ସିଲି ପଏଣ୍ଟ୍‌: ଧୋନିଙ୍କୁ ପ୍ରଶଂସିକାଙ୍କ ପ୍ରେମ ନିବେଦନ

ପୁନେ: ଆଇପିଏଲ୍‌ ଖେଳୁଥିବା ବିଭିନ୍ନ ଦେଶର ତାରକା ଖେଳାଳିଙ୍କ ମଧ୍ୟରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମର୍ଥକଙ୍କ ସଂଖ୍ୟା ସମ୍ଭବତଃ ସର୍ବାଧିକ। ଶୁକ୍ରବାରର ଚେନ୍ନାଇ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ରେ ଏହା ପୁଣି ଥରେ ପ୍ରମାଣିତ ହୋଇଥିଲା। ସେଦିନ ବ୍ୟାଟ୍‌ରେ ସେମିତି କିଛି ଆଖି ଦୃଶିଆ କମାଲ କରି ନଥିଲେ ମଧ୍ୟ ପୁନେର ମହାରାଷ୍ଟ୍ର କ୍ରିକେଟ୍‌ ସଂଘ ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ଅବସରରେ ଜଣେ ମହିଳା ପ୍ରଶଂସିକା ଖୁଲମଖୁଲା ଧୋନିଙ୍କୁ ପ୍ରେମ ନିବେଦନ କରିଥିଲେ। ଏକ ପ୍ଲାକାର୍ଡ ଧରି ଧୋନି ସବୁବେଳେ ତାଙ୍କର ପ୍ରଥମ ପ୍ରେମ ହୋଇ ରହିବେ ବୋଲି ସଂପୃକ୍ତ ମହିଳା ପ୍ରଶଂସିକା ଜଣକ ଜଣାଇଥିଲେ। ତାଙ୍କ ଧୋନି ପ୍ରେମକୁ କ୍ୟାମେରାମ୍ୟାନ୍‌ ନିଜ କ୍ୟାମେରା ଫ୍ରେମରେ ଉତ୍ତୋଳନ କରି ବଡ଼ ପରଦାରେ ଦେଖାଇଥିଲେ। ଏପରିକି ଆଇସିସି ନିଜ ଟ୍ଵିଟର ପୃଷ୍ଠାରେ ମଧ୍ୟ ତାଙ୍କର ସେହି ଫଟୋଟିକୁ ସ୍ଥାନ ଦେଇଥିଲା। କେବଳ ସେତିକି ନୁହେଁ ସୁରେଶ ରାଇନାଙ୍କ ଓ୍ଵିକେଟ୍‌ ପତନ ବେଳେ ଧୋନି ଯେତେବେଳେ ବ୍ୟାଟିଂ କରିବାକୁ ପଡ଼ିଆ ଭିତରକୁ ଆସିଥିଲେ ଜଣେ ପୁରୁଷ ପ୍ରଶଂସକ ସୁରକ୍ଷା ବଳୟ ଟପି ତାଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ। ଧୋନି ମଧ୍ୟ ତାଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା। ଧୋନିଙ୍କ ସହ କିଛି କ୍ଷଣ ବାର୍ତାଳାପ କରିବା ପରେ ସେହି ପ୍ରଶଂସକଜଣକ ମହାଆନନ୍ଦରେ ଦର୍ଶକ ଗ୍ୟାଲେରିକୁ ଫେରିଥିଲେ।

ସମ୍ବନ୍ଧିତ ଖବର