ଚହରଙ୍କ ବିଳମ୍ବିତ ଚମକ

ମୁମ୍ବାଇ: ବିଳମ୍ବରେ ହେଲେ ମଧ୍ୟ ଉତ୍ତର ପ୍ରଦେଶରେ ଜନ୍ମଗ୍ରହଣ କରି ରାଜସ୍ଥାନ ପକ୍ଷରୁ ରଣଜୀ ଖେଳୁଥିବା ମଧ୍ୟମ ଗତି ବୋଲର ଦୀପକ ଚହର ଆଇପିଏଲରେ ତାଙ୍କ ଯାଦୁ ଦେଖାଇଛନ୍ତି। ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏବଂ ରାଇଜିଂ ପୁନେ ସୁପରଜିଆଣ୍ଟ୍ସ ପକ୍ଷରୁ ଖେଳି ସାରିଥିବା ଚହର ଚଳିତ ବର୍ଷ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳି ସମ୍ଭବତଃ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିଛନ୍ତି। ଚହର ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ପରେ ୨୦୧୬-୧୭ରେ ରାଇଜିଂ ପୁନେ ସୁପରଜିଆଣ୍ଟ୍ସର ପ୍ରତିନିଧିତ୍ୱ କରିଥିଲେ। ୬ ଋତୁ ଧରି ଆଇପିଏଲ୍‌ ଖେଳିଥିଲେ ମଧ୍ୟ କେତେ ବେଳେ ଆଘାତ ଜନିତ ସମସ୍ୟା ତ ଆଉ କେତେ ବେଳେ ସୁଯୋଗର ଅଭାବ ପାଇଁ ସେ ଦୁର୍ଭାଗ୍ୟଜନକ ଭାବେ ନିଜ ପ୍ରତିଭାର ପରିପ୍ରକାଶ କରି ପାରି ନଥିଲେ।

ଚଳିତ ବର୍ଷ ମୁସ୍ତାକ ଅଲ୍ଲୀ ଘରୋଇ ଟେ୍ଵଣ୍ଟି-୨୦ ପ୍ରତିଯୋଗିତାରେ ରାଜସ୍ଥାନକୁ ଫାଇନାଲକୁ ନେବାରେ ଚହର ପ୍ରମୁଖ ଭୂମିକା ତୁଲାଇଥିଲେ। କର୍ଣ୍ଣାଟକ ବିପକ୍ଷରେ ସେ ମାତ୍ର ୧୫ ରନ୍‌ ଦେଇ ୫ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଦୁଇ ଥର ହ୍ୟାଟ୍ରିକ୍‌ ବି ଅର୍ଜନ କରିଥିଲେ। ଫଳରେ ଚେନ୍ନାଇ ସୁପରକିଙ୍ଗ୍ସ ନଜରକୁ ଆସି ଯାଇଥିଲେ। ଏବେ ମହନ୍ଦ୍ର ସିଂହ ଧୋନିଙ୍କ ବଳିଷ୍ଠ ନେତୃତ୍ୱରେ ଚଳିତ ବର୍ଷ ସେ ଜାତୀୟ ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚହର ନିୟମିତ ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ବଲ୍‌ ପକାଉଥିଲା ବେଳେ ଉଭୟ ଅଧିନାୟକ ଧୋନି ଏବଂ ପ୍ରଶିକ୍ଷକ ଷ୍ଟିଫେନ୍‌ ପ୍ଲେମିଂ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଚେନ୍ନାଇର ଗତ ଦୁଇ ମ୍ୟାଚରେ ସେ ନୂଆ ବଲରେ ଲଗାତାର ୪ ଏବଂ ୩ ଓଭରିଆ ସ୍ପେଲ୍‌ ପକାଇଛନ୍ତି। ଚଳିତବର୍ଷ ସେ ୬ ଓ୍ଵିକେଟ୍‌ ଅକ୍ତିଆର କରି ସାରିଛନ୍ତି। ଏବଂ ଏହି ସମସ୍ତ ଓ୍ଵିକେଟ୍‌ ତାଙ୍କୁ ପାଓ୍ଵାର ପ୍ଲେରେ ମିଳିଛି।

ସମ୍ବନ୍ଧିତ ଖବର