ପାକିସ୍ତାନର ଏହି ଶିବ ମନ୍ଦିରରେ ରହିଛି ପୌରାଣିକ କୁଣ୍ଡ ! ମହାଦେବଙ୍କ ଆଖିରୁ ଲୁହ ନିଗିଡ଼ି ତିଆରି ହୋଇଥିଲା କଟାକ୍ଷ କୁଣ୍ଡ

ନୂଆଦିଲ୍ଲୀ:  ଆଉ ଦିନକ ପରେ ମହାଶିବରାତ୍ରି । ଏହି ଦିନରେ ଶିବ ଭକ୍ତମାନେ ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିବାକୁ ପ୍ରୟାସ କରିଥାନ୍ତି । ଶିବଙ୍କ ପ୍ରତି ଏଭଳି ଆସ୍ଥା ଓ ସମର୍ପଣ କେବଳ ଭାରତ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ବି ଦେଖିବାକୁ ମିଳେ । ହଁ, ପାକିସ୍ତାନରେ ବି ଅନେକ ହିନ୍ଦୁ ମନ୍ଦିର ରହିଛି  ସେଥିମଧ୍ୟରୁ କଟସରାଜ ମନ୍ଦିର ଅନ୍ୟତମ । ଆସନ୍ତୁ  ଏହି ମନ୍ଦିର ସହ ଜଡିତ କିଛି ଆସ୍ଥା ବିଶ୍ୱାସର କାହାଣୀ  ସଂପର୍କରେ ଜାଣିବା।

ଧାର୍ମିକ ମତଅନୁଯାୟୀ କଟସରାଜସ୍ଥିତ ଏହି ଶିବ ମନ୍ଦିର ପାକିସ୍ତାନର ଚକବାଲରୁ ପାଖାପାଖି ୪୦ କିଲୋମିଟର ଦୂର କଟସ ନାମକ ପାହାଡିଆ ସ୍ଥାନରେ ଅବସ୍ଥିତ । ଏହି ଐତିହାସିକ ମନ୍ଦିର ପାଖାପାଖି ୯ଶହ ବର୍ଷ ପୁରୁଣା । ସବୁଠୁ ବଡ କଥା ହେଉଛି  ଏଠାରେ ଥିବା ପୁଷ୍କରିଣୀ ଯାହା କି କଟାକ୍ଷ କୁଣ୍ଡ ନାମରେ ଖ୍ୟାତ । ଧାର୍ମିକ ମତ ଅନୁଯାୟୀ  ମାତା ସତୀ ନିଜ ପିତା ଦକ୍ଷଙ୍କ ଯଜ୍ଞକୁଣ୍ଡରେ ଆତ୍ମଦାହ କରିଥିଲେ । ସେତେବେଳେ ତାଙ୍କ ବିୟୋଗରେ ଭଗବାନ ଶିବ ଅତ୍ୟନ୍ତ ମର୍ମାହତ ହୋଇଥିଲେ । ମାତା ସତୀଙ୍କ ସ୍ମୃତିରେ ଭଗବାନ ଶିବଙ୍କ ଆଖିରୁ ଯେଉଁ ଲୁହ ଗଡିଥିଲା ସେଥିରେ ଦୁଇଟି କୁଣ୍ଡ ହୋଇଯାଇଥିଲା । ଆଉ ଏଥିରେ ଗୋଟିଏ କୁଣ୍ଡ ହେଉଛି କଟାକ୍ଷ କୁଣ୍ଡ ।

Scroll.in

ଶିବଙ୍କ ଅଶ୍ରୁରେ ଯେଉଁ ଦୁଇଟି  କଟାକ୍ଷ କୁଣ୍ଡ ତିଆରି ହୋଇଥିଲା, ସେମଧ୍ୟରୁ ଗୋଟିଏ ଦେଶ ବିଭାଜନ ହେବା ପରେ ପାକିସ୍ତାନରେ ଥିବାବେଳେ ଅନ୍ୟଟି ଭାରତର ରାଜସ୍ଥାନର ପୁଷ୍କର ତୀର୍ଥରେ ଅଛି । କଟସରାଜ ମନ୍ଦିରର କଟାକ୍ଷ କୁଣ୍ଡ ଚମତ୍କାରୀ ପାଣିରେ ଭରପୂର ରହିଥିବା କୁହାଯାଏ । ଏଥିରେ ଦୁଇଟି ରଙ୍ଗର ପାଣି ରହିଛି । ଯେଉଁସ୍ଥାନରେ ପାଣିର ଗଭୀରତା କମ ରହିଛି ସେଠାରେ ପାଣିର ରଙ୍ଗ ସବୁଜ ଥାଏ ଏବଂ ଯେଉଁଠି ଅଧିକ ଗଭୀର ଥାଏ ସେଠାରେ ପାଣିର ରଙ୍ଗ ନୀଳ ରଙ୍ଗ ଦେଖାଯାଏ । ମହାଭାରତ ଅନୁଯାୟୀ ପଞ୍ଚୁ ପାଣ୍ଡବ ଜଣ ଜଣ କରି ନିଜର ଶୋଷ ମେଂଟାଇବା ପାଇଁ ଏଠାକୁ ଆସିଥିଲେ । ଅନ୍ୟପଟେ ଏହି କୁଣ୍ଡ ଉପରେ ଯକ୍ଷର ଅଧିକାର ରହିଥିଲା । ପାଣି ପିଇବାକୁ ଆସିଥିବା ବେଳେ ପଞ୍ଚୁ ପାଣ୍ଡବ ଜଣ ଜଣ କରି ବେହୋସ ହୋଇଯାଇଥିଲେ । କିନ୍ତୁ ଶେଷରେ ଯୁଧିଷ୍ଠିର ଯକ୍ଷର ସମସ୍ତ ପ୍ରଶ୍ନର ଉତ୍ତର ଠିକ ଭାବେ ଦେଇ ନିଜ ଭାଇମାନଙ୍କୁ ଜୀବିତ ଉଦ୍ଧାର କରିଥିଲେ ।

ସମ୍ବନ୍ଧିତ ଖବର