ମୁଖ୍ୟ ପ୍ରଶିକ୍ଷକ କୋନ୍‌ଷ୍ଟାଣ୍ଟିନେଙ୍କ ଇସ୍ତଫା

ଏଏଫ୍‌ସି ଏସୀୟ କପ୍‌ ପ୍ରଦର୍ଶନର ପ୍ରଭାବ

ନୂଆଦିଲ୍ଲୀ: କାର୍ଯ୍ୟକାଳ ଆଉ ଦୁଇ ସପ୍ତାହ ବାକି ଥିଲା। ଚଳିତ ମାସ ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ମିଆଦ ପୂରିଥାନ୍ତା। ହେଲେ ଭାରତୀୟ ଫୁଟ୍‌ବଲ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍‌ କୋନ୍‌ଷ୍ଟାଣ୍ଟିନେ ମଙ୍ଗଳବାର ଅଚାନକ ତାଙ୍କର ଇସ୍ତଫା ଘୋଷଣା କରିଦେଲେ। ବିଶେଷକରି ଏଏଫ୍‌ସି ଏସୀୟ କପ୍‌ ପ୍ରତିଯୋଗିତାରେ ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ବିଦା ହୋଇଯିବାକୁ ସହଜରେ ହଜମ କରିପାରିଲେନି କୋନ୍‌ଷ୍ଟାଣ୍ଟିନେ। ଥାଇଲାଣ୍ଡ୍‌ ବିପକ୍ଷ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ବାହାରିନ୍‌ଠୁ ହାରି ଦୁଃଖଦ ବିଦାୟ ନେଲା। ଦଳର ଏଭଳି ପ୍ରଦର୍ଶନ ପାଇଁ ନୈତିକ ଦାୟିତ୍ବ ମୁଣ୍ଡକୁ ନେଇଗଲେ ସେ। ଶେଷରେ ନିଜର ଇସ୍ତଫା ଘୋଷଣା କଲା ବେଳେ ତାଙ୍କ ଆଖି ଲୋତକରେ ଭରି ଯାଇଥିଲା। ବାହାରିନ୍‌ ସହ କେବଳ ଅମୀମାଂସିତ ରଖିପାରିଥିଲେ ଭାରତ ୫୩ ବର୍ଷ ପରେ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇ ଇତିହାସ ରଚିଥାନ୍ତା। ହେଲେ ତାହା ସମ୍ଭବ ହେଲାନି। ତେଣୁ ସେହି ମ୍ୟାଚ୍‌ ପରେ ମୁଁ ପଦତ୍ୟାଗ କରୁଛି ବୋଲି କୋନ୍‌ଷ୍ଟାଣ୍ଟିନେ କହିଥିଲେ। ଏହା ହିଁ ପଦ ଛାଡ଼ିବା ପାଇଁ ପ୍ରକୃଷ୍ଟ ସମୟ ବୋଲି ଧରିନେଲି।
ଏବେ ମୁଁ ଅବଶିଷ୍ଟ ସମୟ ପରିବାର ସହ ବିତାଇବି ବୋଲି କୋନ୍‌ଷ୍ଟାଣ୍ଟିନେ କହିଛନ୍ତି। ମୁଁ ୪ ବର୍ଷ ଧରି ଦଳ ସହ ରହିଥିଲି। ମୋର ପ୍ରଥମ ଲକ୍ଷ୍ୟ ଥିଲା ଏଏଫ୍‌ସି ଏସୀୟ କପ୍‌କୁ ଭାରତ ଯୋଗ୍ୟତା ହାସଲ କରିବା। ତାହା ମୁଁ କରିଥିଲି। ତେଣୁ ମୁଁ ସେଥିପାଇଁ ଖେଳାଳିଙ୍କୁ ନେଇ ଗର୍ବିତ। ଖେଳାଳିମାନେ ଯଥାସମ୍ଭବ ସେମାନଙ୍କ ପ୍ରଦର୍ଶନ ଦେଇଛନ୍ତି ବୋଲି କୋନ୍‌ଷ୍ଟାଣ୍ଟିନେ କହିଛନ୍ତି। ୫୬ ବର୍ଷ ବୟସ୍କ ସାଇପ୍ରସ୍‌ ତାରକା କୋନ୍‌ଷ୍ଟାଣ୍ଟିନେଙ୍କ ଇସ୍ତଫାକୁ ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌) ଗ୍ରହଣ କରିନେଇଥିବା ତା’ର ଅଫିସିଆଲ ଟ୍ବିଟରରେ ଉଲ୍ଲେଖ କରିଛି। କୋନ୍‌ଷ୍ଟାଣ୍ଟିନେ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଆମେ ବିଦ୍ଧିବଦ୍ଧ ଭାବେ ତାଙ୍କଠାରୁ ଏନେଇ କୌଣସି ସୂଚନା ପାଇନାହୁଁ। ହେଲେ ଆମେ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିନେଇଛୁ ଏବଂ ଭାରତୀୟ ଦଳ ପ୍ରତି ତାଙ୍କ ଅବଦାନକୁ ଧନ୍ୟବାଦ ଜଣାଉଛୁ ବୋଲି ଏଏଆଏଫ୍‌ଏଫ୍‌ର ସଂପାଦକ କୁଶାଲ ଦାସ ଟ୍ବିଟ୍‌ କରିଛନ୍ତି।
ଭାରତୀୟ ଦଳ ପାଇଁ କୋନ୍‌ଷ୍ଟାଣ୍ଟିନେଙ୍କ ଏହାଥିଲା ଦ୍ବିତୀୟବାର ଚୁକ୍ତି। ପୂର୍ବରୁ ସେ ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ ଏହି ଦାୟିତ୍ବ ସମ୍ଭାଳିଥିଲେ। ପରେ ୨୦୧୫ରେ ନେଦରଲାଣ୍ଡ୍‌ର ୱିମ୍‌ଭରମ୍ୟାନ୍‌ସଙ୍କ ବିଦାୟ ପରେ ସେ ଦ୍ବିତୀୟ ଥର ପାଇଁ ପଦକୁ ଫେରିଥିଲେ। ତାଙ୍କର ଏହି କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଦଳ ଫିଫା ମାନ୍ୟତାରେ ତା’ର ଦ୍ବିତୀୟ ସର୍ବୋଚ୍ଚ ମାନ୍ୟତା ଭାବେ ୯୬ରେ ପହଞ୍ଚିଥିଲା। ତାଙ୍କ କାର୍ଯ୍ୟକାଳ ପୂର୍ବରୁ ଭାରତ ଫିଫା ମାନ୍ୟତାରେ ସବୁଠୁ ନିକୃଷ୍ଟ ଭାବେ ୧୭୩ତମ ସ୍ଥାନରେ ରହିଥିଲା।

ସମ୍ବନ୍ଧିତ ଖବର