ଚୀନ୍‌ର ବ୍ରିଟିସ୍ ପ୍ରବେଶ

ଭୁବନେଶ୍ବର: ଇଂଲଣ୍ଡ ଏବଂ ଆୟର୍ଲାଣ୍ଡକୁ ହକି ବିଶ୍ବକପ୍‌ରେ ଅଟକାଇ ଗ୍ରେଟ୍‌ ବ୍ରିଟେନ୍‌ର ଅଧା ଦଖଲ କରି ନେଇଛି ଚୀନ। ଦୁଇ ବ୍ରିଟିସ୍ ରାଷ୍ଟ୍ର ସହ ମ୍ୟାଚ୍ ଅମୀମାଂସିତ ରଖି ଚୀନ ମଧ୍ୟ ଚମତ୍କାର ଢ଼ଙ୍ଗରେ ଓଡ଼ିଶା ପୁରୁ‌ଷ ହକି ବିଶ୍ବକପ୍‌ ପଦାର୍ପଣକୁ ଆଗକୁ ନେଇଛି। ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ୨-୨ ଗୋଲ୍‌ରେ ରୋକିଥିବା ଚୀନ ମଙ୍ଗଳବାର ୧-୧ ଗୋଲ୍‌ରେ ଆୟର୍ଲାଣ୍ଡ ସହ ପଏଣ୍ଟ ଭାଗ କରିଛି। ଏହି ଫଳାଫଳ ସହିତ ଚୀନ ମଧ୍ୟ କ୍ରସ୍ ଓଭର (ପ୍ରିକ୍ବାର୍ଟର ସଦୃଶ) ଖେଳିବାର ଦ୍ବାରଦେଶରେ ପହଞ୍ଚିଯାଇଛି। ପୁଲ୍ ‘ବି’ରୁ ଅଷ୍ଟ୍ରେଲିଆ ଲଗାତାର ବିଜୟ ସହ ସିଧାସଳଖ କ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରି ନେଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଚୀନ ଏବଂ ଆୟର୍ଲାଣ୍ଡ-ଇଂଲଣ୍ଡ ମ୍ୟାଚ୍‌ ପରର୍ବତୀ ୨ କ୍ରସ୍ ଓଭର ସ୍ଥାନ ପାଇଁ ଭାଗ୍ୟ ନିର୍ଣ୍ଣୟ କରିବ।
ଗତ ଶୁକ୍ରବାର ଭଳି ଚୀନର ଚମତ୍କାର ଖେଳ ମଙ୍ଗଳବାର କଳିଙ୍ଗ ପ୍ରଶଂସକଙ୍କୁ ଭାରି ପସନ୍ଦ ଲାଗିଥିଲା। ଏସୀୟ ଦଳ ଭାବେ ‌ଢ଼େର ସମର୍ଥନ ପାଇଥିଲେ ସ୍ଥାନୀୟ ଦର୍ଶକଙ୍କଠାରୁ। ପ୍ରଥମ ଦୁଇ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିଥିଲେ ବି ଉଭୟ ଦଳ ଏକପ୍ରକାର ସମାନ ଭାବେ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଭଳି ଚୀନ ମଧ୍ୟ ମଙ୍ଗଳବାର ପ୍ରଥମେ ଗୋଲ୍ ଦେଇ ଆଗୁଆ ହୋଇଥିଲା। ୪୩ତମ ମିନିଟରେ ଚୀନକୁ ମିଳିଥିବା ଦ୍ବିତୀୟ ପେନାଲଟି କର୍ନରକୁ ଜିନ୍ ଜୁଓ ଗୋଲ୍‌ରେ ପରିଣତ କରି ଦେଇଥିଲେ। ପରବର୍ତୀ ମିନିଟରେ କିନ୍ତୁ ଆଲାନ ସଦର୍ନଙ୍କ ଚମତ୍କାର ଫିଲଡ୍‌ ଗୋଲ୍ ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲା।

୪୬ତମ ମିନିଟର ଚୀନର ତୃତୀୟ ପେନାଲ୍‌ଟି କର୍ନରକୁ ଆୟର୍ଲାଣ୍ଡର ଗୋଲରକ୍ଷକ ତଥା ଅଧିନାୟକ ଡେଭିଡ୍‌ ହାର୍ଟ ଲେଗ୍‌ଗାର୍ଡରେ ଏଡ଼ାଇ ଚୀନକୁ ଐତିହାସିକ ବିଜୟରୁ ବଞ୍ଚିତ ରଖିଥିଲେ। ତଥାପି ଚୀନ ଲଗାତାର ମ୍ୟାଚରୁ ୧ ପଏଣ୍ଟ୍ ନେଇ ହକି ବିଶାରଦଙ୍କୁ ବିସ୍ମିତ କରିଦେଇଛି। ଏହି ମ୍ୟାଚରେ ବଲ୍ ନିୟନ୍ତ୍ରଣରେ ଆୟର୍ଲାଣ୍ଡ (୬୦-୪୦ %), ଗୋଲ୍‌ ସଟ୍‌ (୮-୩), ବଳୟ ପ୍ରବେଶ (୨୪-୪)ରେ ଢ଼େର ଆଗୁଆ ରହିଥିଲା। କିନ୍ତୁ ପେନାଲଟି କର୍ନର ଅର୍ଜନରେ ଚୀନ (୩-୨) ଆଗୁଆ ଥିଲା। ଦୁଇ ଦେଶ ମଧ୍ୟରେ ହୋଇଥିବା ଶେଷ ୩ ମ୍ୟାଚ୍‌ ମୁକାବିଲାରୁ ଆୟର୍ଲାଣ୍ଡ ୨ ଜିତିଥିଲା, ୧ ଅମୀମାଂସିତ ଥିଲା। ମଙ୍ଗଳବାରର ଏହି ଦ୍ବିତୀୟ ମ୍ୟାଚ୍ ପ୍ରାରମ୍ଭରେ ବିଏମ୍‌ସି କମିଶନର କିଷନ୍ କୁମାର ଅତିଥି ଥିଲେ। ମ୍ୟାଚର ଶ୍ରେଷ୍ଠ ଖେଳାଳି ଆୟର୍ଲାଣ୍ଡର ଆଲାନ ସଦର୍ନଙ୍କୁ ଲୋକସଭା ସାଂସଦ ଭତ୍ତୃହରି ମହତାବ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର