୧୦ ବର୍ଷ ପରେ ପାକିସ୍ତାନରେ ଟେଷ୍ଟ୍‌ ଖେଳିବ ଶ୍ରୀଲଙ୍କା

ଲାହୋର: ୨୦୦୯ ଆତଙ୍କବାଦ ଆକ୍ରମଣ ପରେ ପ୍ରଥମ ଟେଷ୍ଟ୍ ଶୃଙ୍ଖଳା ଖେଳିବା ପାଇଁ ସୋମବାର ପାକିସ୍ତାନ ପହଞ୍ଚିଛି ଶ୍ରୀଲଙ୍କା ଦଳ। ବୁଧବାରରୁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ। ରାଵଲପିଣ୍ଡିରେ ପ୍ରଥମ ଟେଷ୍ଟ୍ ଓ ଦ୍ବିତୀୟଟି ୧୯ ତାରିଖରେ କରାଚିରେ ଖେଳାଯିବ। ୨୦୦୯ରେ ଲାହୋରରେ ହୋଇଥିବା ଆତଙ୍କବାଦ ଆକ୍ରମଣର ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ପାକିସ୍ତାନରେ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ୨୦୦୯ ଆତଙ୍କବାଦ ଆକ୍ରମଣରେ ୮ ଜଣ ସାଧାରଣ ଲୋକ ପ୍ରାଣ ହରାଇବା ସହିତ ଶ୍ରୀଲଙ୍କାର ଏକାଧିକ କ୍ରିକେଟର୍ ଆହତ ହୋଇଥିଲେ। ଏହି ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଶ୍ରୀଲଙ୍କା ଚଳିତ ବର୍ଷ (ସେପ୍ଟେମ୍ବର ୨୭-ଅକ୍ଟୋବର ୯) ପାକିସ୍ତାନରେ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିଥିଲା। ଶ୍ରୀଲଙ୍କା ଦଳ ପହଞ୍ଚିବା ଏକ ଐତିହାସିକ କ୍ଷଣ ଓ ଆମେ ଏଥିପାଇଁ ବହୁତ ଖୁସି ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ୍ ସଂଘର ମୁଖ୍ୟ ପରିଚାଳକ ଵସିମ୍ ଖାନ୍।

ସମ୍ବନ୍ଧିତ ଖବର