ଦିଲ୍ଲୀକୁ ହରାଇ ଚେନ୍ନାଇ ପୁଣି ଶୀର୍ଷରେ

ପୁନେ: ଆଇପିଏଲ୍‌-୧୧ର ୩୦ତମ ମ୍ୟାଚ୍‌ରେ ସୋମବାର ଦିଲ୍ଲୀ ଡେୟାର ଡେଭିଲ୍‌ସ ଦମ୍‌ଦାର ଲଢ଼େଇ କରିଥିଲା। କିନ୍ତୁ ୧୩ ରନ୍‌ ପଛରେ ରହିଯାଇଥିଲା। ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ସହ ପୁଣି ଶୀର୍ଷକୁ ଫେରିଲା। ଦିଲ୍ଲୀ କିନ୍ତୁ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ସହ ପ୍ଲେ ଅଫ୍‌ ଦୌଡ଼ରୁ ଦୂରେଇ ଦୂରେଇ ଗଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ବିସ୍ଫୋରକ ଆରମ୍ଭ କରିଥିଲା। ସେନ୍‌ ଓ୍ଵାଟ୍‌ସନ୍‌ଙ୍କ ସହ ଏଥର ପାଳି ଆରମ୍ଭ କରିଥିଲେ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଫାପ୍‌ ଡୁ ପ୍ଲେସିସ୍‌। ଡୁପ୍ଲେସିସ୍‌ ଜଗିରଖି ଖେଳୁଥିବାବେଳେ ଓ୍ଵାଟ୍‌ସନ୍‌ ପ୍ରତିଟି ବଲ୍‌କୁ ସୀମା ସେପାଖକୁ ପଠାଇବାକୁ ଚେଷ୍ଟା ଜାରି ରଖିଥିଲେ। ପାଳିର ପ୍ରଥମ ବଲ୍‌ରେ ଲେଗ୍‌ ବିଫୋର୍‌ ଆବେଦନରୁ ବର୍ତିଥିବା ଏହି ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍‌ ୨୫ ବଲ୍‌ରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ପାଓ୍ଵାର ପ୍ଲେ ୬ ଓଭରରେ ଦଳ ବିନା କ୍ଷତିରେ ୫୬ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲା। ୧୦.୫ ଓଭରରେ ଚେନ୍ନାଇ ୧୦୨ ରନ୍‌ ବେଳେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ଡୁ ପ୍ଲେସିସ୍‌ (୩୩, ୩୩ ବଲ୍‌, ୩ ଚୌକା, ୧ ଛକା)ଙ୍କୁ ବିଜୟ ଶଙ୍କର ବୋଲ୍‌ଟଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ଗୋଟିଏ ବଲ୍‌ ବ୍ୟବଧାନ ପରେ ସୁରେଶ ରାଇନା (୧)ଙ୍କୁ ମ୍ୟାକ୍ସେଓ୍ଵଲ୍‌ ବୋଲ୍‌ଡ କରିଦେବା ଏବଂ ସେନ୍‌ ଓ୍ଵାଟ୍‌ସନ୍‌ (୭୮, ୪୦ ବଲ୍‌, ୪ ଚୌକା, ୭ ଛକା)ଙ୍କୁ ଅମିତ୍‌ ମିଶ୍ରା ପ୍ୟାଭିଲିଅନ୍‌ ପଠାଇବା ସତ୍ତ୍ୱେ ଚେନ୍ନାଇ ଏକ୍ସପ୍ରେସ୍‌ ଅଟକି ନଥିଲା। କମଳାଟୋପୀ ଧାରି ଅମ୍ବାତି ରାୟୁଡୁ (୪୧, ୨୪ ବଲ୍‌, ୫ ଚୌକା, ୧ ଛକା) ନିମ୍ନକ୍ରମରେ ବ୍ୟାଟିଂ କରିଥିଲେ ମଧ୍ୟ ତାଙ୍କ ବ୍ୟାଟିଂରେ ଏହାର କିଛି ପ୍ରଭାବ ପଡ଼ିନଥିଲା। ଦୁର୍ଭାଗ୍ୟଜନକ ଭାବେ ସେ ରନ୍‌ ଆଉଟ୍‌ ହୋଇଥିଲେ। ତେବେ ଏହା ପୂର୍ବରୁ ସେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୫୧*, ୨୨ ବଲ୍‌, ୨ ଚୌକା, ୫ ଛକା)ଙ୍କ ସହ ମିଶି ୬ ଓଭରରେ ୭୯ ରନ୍‌ ଯୋଡ଼ିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ରାୟୁଡୁ (୩୭୦ ରନ୍‌, ୮ ମ୍ୟାଚ୍‌) ଶୀର୍ଷ ସ୍ଥାନକୁ ଅଧିକ ଦୃଢ଼ କରିଥିବାବେଳେ ଧୋନି ମଧ୍ୟ ଶୀର୍ଷ ୫ ଭିତରକୁ ପ୍ରବେଶ କରିଥିଲେ। ଚେନ୍ନାଇ ସୋମବାର ୪ ପରିବର୍ତନ କରି ଏହି ମ୍ୟାଚ୍‌ ଖେଳିଥିଲା। ପିତାଙ୍କ ଶେଷ କୃତ୍ୟ ଲାଗି ଦକ୍ଷିଣ ଆଫ୍ରିକା ଫେରିଯାଇଥିବା ଦ୍ରୁତ ବୋଲର ଲୁଙ୍ଗି ଏନଗିଡି ଏବଂ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିନଥିବା କେରଳର ଅନଭିଜ୍ଞ ଦ୍ରୁତ ବୋଲର କେଏମ୍‌ ଅସିଫ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସସ ପାଇଁ ପ୍ରଥମ ପଦାର୍ପଣ କରିଥିଲେ। ଅସିଫ୍‌ ନିଜର ପ୍ରଥମ ୨ ଓଭର ଭିତରେ ଦିଲ୍ଲୀର ଦୁଇ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ପୃଥ୍ଵୀ ସ’ (୯) ଏବଂ କଲିନ୍‌ ମୁନ୍‌ରୋ (୨୬)ଙ୍କ ଓ୍ଵିକେଟ୍‌ ନେଇ ମଧ୍ୟ ଏହାକୁୁ ସ୍ମରଣୀୟ କରିଥିଲେ।
୨୧୨ ରନ୍‌କୁ ପଶ୍ଚାତଧାବନ କରିଥିବା ଦିଲ୍ଲୀ ଭଲ ଆରମ୍ଭ ପାଇନଥିଲା। ନବମ ଓଭର ଭିତରେ ୭୪ ରନ୍‌ରେ ୪ ଓ୍ଵିକେଟ୍‌ ହରାଇ ବସିଥିଲା। ପୃଥ୍ଵୀ ସ’, କଲିନ୍‌ ମୁନରୋଙ୍କ ସହିତ ଗତ ମ୍ୟାଚ୍‌ ନାୟକ ତଥା ଅଧିନାୟକ ଶ୍ରେୟସ ଆୟର୍‌ ୧୩) ଏବଂ ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ (୬) ନିରାଶ କରିଥିଲେ। ଦିଲ୍ଲୀର ଯୁବ ବାମହାତୀ ବ୍ୟାଟସମ୍ୟାନ୍‌ ଋଷବ ପନ୍ତ (୭୯, ୪୫ ବଲ୍‌, ୭ ଚୌକା, ୪ ଛକା) ନିଜର ଦମ୍‌ ଲଗାଇ ଦେଇଥିଲେ ମଧ୍ୟ ଚେନ୍ନାଇର ରନ୍‌ ପାହାଡ଼ ଆଗରେ ହାର୍‌ ମାନିଥିଲେ। ୨୮ ବଲ୍‌ରୁ ଅର୍ଧଶତକ ହାସଲ କରି ବିଜୟ ଶଙ୍କର (୫୪, ୩୧ ବଲ୍‌, ୧ ଚୌକା, ୫ ଛକା) ଧମକାଇଥିଲେ କିନ୍ତୁ ବିଜୟ ଛଡ଼ାଇ ପାରିନଥିଲେ। ସେନ୍‌ ଓ୍ଵାଟ୍‌ସନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର୍‌: ଚେନ୍ନାଇ ସୁପର୍‌ କିଙ୍ଗ୍‌ସ: ୨୦ ଓଭରରେ ୨୧୧/୪ (ସେନ୍‌ ଓ୍ଵାଟ୍‌ସନ୍‌-୭୮, ମହେନ୍ଦ୍ର ସିଂହ ଧୋନି-୫୧*, ଅମ୍ବାତି ରାୟୁଡୁ-୪୧, ଫାପ୍‌ ଡୁ ପ୍ଲେସିସ୍‌-୩୩, ଅମିତ ମିଶ୍ରା-୧/୩୦, ବିଜୟ ଶଙ୍କର-୧/୨୨, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌-୧/୫)। ଡିଲ୍ଲୀ ଡେୟାର୍‌ ଡେଭିଲ୍‌ସ: ୨୦ ଓଭରରେ ୧୯୮/୫ (ଋଷବ ପନ୍ତ-୭୯, ବିଜୟ ଶଙ୍କର-୫୪*, କଲିନ୍‌ ମୁନ୍‌ରୋ-୨୬, କେଏମ୍‌ ଅସିଫ୍‌-୨/୪୩, ଲୁଙ୍ଗି ଏନ୍‌ଗିଡି-୧/୨୬, ରବୀନ୍ଦ୍ର ଜାଦେଜା-୧/୩୧)।

ସମ୍ବନ୍ଧିତ ଖବର