ଉଗାଣ୍ଡାରେ ଫସିଲେ ୨୦ ପାକ୍‌ କ୍ରିକେଟର୍‌

କରାଚି: ଏକ ଅଜବ ଘଟଣାକ୍ରମରେ ପାଖାପାଖି ୨୦ ପାକିସ୍ତାନ କ୍ରିକେଟର୍‌ ଉଗାଣ୍ଡାରେ ଫସି ଯାଇଛନ୍ତି। ଏମାନଙ୍କ ମଧ୍ୟରେ ସଇଦ୍‌ ଆଜ୍‌ମଲ୍‌, ୟାସିର୍‌ ହମିଦ୍‌ ଓ ଇମ୍ରାନ୍‌ ଫରହାତ୍‌ ଭଳି ପ୍ରମୁଖ ଖେଳାଳି ରହିଛନ୍ତି। ଏହି ପାକ୍‌ ଖେଳାଳିମାନେ ଆଇସିସି ସ୍ୱୀକୃତିପ୍ରାପ୍ତ ଆଫ୍ରୋ ଟେ୍ଵଣ୍ଟି-୨୦ ଲିଗ୍‌ ଖେଳିବାକୁ ଯାଇଥିଲେ। ଉଗାଣ୍ଡା କ୍ରିକେଟ୍‌ ସଂଘ ଦ୍ୱାରା ଆୟୋଜିତ ଏହି ଲିଗ୍‌ରେ ଖେଳିବାକୁ ପାକ୍‌ ଖେଳାଳିମାନେ ମଧ୍ୟ ନିଜ ଜାତୀୟ ବୋର୍ଡ (ପିସିବି)ଠାରୁ ଅନୁମତି ନେଇଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ପାଉଣା ବିବାଦକୁ ନେଇ ଫସି ଯାଇଛନ୍ତି। ଏପରିକି ସେଠାରୁ ସ୍ୱଦେଶ ଫେରିପାରୁନାହାନ୍ତି।

ଘଟଣାରୁ ଜଣାପଡ଼ିଛି, ପାକ୍‌ କ୍ରିକେଟର୍‌ମାନେ ଆଫ୍ରୋ ଟେ୍ଵଣ୍ଟି-୨୦ ଲିଗ୍‌ ଖେଳିବା ପାଇଁ କାମ୍ପାଲା ଯାତ୍ରା କରିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ଯେ ଲିଗ୍‌ ସ୍ଥଗିତ ହୋଇଯାଇଛି। ଲିଗ୍‌ର ମୁଖ୍ୟ ପ୍ରାୟୋଜକ ସହ ପାଉଣା ବିବାଦ ଯୋଗୁଁ ଏପରି ଘଟିଛି ବୋଲି ଜାଣିବାକୁ ପାଇଲେ। ତଥାପି ଦୁଇ ଦିନ ଅପେକ୍ଷା କରିବା ପରେ ପାକ୍‌ ଖେଳାଳିମାନେ ଉଗାଣ୍ଡା କ୍ରିକେଟ୍‌ ସଂଘର ପ୍ରତିଶୃତି ମୁତାବକ ସେମାନଙ୍କ ଚୁକ୍ତି ଅର୍ଥର ୫୦ ପ୍ରତିଶତ ପାଉଣା ଦାବି କରିଥିଲେ। ହେଲେ ଲିଗ୍‌ର ପ୍ରାୟୋଜକ ଓହରି ଯାଇଥିବାରୁ ଆୟୋଜକମାନେ କୌଣସି ଅର୍ଥ ଦେଇପାରିବେନି ବୋଲି ରୋକ୍‌ଠୋକ୍‌ ଜଣାଇ ଦେଇଥିଲେ। ଫଳରେ ପାକ୍‌ ଖେଳାଳିମାନେ ତୁରନ୍ତ ସ୍ୱଦେଶ ଫେରିଆସିବାକୁ ଚାହିଁଥିଲେ। ମାତ୍ର ତାହା ବି ସମ୍ଭବ ହୋଇନଥିଲା। ସେମାନେ ବମାନବନ୍ଦରରେ ପହଞ୍ଚିବା ପରେ ଫେରନ୍ତା ଟିକେଟ ମଧ୍ୟ ଅଟକା ହୋଇଯାଇଥିବା ଜାଣିବାକୁ ପାଇଲେ। ଆୟୋଜକମାନେ ସେମାନଙ୍କ ଅନ୍ୟାନ୍ୟ ପାଉଣା (ଟିକେଟ ପ୍ରସ୍ତୁତ କରୁଥିବା ଟ୍ରାଭେଲ୍‌ ଏଜେନ୍ସି) ମଧ୍ୟ ଦେଇନଥିବାରୁ ସଂପୃକ୍ତ ଏଜେନ୍ସି ସବୁ ଟିକେଟ୍‌ ଅଠକାଇ ଦେଇଥିଲେ। ଶେଷରେ ନିରାଶ ହୋଇ ପାକ୍‌ ଖେଳାଳିମାନେ ପୁନର୍ବାର ହୋଟେଲକୁ ଫେରିଥିଲେ। ଗୋଟିଏ ପଟେ ଚୁକ୍ତି ମୁତାବକ ଅର୍ଥ ପାଇନଥିଲା ବେଳେ ଅନ୍ୟପଟେ ବିମାନ ଟିକେଟ୍‌ ନମିଳିବାରୁ ପାକ୍‌ ଖେଳାଳିମାନେ ହତାଶ ହୋଇଯାଇଥିଲେ। ହେଲେ ଏବେ ହାତରୁ ଅର୍ଥ ଦେଇ କିପରି ସ୍ୱଦେଶ ଫେରିବେ ସେ ଚିନ୍ତା କରୁଛନ୍ତି। ଏନେଇ ସେମାନେ ପିସିବି ଓ ପାକ୍‌ ଦୂତାବାସ ସହ ଯୋଗାଯୋଗ କରିଥିଲେ। ଉଭୟ ପିସିବି ଓ ପାକ୍‌ ଦୂତାବାସର ହସ୍ତକ୍ଷେପ ଯୋଗୁଁ ଖେଳାଳିମାନେ ସମ୍ଭବତଃ ଶନିବାର ପାକିସ୍ତାନ ଫେରିବେ ବୋଲି ପାକ୍‌ କ୍ରିକେଟ୍‌ ବୋର୍ଡ କହିଛି। ଏପରି କାହିଁକି ଖେଳାଳିଙ୍କୁ ହରକତ କରାଗଲା ସେନେଇ ଆମେ ଆଫ୍ରୋ ଟେ୍ଵଣ୍ଟି-୨୦ ଲିଗ୍‌ ଆୟୋଜକଙ୍କଠାରୁ ପୂର୍ଣ୍ଣାଙ୍ଗ ସୂଚନା ପାଇବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ପିସିବି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର