ଘଣ୍ଟସେବା ଓ ଘୋଷ ଘଣ୍ଟୁଆ

0 31

ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଦୁଇପ୍ରକାରର ଘଣ୍ଟବାଜଣା ସେବକଙ୍କର ଉଲ୍ଳେଖ ଅଛି। ଗୋଟିଏ, କ୍ରମ-୧୦୨ର ‘ଘଣ୍ଟସେବା’ ଓ ଅନ୍ୟଟି, କ୍ରମ-୧୦୩ର ‘ଘଣ୍ଟୁଆ’। ଏ ଦୁଇ ସେବାର ପ୍ରକାର ଭିନ୍ନ ଭିନ୍ନ। ‘ଘଣ୍ଟସେବା’ର ବିବରଣୀ ଅନୁସାରେ- ଶ୍ରୀମନ୍ଦିରର ପ୍ରତ୍ୟେକ ଦିନର ତିନିଧୂପ, ଯଥା- ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାଧୂପରେ ଘଣ୍ଟ ବଜାନ୍ତି। ରଥ ଓ ସ୍ନାନଯାତ୍ରା ଛାଡ଼ି ବାକିସବୁ ପର୍ବାଣୀ ଓ ଯାନିଯାତ୍ରାରେ ଘଣ୍ଟ ବଜାଇବେ। ବିମଳାଙ୍କ ଷୋଳପୂଜା ଓ ତ୍ରିକାଳ ପୂଜା, ପ୍ରତି ଗୁରୁବାରର ମାଜଣା ଓ ଏକାନ୍ତ, ପାର୍ଶ୍ୱଦେବଦେବୀ- ସରସ୍ୱତୀ, ଗଣେଶ, ସୂର୍ଯ୍ୟ, ଅନନ୍ତ, ନୃସିଂହ, ମହାବୀର ଇତ୍ୟାଦିଙ୍କ ପର୍ବପର୍ବାଣୀ, ପ୍ରତ୍ୟେକ ଆଜ୍ଞାମାଳ ବିଜେ, ସ୍ନାନପୂର୍ଣ୍ଣିିମାର ଜଳଛେକ ବିଜେ, ହାତୀବେଶ ଓ ସୋଲଚିତା ବିଜେ, ଖଳି ଓ ଖଡ଼ି ବିଜେ, ମକର ଓ ସାତପୁରୀ ତାଡ଼ ଆଦି ବିଜେ ସମୟରେ ଘଣ୍ଟ ବଜାଇବେ।

ଉପରୋକ୍ତ ବିବରଣୀରୁ ସ୍ପଷ୍ଟ ସୂଚିତ ଯେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଏ ସେବକ ଘଣ୍ଟ ବଜାନ୍ତି ନାହିଁ। ଏଣୁ ସ୍ନାନଯାତ୍ରା ଏବଂ ରଥ ବା ଘୋଷଯାତ୍ରାର ଘଣ୍ଟସେବା ଏହାଠାରୁ ଭିନ୍ନ। ‘କର୍ମାଙ୍ଗୀ ମାଦଳା’ରେ ମଧ୍ୟ ଏହିପରି ଦୁଇ ଭିନ୍ନ ଭିନ୍ନ ସେବାର ଉଲ୍ଲେଖ ଅଛି। ତାହା ହେଉଛି, କ୍ରମ-୩୦ର ‘ଘଣ୍ଟୁଆ’ ଓ କ୍ରମ- ୭୧ର ‘କଂସାରି’। କିନ୍ତୁ ଏ ଦୁଇ ସେବାର ବିବରଣୀ ଦ୍ଵନ୍ଦ୍ୱ ସୃଷ୍ଟି କରେ। ‘ଘଣ୍ଟୁଆ’ ସେବାର ବିବରଣୀରେ, ‘‘ପରମେଶ୍ୱରଙ୍କ ବିଜେ କାଳେ ଆପଣା ଘଣ୍ଟା ବଜାଇବ’’ ଓ ‘‘ପରମେଶ୍ୱରଙ୍କ ବିଜେ କାଳେ ବିଜେ ଘଣ୍ଟା ବଜାଇବ’’ ବୋଲି ଉଲ୍ଲେଖ ଥିବାବେଳେ, ‘କଂସାରି’ ସେବାର ବିବରଣୀରେ ‘‘ରଥରେ ମହାପ୍ରଭୁଙ୍କ ରଥପହଣ୍ଡି ବିଜେ କାଳେ ଆପଣେ ସକଳ ଘଣ୍ଟା ବଜାଇବେ’’ ବୋଲି ଉଲ୍ଲେଖ ଅଛି। ତେବେ ସ୍ୱତ୍ଵଲିପିର କ୍ରମ-୧୦୩ର ବିବରଣୀ ଅନୁସାରେ, ‘ଘଣ୍ଟୁଆ’ ହିଁ ରଥ ବା ଘୋଷ ଘଣ୍ଟୁଆ। ତେଣୁ ଶ୍ରୀ ରଥଶର୍ମା ଓ ଅନ୍ୟମାନଙ୍କ ବିବରଣୀରେ ଏହାଙ୍କୁ ‘ରଥ ଘଣ୍ଟୁଆ’ ବା ‘ଘୋଷ ଘଣ୍ଟୁଆ’ ବୋଲି ଉଲ୍ଲେଖ କରାଯାଇଛି।

୩୨. ରଥ ବା ଘୋଷ ଘଣ୍ଟୁଆ: ସ୍ୱତ୍ଵଲିପିର ବିବରଣୀ ଅନୁସାରେ, ଏହି ଘଣ୍ଟୁଆ ସେବକ ସ୍ନାନପୂଣ୍ଣମୀ ଦିନ ରତ୍ନସିଂହାସନରୁ ସ୍ନାନବେଦୀକୁ ଓ ସ୍ନାନବେଦୀଠାରୁ ଅଣସର ପିଣ୍ଡିକୁ ଠାକୁରମାନଙ୍କର ବିଜେ କାଳରେ ଘଣ୍ଟ ବଜାନ୍ତି। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରାଦିନ ଅଣସରପିଣ୍ଡିରୁ ରଥକୁ ପହଣ୍ଡି ହୋଇ ଆସିବାବେଳେ, ବିଜେ ପ୍ରତିମାମାନ (ଯଥା ରାମ, କୃଷ୍ଣ ଓ ମହନମୋହନ)ଙ୍କ ରଥବିଜେ ସମୟରେ, ରଥ ଚାଲିବାବେଳେ, ରଥରୁ ଠାକୁରମାନେ ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ଘରକୁ ଯିବାବେଳେ ଏହି ସେବକ ଘଣ୍ଟ ବଜାନ୍ତି। ପୁଣି ବାହୁଡ଼ା ଯାତ୍ରା ନିମନ୍ତେ ରଥ ଦକ୍ଷିଣମୋଡ଼ ହେବାବେଳେ, ଠାକୁରମାନେ ଶ୍ରୀଗୁଣ୍ଡିଚା ଘରୁ ପହଣ୍ଡି ହୋଇ ରଥକୁ ଆସିବାବେଳେ ଓ ବାହୁଡ଼ା ରଥ ଚାଲିବାବେଳେ ଏ ସେବକ ଘଣ୍ଟ ବଜାନ୍ତି। ପରିଶେଷରେ ନୀଳାଦ୍ରି ବିଜେରେ ଠାକୁରମାନେ ପହଣ୍ଡି ହୋଇ ରଥରୁ ରତ୍ନବେଦୀକୁ ଆସିବାବେଳେ ଏହି ସେବକ ଘଣ୍ଟ ବଜାନ୍ତି।

ସ୍ୱତ୍ଵଲିପି ଅନୁସାରେ, ‘ଘଣ୍ଟସେବା’ ଓ ‘ଘଣ୍ଟୁଆ’ ସେବା ଭିନ୍ନ ଭିନ୍ନ ଏବଂ ଉଭୟ ସେବା ବଂଶାନୁକ୍ରମିକ। କିନ୍ତୁ ‘ଘଣ୍ଟସେବା’ ଶାଢ଼ିବନ୍ଧା ଶୂଦ୍ରସେବକ ହୋଇଥିବାବେଳେ, ‘ଘଣ୍ଟୁଆ’ ଶାଢ଼ିବନ୍ଧା ସେବକ ନୁହନ୍ତି। ତେବେ ସ୍ୱତ୍ଵଲିପିରେ ‘ଘଣ୍ଟୁଆ’ଙ୍କୁ ‘କଂସାରି ସେବକ’ ବୋଲି ଉଲ୍ଲେଖ କରାଯାଇଛି। ଏହାଙ୍କୁ ମଧ୍ୟ (କ) ‘ପୁରୀ’ ଓ (ଖ) ‘ଭଟିମୁଣ୍ଡା’ ଇତ୍ୟାଦି ଭାବରେ ଦୁଇଭାଗରେ ସୂଚିତ କରାଯାଇଛି। ଶ୍ରୀ ରଥଶର୍ମା ମଧ୍ୟ ତାଙ୍କ ବିବରଣୀରେ ଏହାଙ୍କୁ (୧) ପୁରୀନଗର ଓ (୨) ଘଣ୍ଟିମୁଣ୍ଡା ଖରୁଡ଼ାକୁଳ ଘଣ୍ଟବାଦକ ଭାବରେ ଦୁଇଭାଗରେ ବିଭକ୍ତ କରିଛନ୍ତି।

ତେବେ ସ୍ନାନଯାତ୍ରା, ରଥ ଓ ବାହୁଡ଼ା ଯାତ୍ରା ଏବଂ ନୀଳାଦ୍ରିବିଜେର ଉପରୋକ୍ତ ସମସ୍ତ ନୀତିରେ ‘ଘଣ୍ଟୁଆ’ ସେବକ ଘଣ୍ଟ ବଜାଉଥିବାବେଳେ, ପ୍ରତ୍ୟେକ ଆଜ୍ଞାମାଳ ବିଜେରେ ‘ଘଣ୍ଟସେବା’ ସେବକ ହିଁ ଘଣ୍ଟ ବଜାଇ ଥାଆନ୍ତି। ଏପରିକି ରଥ ଆଜ୍ଞାମାଳ ବିଜେରେ ମଧ୍ୟ ‘ଘଣ୍ଟସେବା’ ସେବକ ହିଁ ଘଣ୍ଟ ବଜାନ୍ତି।

ରାଜଗୁରୁଙ୍କ ସେବାବିବରଣୀରେ ‘କଂସାରି’ ସେବକଙ୍କ ସଂପର୍କରେ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ଅଛି। ସେହି ସୂଚନା ଅନୁସାରେ, ‘‘ଏ ସେବା ତାମ୍ର ବିଶୋଇ ନାମେ ଓଝା ମହାରଣା ନିଯୋଗ ସହ ସଂଶ୍ଳିଷ୍ଟ ଥିଲା।’’ ଏହା ସୂଚାଏ, ଏକଦା ‘କଂସାରି’ ଓ ‘ତାମ୍ର ବିଶୋଇ’ ଉଭୟ ସେବା ଓଝା ମହାରଣା ସେବାର ଅନ୍ତର୍ଭୁକ୍ତ ଥିଲା। କାରଣ ଓଝା ମହାରଣା ହିଁ ସେତେବେଳେ ଥିଲେ ମୁଖ୍ୟ ରଥକାର।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.