ପୃଥିବୀ ଧ୍ୱଂସ ହେବାର ଏହି ୫ଟି ଭବିଷ୍ୟବାଣୀ ଭୁଲ ସାବ୍ୟସ୍ତ ହୋଇଥିଲା

ନୂଆଦିଲ୍ଲୀ: ଆପଣ ନିକଟ ଅତୀତରେ ଏମିତି ଅନେକ ଭବିଷ୍ୟବାଣୀ ବିଷୟରେ ଶୁଣିଥିବେ, ଯାହା ପୃଥିବୀ ଏକ ନିର୍ଦ୍ଦିଷ୍ଟ ଦିନ ଧ୍ୱଂସ ପାଇଯିବ ବୋଲି ସୂଚାଇ ଥିଲା। ମାତ୍ର ଏଭଳି ଭବିଷ୍ୟତବାଣୀ ସତ୍ୟ ପ୍ରମାଣିତ ନ ହେବା ଆମେ ଅଙ୍ଗେ ନିଭାଇଛେ। ଆସନ୍ତୁ ଏମିତି ୫ଟି ବହୁ ଚର୍ଚ୍ଚିତ ଭବିଷ୍ୟବାଣୀ ବିଷୟରେ ଆଲୋଚନା କରିବା।

ସେପଟେମ୍ବର ୬,୧୯୯୪: ହାରଲ୍ଡ କ୍ୟାମ୍ପିଙ୍ଗ୍‌

୧୯୯୨ ମସିହାରେ ହାରଲ୍ଡ କ୍ୟାମ୍ପିଙ୍ଗଙ୍କ ଦ୍ୱାରା ଲିଖିତ ପୁସ୍ତକ ‘୧୯୯୪’ ପ୍ରକାଶିତ ହୋଇଥିଲା। ବାଇବେଲ୍‌ରେ ବର୍ଣ୍ଣିତ ବିଭିନ୍ନ ଭବିଷ୍ୟବାଣୀକୁ ଆଧାର କରି ଏହି ପୁସ୍ତକ ରଚିତ ହୋଇଥିଲା। ଏଥିରେ କୁହାଯାଇଥିଲା କି ୧୯୯୪ ମସିହା ସେପ୍‌ଟେମ୍ବରରେ ଯୀଶୁ ପୁଣି ଜନ୍ମ ନେବେ। ମାତ୍ର ସେଭଳି କିଛି ଘଟି ନଥିଲା। କ୍ୟାମ୍ପିଙ୍ଗ ୧୨ଟି ଭିନ୍ନ ଭିନ୍ନ ଭବିଷ୍ୟବକ୍ତାଙ୍କୁ ପଢ଼ିବା ପରେ ଏହି ପୁସ୍ତକ ରଚନା କରିଥିଲେ।

ଜାନୁଆରି ୧, ୨୦୦୦-ଓ୍ଵାଇଟୁକେ

ଯେତେବେଳେ ବିଂଶ ଶତାଦ୍ଦୀର ପ୍ରଥମ ବର୍ଷ ୨୦୦୦ ମସିହା ପାଦ ରଖିବାକୁ ଯାଉଥିଲା, ସେତେବେଳେ କେତେଜଣ ଭବିଷ୍ୟବାଣୀ କଲେ ୨୦୦୦ ମସିହା ଜାନୁଆରି ପହିଲା ଦିନ ପୃଥିବୀର ସମସ୍ତ କମ୍ପ୍ୟୁଟର ଅକାମୀ ହୋଇଯିବ। ଫଳରେ ସମଗ୍ର ପୃଥିବୀରେ ହାହାକାର ସୃଷ୍ଟି ହେବ। ଏହାକୁ ‘ଓ୍ଵାଇଟୁ କେ’ ଇମ୍ପାକ୍ଟ କୁହାଗଲା। ମାତ୍ର କାଁଭାଁ ଏଭଳି ଘଟଣା ଘଟିଲା, କିନ୍ତୁ ପୃଥିବୀର ବିଭିନ୍ନ ସ୍ଥାନରେ ନିଯୋଜିତ କମ୍ପ୍ୟୁଟର ଯେମିତି ଚାଲିବା କଥା ସେମିତି ଚାଲିଲା।

ମେ ୫, ୨୦୦୦-ରିଚାର୍ଜ ଡବ୍ଲୁ ନୁନ୍‌
‘୫/୫/୨୦୦୦: ଆଇସ୍‌, ଦ ଅଲଟିମେଟ ଡିଜାଷ୍ଟର’ ଶୀର୍ଷକ ପୁସ୍ତକର ଲେଖକ ରିଚାର୍ଡ ଡବ୍ଲୁ ନୁନ୍‌ ତାଙ୍କ ଲିଖିତ ଏହି ପୁସ୍ତକରେ ଦାବି କରିଥିଲେ ଯେ ୨୦୦୦ ମସିହା ମେ ୫ ତାରିଖ ଦିନ ପୃଥିବୀ ଧ୍ୱଂସ ପାଇଯିବ। କାରଣ ଏହି ଦିନ ପୃଥିବୀ ସହ ଅନ୍ୟ ୫ଟି ଗ୍ରହ ସରଳରେଖାରେ ରହିବେ। ଏହା ଫଳରେ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ସଂଘଠିତ ହେବ, ଯାହା ପ୍ରଭାବରେ ମାନବ ସଭ୍ୟତା ଲୋପ ପାଇଯିବ।

ସେପ୍‌ଟେମ୍ବର ୧୦, ୨୦୦୮: ଲାର୍ଜ ହାଡ୍ରନ୍‌ କୋଲିଡର

ଏହା ବିଶ୍ୱାସ କରାଯାଉଥିଲା କି ପୃଥିବୀ ସେହିଦିନ ଧ୍ୱଂସ ହୋଇଯିବ,ଯେଉଁଦିନ ପୃଥିବୀର ସର୍ବବୃହତ ଓ ସବୁଠାରୁ ଶକ୍ତିଶାଳୀ ପାର୍ଟିକର୍ଲ କୋଲିଡର କାର୍ଯ୍ୟକ୍ଷମ ହେବ। ସୃଷ୍ଟିର ଉତ୍ପତ୍ତି ସମ୍ପର୍କିତ ବିଗବ୍ୟାଙ୍ଗ ତତ୍ତ୍ୱର ପରୀକ୍ଷା ଲାଗି ଏହି କୋଲିଡରର ଉପଯୋଗ ହୋଇଥିଲା। ମାତ୍ର ଏହାର କୌଣସି ପ୍ରଭାବ ନଥିଲା।

ଡିସେମ୍ବର ୨୧,୨୦୧୨: ମାୟା ସଭ୍ୟତାର ଭବିଷ୍ୟବାଣୀ

ମାୟା ସଭ୍ୟତା ଦ୍ୱାରା ପ୍ରଚଳିତ ପ୍ରାଚୀନ କ୍ୟାଲେଣ୍ଡର ତଥ୍ୟ ଅନୁସାରେ ୨୦୧୨ ଡିସେମ୍ବର ୨୧ରେ ପୃଥିବୀ ଧ୍ୱଂସ ପାଇଯିବ ବୋଲି ପ୍ରଚାର ହୋଇଥିଲା। ଅନ୍ୟ ଗ୍ରହରୁ ପୃଥିବୀ ଉପରେ ଆକ୍ରମଣ ହେବ, ବିଶାଳ ଲହଡି ଆସି ଭୂଭାଗକୁ ଗ୍ରାସ କରିବ ଓ ସୂର୍ଯ୍ୟରଶ୍ମୀରୁ ଅଗ୍ନି ଆସି ପୃଥିବୀ ପୃଷ୍ଠରେ ବ୍ୟାପିଯିବ ବୋଲି ଭବିଷ୍ୟବାଣୀ ହୋଇଥିଲା। ଏହାକୁ ନେଇ ସମଗ୍ର ପୃଥିବୀରେ ଉତ୍କଣ୍ଠା ପ୍ରକାଶ ପାଇଥିଲା, ମାତ୍ର ସେଭଳି କିଛି ଘଟି ନଥିଲା।

ସମ୍ବନ୍ଧିତ ଖବର