ରାମାୟଣ ଯଦି ପଢ଼ିଥିବେ, ଶୁଣିଥିବେ କିମ୍ବା ଟିଭିରେ ଦେଖିଥିବେ ତେବେ ଏକଥା ତ ନିଶ୍ଚୟ ଜାଣିଥିବେ ଯେ ସେତୁ ବନ୍ଧ ବନ୍ଧା ଯିବା ପରେ ହିଁ ରାମ ନିଜର ସହଯୋଗୀଙ୍କୁ ନେଇ ଲଙ୍କାପୁରରେ ସୀତାଙ୍କୁ ମୁକୁଳେଇବା ପାଇଁ ପହଞ୍ଚି ପାରିଥିଲେ। ଏହି ସେତୁ ବନ୍ଧ ବାନ୍ଧିବା କାର୍ଯ୍ୟରେ ରାମଙ୍କ ସହ ଲକ୍ଷ୍ମଣ, ହନୁମାନ, ସୁଗ୍ରୀବଙ୍କ ସମେତ ଅଗଣତି ବାନର ସେନା ବି ସାମିଲ୍ ଥିଲେ। ଏପରିକି ଗୁଣ୍ଡୁଚି ମୂଷାଟି କିପରି ରାମଙ୍କ ସାହାଯ୍ୟ କରିବା ପାଇଁ ପାଣିରୁ ଉଠି ବାଲିରେ ଓ ବାଲିରୁ ଉଠି ପାଣିରେ ବୁଡ଼ି ନିଜର ଶ୍ରଦ୍ଧା ଦେଖାଇଥିଲା ତାହା ବି ଆପଣ ନିଶ୍ଚୟ ଜାଣିଥିବେ।
Sambad is now on WhatsApp
Join and get latest news updates delivered to you via WhatsApp
ସେତୁ ବନ୍ଧ ବାନ୍ଧିବା ପାଇଁ ଯେତେ ସବୁ ପଥର ପକା ଯାଉଥିଲା ତାହା ପାଣିରେ ବୁଡ଼ି ଯାଉଥିଲା। ଏହି ସମସ୍ୟାର ସମାଧାନ ଚିନ୍ତା କରି ହନୁମାନ ସେହି ପଥରଗୁଡ଼ିକରେ ରାମଙ୍କ ନାମ ଲେଖି ପାଣିରେ ପକାଇଲେ। ପଥରଗୁଡ଼ିକ ଭାସିବାକୁ ଲାଗିଲେ। ତା’ପରେ ସମସ୍ତେ ସେପରି କଲେ। ସବୁ ପଥରରେ ଜୟ ଶ୍ରୀରାମ ଲେଖି ପକାଇବାରେ ଲାଗିଲେ।
ରାତିରେ ସମସ୍ତେ ଶୋଇଯିବା ପରେ ରାମଚନ୍ଦ୍ର ସମୁଦ୍ରକୂଳକୁ ଗଲେ। ସମୂଦ୍ରକୂଳରେ ଥିବା ପଥରରୁ ଗୋଟାଏ ନିଜ ହାତରେ ଧରି ପାଣି ଭିତରକୁ ପକାଇଲେ। ପଥରଟି ବୁଡ଼ିଗଲା। ସେ ଆଚମ୍ବିତ ହୋଇଗଲେ। ତାଙ୍କ ନାମ ଲେଖା ଯାଇ ପଥର ପାଣିକୁ ପକାଇଲେ ତାହା ଭାସୁଛି। ମାତ୍ର ସେ ସ୍ୱୟଂ ପକାଉଥିବା ପଥର ବୁଡ଼ି ଯାଉଛି କାହିଁକି!
ଏ ସବୁ ହନୁମାନ ଲୁଚି କରି ଦେଖୁଥିଲେ। ସେ ରାମଚନ୍ଦ୍ରଙ୍କ ପାଖକୁ ଆସିଲେ। ଜଣେ ଭକ୍ତ ଭାବେ ତାଙ୍କ ପ୍ରଭୁଙ୍କ ନାମର ମହାତ୍ମ୍ୟ ରାମଚନ୍ଦ୍ରଙ୍କୁ ବୁଝାଇବାକୁ ଚାହିଁଲେ। ରାମ ବି ବୁଝିଗଲେ ଯେ ଶକ୍ତି କୌଣସି ବ୍ୟକ୍ତିବିଶେଷରେ ନୁହେଁ, ବରଂ ତା’ର ପରିଚୟରେ ଥାଏ। ଆପଣ ଏକଥା ଜାଣିରଖନ୍ତୁ ଯେ ସ୍ୱୟଂ ରାମଚନ୍ଦ୍ରଙ୍କଠାରୁ ବି ତାଙ୍କ ନାମ ବଡ଼ ହୋଇଥାଏ।