ରଥ କଥା : ରାଘବ, କୃଷ୍ଣ ଓ ଗୋବର୍ଦ୍ଧନଧାରୀ

0 83

ନନ୍ଦିଘୋଷ ରଥର ପଶ୍ଚାତ୍‌ ଭାଗରେ ସ୍ଥାନିତ ତିନି ପାର୍ଶ୍ୱଦେବତା ହେଉଛନ୍ତି- ରାଘବ, କୃଷ୍ଣ ଓ ଗୋବର୍ଦ୍ଧନଧାରୀ। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି-

୪. ରାଘବ: ରଘୁବଂଶରେ ଜନ୍ମଗ୍ରହଣ କରିଥିବାରୁ ରାମଚନ୍ଦ୍ରଙ୍କର ଅନ୍ୟନାମ ରାଘବ। କାଳିଦାସଙ୍କ ‘ରଘୁବଂଶ’ରେ ତାଙ୍କ ସଂପର୍କରେ ସୁନ୍ଦର ବର୍ଣ୍ଣନା ଅଛି। କୁହାଯାଇଛି- ଦେବଭୂମି ରୂପେ ଖ୍ୟାତ ଆକାଶ ଯେପରି ଅତ୍ରିମୁନିଙ୍କ ନୟନଜ୍ୟୋତି ଚନ୍ଦ୍ରଙ୍କୁ ଧାରଣ କରିଥିଲେ, ଦେବନଦୀ ରୂପେ ଖ୍ୟାତ ଗଙ୍ଗା ଯେପରି ଅଗ୍ନିଙ୍କ ଦ୍ଵାରା ନିକ୍ଷିପ୍ତ ଶିବଙ୍କର ବୀର୍ଯ୍ୟକୁ (କାର୍ତ୍ତିିକେୟଙ୍କୁ) ଧାରଣ କରିଥିଲେ, ସେହିପରି ରାଣୀ ସୁଦକ୍ଷିଣା ରାଜାଙ୍କର କୁଳସଂପଦ ବୃଦ୍ଧି ନିମନ୍ତେ ଗର୍ଭଧାରଣ କଲେ।

ଏହି ସୁଦକ୍ଷିଣା ସୂର୍ଯ୍ୟବଂଶୀ ରାଜା ଦିଲୀପଙ୍କ ପତ୍ନୀ। ରାଜା ଓ ରାଣୀ ପୁତ୍ର କାମନାରେ ମହର୍ଷି ବଶିଷ୍ଠଙ୍କ ଆଶ୍ରମକୁ ଯାଇ, ତାଙ୍କ ଉପଦେଶ ଅନୁସାରେ କାମଧେନୁ ସୁରଭି ଓ ତାଙ୍କର ପୁତ୍ରୀ ନନ୍ଦିନୀଙ୍କୁ ସେବା କରି ସୁରଭିଙ୍କ କୃପାରୁ ଗର୍ଭବତୀ ହୋଇଥିଲେ। ସେହି ପୁତ୍ର ଥିଲେ ରଘୁ ଏବଂ ସେହିଠାରୁ ରଘୁବଂଶର ଉଦ୍ଭବ। ରଘୁଙ୍କ ପୁତ୍ର ଅଜ, ଅଜଙ୍କ ପୁତ୍ର ଦଶରଥ ଓ ଦଶରଥଙ୍କ ପୁତ୍ର ରାମ। ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣ ଓ ସେ, ଚାରିଜଣଯାକ ରଘୁବଂଶୀୟ ହେତୁ ରାଘବ। କିନ୍ତୁ ‘ଦାଶରଥି’ ଓ ‘ରାଘବ’ ମୁଖ୍ୟତଃ ରାମଙ୍କୁ ହିଁ ବୁଝାଏ। ଏ ସଂପର୍କିତ ଆଖ୍ୟାନ ଅନୁସାରେ, ଦଶରଥଙ୍କ ଦ୍ଵାରା ଅନୁଷ୍ଠିତ ପୁତ୍ରେଷ୍ଟି ଯଜ୍ଞରୁ ସ୍ୱୟଂ ଭଗବାନ ବିଷ୍ଣୁ ରାଘବ ରାମଚନ୍ଦ୍ର ରୂପେ ଜନ୍ମଗ୍ରହଣ କରିଥିଲେ। ଦେବତାମାନଙ୍କ ଅନୁରୋଧରେ ରାବଣର ବଧ ନିମନ୍ତେ ସେ ସେହି ଅବତାର ଗ୍ରହଣ କରିଥିଲେ।

ପୌରାଣିକ ଉପାଖ୍ୟାନ ଅନୁସାରେ, ରାବଣ ସହିତ ଯୁଦ୍ଧବେେଳେ ରାମ ରଥହୀନ ଥିଲେ। ମାଟିରେ ଠିଆ ହୋଇ ଯୁଦ୍ଧ କରୁଥିଲେ। ସେଥିପାଇଁ ଇନ୍ଦ୍ର ତାଙ୍କ ନିମନ୍ତେ ‘ନନ୍ଦିଘୋଷ’ ରଥ ପଠାଇଥିଲେ (ଦ୍ରଷ୍ଟବ୍ୟ: ରଥକଥା-୨୦ ଓ ୨୯, ୨୦୧୭)। ତା’ ପୂର୍ବରୁ ହନୁମାନ ତାଙ୍କୁ କାନ୍ଧରେ ବସାଇ ବିଭିନ୍ନ ସ୍ଥାନକୁ ନେଉଥିଲେ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ହନୁମାନଙ୍କ ସ୍କନ୍ଧରେ ବିରାଜିତ ସେହି ରାଘବ ରାମଙ୍କର ରୂପ ପାର୍ଶ୍ୱଦେବତା ରୂପେ ସ୍ଥାନିତ। ସ୍ମରଣଯୋଗ୍ୟ ଯେ ଏହି ଦେବତାଙ୍କୁ ମିଶାଇ ରାମାବତାର ସଂପର୍କିତ ମୋଟ ଚାରିଟି ରୂପ- ରାମ, ଲକ୍ଷ୍ମଣ, ରାଘବ ଓ ପଞ୍ଚମୁଖୀ ହନୁମାନ ନନ୍ଦିଘୋଷ ରଥରେ ପାର୍ଶ୍ୱଦେବତା ରୂପେ ସ୍ଥାନିତ ହୋଇଛନ୍ତି।

୫. କୃଷ୍ଣ: ରାମାବତାରର ରୂପ ପରି, ପୂର୍ଣ୍ଣାବତାର କୃଷ୍ଣଙ୍କର ବିଭିନ୍ନ ରୂପ ମଧ୍ୟ ନନ୍ଦିଘୋଷରେ ପାର୍ଶ୍ୱଦେବତା ରୂପେ ସ୍ଥାନିତ ହୋଇଛନ୍ତି। କିନ୍ତୁ ଏହି କୃଷ୍ଣ ଦ୍ଵିଭୁଜ ନୁହନ୍ତି, ଚତୁର୍ଭୁଜ। ପୁଣି ଏହା କୃଷ୍ଣଙ୍କର ଦୈତ୍ୟ ନିଧନକାରୀ ରୂପ। ଏଥିରେ ତାଙ୍କର ଚାରିହସ୍ତ ମଧ୍ୟରୁ ଦକ୍ଷିଣ ଉପର ହସ୍ତରେ ଚକ୍ର ଓ ଦକ୍ଷିଣ ନିମ୍ନ ହସ୍ତରେ ଗଦା ଥିବାବେଳେ, ବାମ ଉପର ହସ୍ତରେ ଶଙ୍ଖ ପରିଲକ୍ଷିତ। ବାମ ନିମ୍ନ ହସ୍ତରେ ସେ ଦୈତ୍ୟର କେଶ ଧାରଣ କରିଥିବାବେଳେ ଦୁଇ ପାଦରେ ଦୈତ୍ୟର ଦୁଇ ଜଙ୍ଘକୁ ଚାପି ଧରିଛନ୍ତି। ଏହା କୃଷ୍ଣଙ୍କର କେଶୀବଧ ରୂପ।

କୃଷ୍ଣଙ୍କୁ ବଧ କରିବାପାଇଁ କଂସ ଦ୍ଵାରା ପ୍ରେରିତ ହୋଇ କେଶୀ ଗୋପପୁରକୁ ଆସିବାପରେ, କୃଷ୍ଣ ଯେ ଚତୁର୍ଭୁଜ ବିଷ୍ଣୁ ତାହା ହୃଦ୍‌ବୋଧ କରିଥିଲା। ଅକ୍ରୁରଙ୍କୁ ମଧ୍ୟ କୃଷ୍ଣ ଗୋପପୁରରେ ଥରେ ନିଜର ଚତୁର୍ଭୁଜ ରୂପ ଦେଖାଇ ଥିବାର ବର୍ଣ୍ଣନା ପୁରାଣରେ ରହିଛି। ଗାଈ ଦୁହିଁବାବେଳେ କେଶ ଫିଟିଯିବାରୁ ସେ ଗାଈ ଦୁହିଁବା ବନ୍ଦ ନକରି ଅନ୍ୟ ଦୁଇ ହାତରେ ନିଜର କେଶ ବାନ୍ଧି ଦେଇଥିଲେ।

୬. ଗୋବର୍ଦ୍ଧନଧାରୀ: କୃଷ୍ଣଙ୍କର ଗୋବର୍ଦ୍ଧନଧାରୀ ରୂପ ବହୁବର୍ଣ୍ଣିିତ ଓ ଅତ୍ୟନ୍ତ ଲୋକପ୍ରିୟ। ଶ୍ରୀମଦ୍‌ଭାଗବତର ବର୍ଣ୍ଣନା ଅନୁସାରେ, ଥରେ ଗୋପରେ ଅନାବୃଷ୍ଟି ହେବାରୁ ଗୋପବାସୀ ଇନ୍ଦ୍ରପୂଜାର ଆୟୋଜନ କଲେ। କିନ୍ତୁ କୃଷ୍ଣ ଇନ୍ଦ୍ରଙ୍କୁ ପୂଜା ନକରି ଗୋବର୍ଦ୍ଧନଗିରିଙ୍କୁ ପୂଜା କରିବାକୁ ସେମାନଙ୍କୁ କହିଲେ ଏବଂ ସେମାନେ ତାହା କଲେ। ଏଥିରେ ଇନ୍ଦ୍ର କ୍ରୁଦ୍ଧ ହେଲେ ଏବଂ ତାଙ୍କ ଆଦେଶରେ ମେଘମାନେ ଶିଳା ଓ ବଜ୍ର ବୃଷ୍ଟି କଲେ। କିନ୍ତୁ ଗୋକୁଳକୁ ଓ ଗୋପବାସୀଙ୍କୁ ରକ୍ଷା କରିବାପାଇଁ କୃଷ୍ଣ ଗୋବର୍ଦ୍ଧନଗରିକୁ ଉପାଡ଼ି ତାଙ୍କ ବାମ ହାତର କାଣି ଆଙ୍ଗୁଠିରେ ଛତା ପରି ଟେକି ଧରିଲେ। ସାତଦିନ, ସାତରାତି ପ୍ରବଳ ବୃଷ୍ଟି କରିବା ସତ୍ତେ୍ଵ ସେମାନେ ସୁରକ୍ଷିତ ରହିଲେ। ଇନ୍ଦ୍ରଙ୍କର ଗର୍ବ ଚୂର୍ଣ୍ଣ ହେଲା।

ନନ୍ଦିଘୋଷର ରଥଦେବତା ରୂପରେ କୃଷ୍ଣଙ୍କର ସେହି ରୂପ ଖୋଦିତ। ସେ ବାମ ହାତର କାଣି ଆଙ୍ଗୁଠିରେ ଗୋବର୍ଦ୍ଧନଗିରି ଏବଂ ଦକ୍ଷିଣ ହାତରେ ବେଣୁ ଧାରଣ କରିଛନ୍ତି। ତାଙ୍କର ଦୁଇ ପାର୍ଶ୍ୱରେ ଦୁଇ ଗୋପବାଳକ ଲଗୁଡ଼ (ଠେଙ୍ଗା) ହସ୍ତରେ ବିଦ୍ୟମାନ ଅଛନ୍ତି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.