ବିଶ୍ୱରେ ପ୍ରଥମ ଥର ପାଇଁ ଚୁଇଂଗମ୍‌ରୁ ତିଆରି ହେଲା ସ୍ନିକର ସୁଜ୍‌

ନୂଆଦିଲ୍ଲୀ : ଚୁଇଂଗମ୍‌ ଏପରି ଏକ ଜିନିଷ ଯାହା ବିଷୟରେ କାହାକୁ ବି ଅଧିକ ଜଣାଇବାକୁ ପଡ଼ିବ ନାହିଁ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇଥାନ୍ତି । କିନ୍ତୁ ଏହି ଚୁଇଂଗମ୍‌କୁ ବ୍ୟବହାର କରି ଏକ ସ୍ନିକର ସୁଜ୍‌ ବା ଯୋତା ପ୍ରସ୍ତୁତ କରାଯାଇ ପାରିବ ବୋଲି ଆପଣ କେବେ ଭାବିଥିଲେ କି? ଯଦି ନାଁ, ତେବେ ଆଜି ଠାରୁ ଭାବନ୍ତୁ । କାରଣ ଏବେ ବିଶ୍ୱରେ ପ୍ରଥମ ଥର ପାଇଁ ଚୁଇଂଗମ୍‌କୁ ବ୍ୟବହାର କରାଯାଇ ସ୍ନିକର ସୁଜ୍‌ ପ୍ରସ୍ତୁତ କରାଯାଇଛି ବୋଲି ଜଣା ପଡ଼ିଛି । ଚୁଇଂଗମ୍‌କୁ ଖାଇବା ପରେ ଲୋକମାନେ ତାକୁ ଏତେ ତେଣେ ଫିଙ୍ଗି ଦିଅନ୍ତି ।

ଫିଙ୍ଗା ହୋଇଥିବା ଚୁଇଂଗମ୍‌ ବାଟରେ ଚାଲୁଥିବା ଲୋକଙ୍କ ପାଦରେ ଲାଗି ସେମାନଙ୍କୁ ଅସୁବିଧାରେ ପକାଇଥାଏ । ଏହି ଅସୁବିଧାର ସମାଧାନ କରିବାକୁ ଯାଇ ବିଶ୍ୱରେ ପ୍ରଥମ ଥର ପାଇଁ ବ୍ୟବହାର ହୋଇଯାଇଥିବା ଚୁଇଂଗମ୍‌କୁ ନେଇ ସ୍ନିକର ସୁଜ୍‌ ପ୍ରସ୍ତୁତ କରାଯାଇଛି । ଏହାକୁ ଏକ୍ସିପ୍ଲିସିଟ୍‌ ଓୟର ଆଣ୍ଡ୍‌ ଗମଡ଼୍ରପ୍‌ ନାମକ ଏକ କମ୍ପାନୀ ତିଆରି କରିଥିବା ଜଣା ପଡ଼ିଛି । ସ୍ନିକରର ଏହି ଯୋତାରେ ୨୦ ପ୍ରତିଶତ ଚୁଇଂଗମ୍‌ ବ୍ୟବହାର କରାଯାଇଥିବା ବେଳେ ଏହାର ନାମ ଗମ୍‌-ଟେକ୍‌ ରଖାଯାଇଛି ।

ସୂଚନା ମୁତାବକ,ନେଦରଲାଣ୍ଡର ରାଜଧାନୀ ଆମ୍‌ଷ୍ଟରଡ଼ାମ୍‌ରେ ପ୍ରତି ବର୍ଷ ସଡ଼କରୁ ୩.୩ ମିଲିୟନ ଚୁଇଂଗମ୍‌ ହଟାଇବା ପାଇଁ ପ୍ରାୟ ମିଲିୟନ ମିଲିୟନ ଡ଼ଲାର ଖର୍ଚ୍ଚ ହୋଇଥାଏ । ସେଥିପାଇଁ ଚୁଇଂଗମ୍‌କୁ ନ ଫିଙ୍ଗି ଏହି ଉପାୟରେ ବ୍ୟବହାର କରାଯାଇଛି ବୋଲି ସୂଚନା ମିଳିଛି । ଏକ କେଜି ଚୁଇଂଗମ୍‌ରୁ ପ୍ରାୟ ୪ଟି ଯୋତା ତିଆରି କରାଯାଇ ପାରୁଥିବା ବେଳେ ଜୁନ୍‌ ମାସରେ ଏହି ଯୋତାକୁ ୨୩୨ ଡ଼ଲାରରେ ବିକ୍ରି କରାଯିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର