତିକୁ ସ୍ୱାଗତ ମଧ୍ୟ ଜଣାଇଛନ୍ତି।
ଇର୍ଶାପୁର ଖେଡି ଗାଁର ସରପଂଚଙ୍କ କଥାନୁସାରେ, କିଛି ଦିନ ତଳେ ଗାଁରୁ ଅନେକ ଝିଅ ଅନ୍ୟ ଗାଁର ଯୁବକଙ୍କୁ ପ୍ରେମ କରି ତାଙ୍କ ସହିତ ଲୁଚି ପଳାଇଥିଲେ ଆଉ ଝିଅମାନଙ୍କର ଏଭଳି କାଣ୍ଡରୁ ପୂରା ଗାଁକୁ ଲଜ୍ଜିତ ହେବାକୁ ପଡିଥିଲା। ତେଣୁ ବାଧ୍ୟ ହୋଇ ଆମକୁ ଏଭଳି ନିଷ୍ପତି ନେବାକୁ ପଡିଛି।