ତୃତୀୟ ସନ୍ତାନର ବାପା ହେବେ ଡେଲ୍‌ଫ

ମସ୍କୋ: ଇଂଲଣ୍ଡ ମଧ୍ୟଭାଗ ଖେଳାଳି ଫାବିଆନ୍‌ ଡେଲ୍‌ଫ ଚଳିତ ବିଶ୍ୱକପ୍‌ ଅବସରରେ ତୃତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି। ଏଥିପାଇଁ ସେ ମଧ୍ୟ ଗୋଟିଏ ମ୍ୟାଚ୍‌ରୁ ଦୂରେଇ ରହିବାକୁ ପ୍ରସ୍ତୁତ ରହିଛନ୍ତି। ଡେଲ୍‌ଫଙ୍କ ପତ୍ନୀ ନାତାଲି ଆସନ୍ତା ୩୦ ତାରିଖରେ ମା’ ହେବାକୁ ଯାଉଛନ୍ତି। ଇଂଲଣ୍ଡ ଏହାର ଦୁଇ ଦିନ ପୂର୍ବରୁ କାଲିନିନ୍‌ଗ୍ରାଡ୍‌ରେ ଶେଷ ଲିଗ୍‌ ମ୍ୟାଚ୍‌ରେ ବେଲ୍‌ଜିୟମକୁ ଭେଟିବ ଏବଂ ଜୁଲାଇ ୩ ତାରିଖରୁ ରାଉଣ୍ଡ୍‌-୧୬ ଆରମ୍ଭ ହେବ। ୨୮ ତାରିଖ ମ୍ୟାଚ୍‌ ଖେଳି ଡେଲ୍‌ଫ ପତ୍ନୀଙ୍କୁ ସମୟ ଦେବାପାଇଁ ଇଂଲଣ୍ଡ ଫେରିବାର ଯୋଜନା ରଖିଛନ୍ତି। ଅବଶ୍ୟ ସନ୍ତାନ ପ୍ରସବ ପରେ ସେ ରୁଷ୍‌ ଫେରି ଆସିବେ। ଯିବା ଆସିବାରେ କିଛି ବିଳମ୍ବ ହେଲେ ସେ ଗୋଟିଏ ମ୍ୟଚ୍‌ ଖେଳି ପାରିବେନି ବୋଲି ଦଳୀୟ ପ୍ରବନ୍ଧକ ଗାରେଥ ସାଉଥଗେଟ୍‌ଙ୍କୁ ଜଣାଇଛନ୍ତି। ମ୍ୟାଚ୍‌ରୁ ଯେପରି ବଞ୍ଚିତ ନହେବେ ସେଥିଲାଗି ତାଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ଇଂଲଣ୍ଡ ଦଳ ପ୍ରୟାସ କରିବ। ସେ କିପରି ଠିକ୍‌ ସମୟରେ ଇଂଲଣ୍ଡରେ ପହଞ୍ଚିବେ ଏବଂ ରୁଷିଆ ଫେରିବେ ସେଥିଲାଗି ସହଯୋଗୀ ଅଧିକାରୀ ବିମାନର ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତୁତ ରହିଛନ୍ତି।

ସମ୍ବନ୍ଧିତ ଖବର